Odisha news

ବିଶ୍ୱ ଦୃଷ୍ଟିରେ ଚୀନ

0

ଶୁଭନାରାୟଣ ଶତପଥୀ : ନଭେମ୍ବର ୨୦୧୯ ମସିହାରୁ କରୋନା ଭୟାବହତା ସଂପର୍କରେ ଚୀନ ଅବଗତ ହୋଇଛି । ସେଠାକାର ସ୍ୱାସ୍ଥ୍ୟ ବିଶେଷଜ୍ଞ, ଅନୁସନ୍ଧାନକାରୀ ବ୍ୟକ୍ତିବିଶେଷଙ୍କ ସୁଚନାକ୍ରମେ ଚୀନର ସରକାର ଏ ସଂପର୍କରେ ଜାଣିଥିବା ବିଭିନ୍ନ ଗଣମାଧ୍ୟମରୁ ପ୍ରକାଶ । ତେବେ ଏପରି ଏକ ସଂଗୀନ ବିଷୟପ୍ରତି ଧ୍ୟାନ ନଦେବା, ବିଶେଷଜ୍ଞଙ୍କ ବାର୍ତାକୁ ହେୟ ମନେ କରିବା, ବିପତି ସମୟରେ ଅନ୍ୟ ଦେଶମାନଙ୍କର ସହାଯ୍ୟ ନ ଲୋଡିବା, ବିଦେଶୀମାନଙ୍କର ଯିବା ଆସିବାରେ କଟକଣା ନ ଲଗାଇବା କାରଣରୁ ଏହି ମାରାତ୍ମକ ଭୁତାଣୁ ପ୍ରଥମେ ଚୀନ ଓ ତାପରେ ସାରା ବିଶ୍ୱକୁ ପ୍ରସାରିତ ହୋଇଥିଲା ।

ତେବେ ଏହା ଆରୋପ ପ୍ରତ୍ୟାରୋପ, ବାଦବିବାଦର ସମୟ ନହୋଇଥିଲେ ମଧ୍ୟ ଯେଉଁ ବିପତିକୁ ଗୋଟିଏ ଦେଶରେ ସୀମିତ ରଖାଯାଇ ନିୟନ୍ତ୍ରଣ କରାଯାଇପାରିଥାନ୍ତା, ତାର ପରିବ୍ୟାପ୍ତି ବିଶ୍ୱ ସମୁଦାୟକୁ ଏକ ଭୟଙ୍କର ବିପର୍ଯ୍ୟୟ ଆଡକୁ ଠେଲିଦେଇଛି । କରୋନା ପ୍ରାର୍ଦୁଭାବକୁ ଜାଣି ବୁଝି ଭାରତ ସରକାର ତାଙ୍କ ସୀମିତ ସମ୍ବଳର ବିନିଯୋଗକରି ଯେଉଁଭଳି ଭାବରେ ନିୟନ୍ତ୍ରଣରେ ରଖିବା ସହ ଅନ୍ୟ ଦେଶକୁ ସାହାଯ୍ୟର ହାତ ବଢାଇଛନ୍ତି ତାହା ସାରା ବିଶ୍ୱର ପ୍ରଶଂସା ସାଉଁଟୁଛି । ଏହା ଆମ ପାଇଁ ଗର୍ବର ବିଷୟ । ଏପରି କାର୍ଯ୍ୟ ଚୀନ ପ୍ରଥମରୁ ମଧ୍ୟ କରିପାରିଥାନ୍ତା । ଯାହାଫଳରେ ଆଜି ବିଶ୍ୱର ଲକ୍ଷଲକ୍ଷ ଲୋକ ମୃତ୍ୟୁମୂଖରେ ପଡିନଥାନ୍ତେ । ଚୀନ ତାର ଏହି କାରନାମା ପାଇଁ ବିଶ୍ୱ ସମୁଦାୟଙ୍କ ରୋଷର ଶିକାର ହୋଇଛି । ସବୁ ଦେଶଙ୍କ ନିକଟରେ ଚୀନର ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏମିତିକି ଚୀନ ସମେତ ସାରାବିଶ୍ୱରେ ବିରୋଧାତ୍ମକ ଆଭିମୂଖ୍ୟ ଯୋଗୁଁ ସେଠାକାର ରଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆସନ ଟଳମଳ ହେଲାଣି । କାରଣ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ କରୋନାର ଭୁତାଣୁର ଶିକାର ହୋଇ ଚୀନଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରୁ ଜଣାଯାଏ । ଇତିମଧ୍ୟରେ ଖବର ମିଳୁଛିଯେ, ଉହାନ କରୋନା ମୁକ୍ତ ହେବା ପରେ ପୁଣି ସେ ସ୍ଥାନକୁ କରୋନା ଭୁତାଣୁ ଲେଉଟିଛି । ତେବେ କରୋନା ସଂକ୍ରମଣ ଯୋଗୁଁ ଚୀନରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ ତାହାନେଇ ନାନାଦି କଳ୍ପନାଜଲ୍ପନା ଲାଗିରହିଛି । ତାଛଡା ସେଠାରେ ଦୁଇକୋଟିରୁ ଉଦ୍ଧ୍ୱର୍ ସେଲଫୋନ ଓ ୮,୪୦,୦୦୦ ଲ୍ୟାଣ୍ଡଫୋନ କେଉଁକାରଣରୁ ବନ୍ଦ ହୋଇଛି ଇତ୍ୟାଦି ବିଶ୍ୱବାସୀଙ୍କ ମନରେ ସନେ୍ଦହ ସୃଷ୍ଟି କରୁଛି । ଆଶା କରାଯାଉଛି ବାସ୍ତବ ଘଟଣାକୁ ଚୀନ ବିଶ୍ୱବାସୀଙ୍କଠାରୁ ଲୁଚାଇ ରଖୁଛି ।

ଆମେରିକା ଭଳି ଦେଶରେ କରୋନା ସଂକ୍ରମଣଜନିତ ରୋଗୀସଂଖ୍ୟା ଆଠଲକ୍ଷରୁ ଉଦ୍ଧ୍ୱର୍ବୋଲି ଖବରରୁଜଣାଯାଏ । ତେବେ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନରେ କିପରି କରୋନା ରୋଗୀ ସଂଖ୍ୟା ଏକଲକ୍ଷରୁ କମ ତାହା ସମସ୍ତଙ୍କୁ ଚକିତ କରିଛି । ପ୍ରକାଶଯୋଗ୍ୟ ଯେ ଯେଉଁଭଳି ଭାବେ ଭାରତରେ ବ୍ୟକ୍ତିଗତ ସେଲଫୋନର ନମ୍ବର ଆଧାର, ବ୍ୟାଙ୍କ ଜମାଖାତା, ପ୍ୟାନକାର୍ଡ ସହ ଲିଙ୍କ କରାଯାଉଛି ସେହିଭଳି ଭାବେ ଚୀନରେ ମଧ୍ୟ ବ୍ୟକ୍ତିଗତ ସେଲଫୋନକୁ ବିଭିନ୍ନ ଲକ୍ଷ୍ୟ ନେଇ ଭିନ୍ନ ଭିନ୍ନ ବ୍ୟବ୍ୟସ୍ଥାସହ ସଂଯୋଗ କରାଯାଇଛି । ଉଦାହରଣସ୍ୱରୁପ, ବ୍ୟକ୍ତିଗତ ନାଗରିକତା ଚିହ୍ନଟ ପାଇଁ ୨୦୧୯ ମସିହାରେ ଚୀନ ସରକାର ବାଧ୍ୟତାମୂଳକ ମୁହଁ ପ୍ରତିଛବି (ମ୍ୟାଣ୍ଡେଟୋରୀ ଫେସିଆଲ ସ୍କାନ) ପ୍ରଚଳନ କରିଥିଲେ, ଯାହା ବ୍ୟକ୍ତିଗତ ସେଲଫୋନ ଜରିଆରେ ଲିଙ୍କ କରାଯାଇଥିଲା । ତାଛଡା ସ୍ୱାସ୍ଥ୍ୟ, ଅର୍ଥନୈତିକ ସ୍ଥିତି, ବ୍ୟାଙ୍କ ଜମାଖାତା, ପ୍ୟାନକାର୍ଡ ଆଦି ଗୁରୁତ୍ୱପୁର୍ଣ୍ଣ କ୍ଷେତ୍ର ସହ ଯୋଡା ଚୀନ ନାଗରିକଙ୍କ ସେଲଫାନ ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଚୀନ ନାଗରିକମାନେ ମଧ୍ୟ ଏକ ସେଲଫୋନ ଆପ ବ୍ୟବହାର କରୁଥିଲେ । ଯାହା ମାଧ୍ୟମରେ କରୋନା ସଂକ୍ରମଣର ସ୍ଥିତି ଜଣାପଡୁଥିଲା ଓ ଚିକିସôା କରାଯାଉଥିଲା । ଏଥିରୁ ଜଣାଯାଏ ଯେ ଚୀନ ନାଗରିକଙ୍କ ଜୀବନ ସହ ତାଙ୍କ ସେଲଫୋନ କେତେ ଜଡିତ । ହଠାତ ଏତେ ସଂଖ୍ୟକ ସେଲଫୋନ କାହିଁକି ଡିଆକ୍ଟିଭେଟ ହୋଇଛି ତାହା ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅପର ପକ୍ଷରେ ସୋସିଆଲ ମିଡିଆରେ ଓ କିଛି ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାଇ ସାଟେଲାଇଟ ଛବିରୁ ଚୀନ ଆକାଶରେ ସଲଫର ଡାଇଅକ୍ସାଇଡ ବଳୟ ଉପସ୍ଥିତିକୁ ଚିହ୍ନଟ କରାଯାଇଛି । କୁହାଯାଉଛି ଯେ ମଣିଷର ମୃତ ଶରୀରକୁ ଦାହ କଲେ ଏହି ଗ୍ୟାସ ଉତ୍ପନ୍ନ ହୁଏ ଓ ସେ ସ୍ଥାନର ଆକାଶରେ ସଲଫର ଡାଇଅକ୍ସାଇଡର ଏକ ବଳୟ ସୃଷ୍ଟି ହୁଏ ।

ଉହାନ ସହର ନିକଟରେ ସୃଷ୍ଟ ଏହି ଗ୍ୟାସର ଉପସ୍ଥିତିକୁ ନେଇ କୁହାଯାଉଛି ଯେ ସେଠାରେ ବହୁମାତ୍ରାରେ ଶବଦାହ କରାଯାଇଛି । ଚୀନରେ କରୋନା ସଂକ୍ରମଣ ଓ ମୃତ୍ୟୁଜନିତ ତଥ୍ୟ, କ୍ଷୟକ୍ଷତିର ରିପୋର୍ଟ ଆଦି ଗୋଲକଧନ୍ଦା, ବିଶ୍ୱବାସୀଙ୍କ ସନେ୍ଦହକୁ ଖୋରାକ ଯୋଗାଇଛି । ଇତି ମଧ୍ୟରେ କରୋନାର ଉତ୍ପତି, ସଂକ୍ରମଣକୁ ନେଇ ଚୀନର ଭୁମିକା ଉପରେ ଆମେରିକା ଅନୁସନ୍ଧାନ ଆରମ୍ଭ କରିଛି । ତେବେ ଏହାର ନିଷ୍କର୍ଷ ଓ ଫଳାଫଳ କଣ ହେବ ତାହା ଭବିଷ୍ୟତ କହିବ ।

ଏପଟେ କରୋନା ସଂକ୍ରମଣ ବିଷୟ ଚୀନରେ ରାଜେନୈତିକ ବିବାଦର ଅଂଶବିଶେଷରେ ପରିଣତ ହେଲଣି । ଅର୍ଥାତ ସି ଜିନପିଙ୍ଗଙ୍କ ନେତୃତ୍ୱ, କାର୍ଯ୍ୟକୁଶଳତା ଯୋଗୁଁ ଚୀନରେ ଏହି ସଂକ୍ରମଣକୁ ରୋକାଯାଇପାରିଛି ବୋଲି ଚୀନରେ ପ୍ରସାରିତ କରାଯାଇଛି । ସି ଜିନପିଙ୍ଗଙ୍କ ଭାବମୁର୍ତିକୁ ସ୍ୱଚ୍ଛ, ଅକ୍ଷୁର୍ଣ୍ଣ ରଖିବାକୁ ଯଥାସମ୍ଭବ ପ୍ରୟାସ କରାଯାଉଛି । ଏସବୁ ସତ୍ୱେ ସେଠାକାର ଲୋକେ ଚୀନ ସରକାର ପ୍ରତି ସମାଲୋଚନାମୂଳକ ମନ୍ତବ୍ୟ ପ୍ରଦାନ କରୁଛନ୍ତି । ଏ ସଂକ୍ରାନ୍ତରେ ସଫେଇଦେବାକୁ ଯାଇ ଚୀନ ଅନ୍ୟ ଦେଶକୁ ଭେନ୍ଟିଲେଟର, ମାସ୍କ ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣ ପ୍ରଦାନ କରିବା ଓ କରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ ସାହାଯ୍ୟ କରିବାକୁ ଯୋଜନା କରୁଛି । ଏସବୁର ପ୍ରସାରଣ ସହ କରୋନା ବିପକ୍ଷରେ ଚୀନର ଯୁଦ୍ଧ ୨୦୨୦ ସଂପର୍କରେ ଏକ ପୁସ୍ତକ ପ୍ରକାଶନ ମଧ୍ୟ କାରାଯାଉଥିବାର ଖବର ମିଳୁଛି ।

ଏହା ସି ଜିନପିଙ୍ଗଙ୍କ ନେତୃତ୍ୱ ଓ କରୋନା ବିପକ୍ଷରେ ଚୀନର ଲଢେଇର ଟିକନିଖ ତଥ୍ୟ ଉପରେ ପର୍ଯ୍ୟବେସିତ । ସାରା ବିଶ୍ୱରେ ଚୀନ ପ୍ରତି ବଢୁଥିବା ରୋଷ ଓ ନକାରାତ୍ମକ ମନୋଭାବକୁ ଦୂର କରିବାରେ ଏହା ଏକ ପ୍ରୟାସ ବୋଲି କୁହାଯାଇପାରେ । କାରଣ ସି ଜିନପିଙ୍ଗ ୨୦୧୩ ମସିହାରେ ଚୀନର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । ତାଙ୍କ ପୂର୍ବରୁ ହୋ ଜିନ ତାଓ ରାଷ୍ଟ୍ରପତି ଭାବେ୨ଟି କାର୍ଯ୍ୟ ଅବଧି ପୂରଣ କରିଥିଲେ । ୨୦୧୮ ପୂର୍ବରୁ ଚୀନରେ ଜଣେ ରାଷ୍ଟ୍ରପତି ସର୍ବାଧିକ ୨ଟି କାର୍ଯ୍ୟକାଳ ରହି ଶାସନ କରିପାରୁଥିଲେ । କିନ୍ତୁ ସମ୍ବିଧାନ ପରିବର୍ତନ କରି ସି ଜିନପିଙ୍ଗ ନିଜକୁ ସାରାଜୀବନ ରାଷ୍ଟ୍ରପତି ରହିବାକୁ ସୁଯୋଗ ସୃଷ୍ଟିକଲେ । ଏହି ନିଷ୍ପତି ପ୍ରତି ସେତେବେଳେ ବିରୋଧ ପ୍ରଦର୍ଶନ ହୋଇଥିଲେ ମଧ୍ୟ ସି ଜିନପିଙ୍ଗ ସେଥିରୁ ମୁକ୍ତ ହୋଇ ଆଗକୁ ବଢିଥିଲେ ।

ଚୀନରେ ଏକଦଳୀୟ ରାଜେନୈତିକ ବ୍ୟବସ୍ଥା ପ୍ରଚଳିତ ଥିବାବେଳେ ସେଠାରେ ରାଷ୍ଟ୍ରପତି ନିର୍ବାଚନ ଏକ ଆଭ୍ୟନ୍ତରିଣ ପ୍ରକ୍ରିୟା ବୋଲି କୁହାଯାଏ । ବର୍ତମାନର ସ୍ଥିତି ଓ ବିଶ୍ୱ ମହାମାରୀକୁ ବିଚାରକୁ ନେଲେ ଚୀନରେ ପୁଣି କ୍ଷମତା ଯୁଦ୍ଧ ଆରମ୍ଭ ହେବାର ସମ୍ଭାବନା ସୃଷ୍ଟି ହୋଇଛି । କାରଣ ସେଠାକାର ରଷ୍ଟ୍ରପତିଙ୍କ କାର୍ଯ୍ୟକାଳକୁ ନେଇ ଆବଶ୍ୟକୀୟ ସଂଶୋଧନ ପାଇଁ ପ୍ରସ୍ତାବ ଆସିପାରେ । କରୋନା ସଂକ୍ରମଣର ରାଜେନ÷÷ତିକ ପାଣିପାଗର ଉଷ୍ମତା ଏହି କ୍ଷମତା ଯୁଦ୍ଧକୁ ଆହୁରି ଶାଣିତ କାରିପାରେ । ପଲିଟିବ୍ୟୁରୋ ଷ୍ଟାଣ୍ଡିଂ କମିଟି ଓ ନ୍ୟାସନାଲ ପିପ୍ୟୁଲସ କଂଗ୍ରେସରେ ସି ଜିନପିଙ୍ଗଙ୍କ ବିରୋଧରେ ଆଗକୁ ପ୍ରତିବାଦ ବଢିବାର ସମ୍ଭାବନା ରହିଛି । ସେଯାହା ହେଉନାକାହିଁକି କାରୋନା ବିଶ୍ୱ ଅର୍ଥନୀତିକୁ ଧ୍ୱଂସ୍ତ ବିଧଂ୍ୱସ୍ତ କରିସାରିଲାଣି । ବିଶ୍ୱ ଅର୍ଥନୀତିର ପୁନଃ ସ୍ଥାପନା ପାଇଁ ଚୀନର ଏକ ପ୍ରମୂଖ ଭୂମିକା ରହିବ । ତେବେ ଏହି କ୍ଷମତା ଯୁଦ୍ଧ ହେଲେ ଚୀନର ଅର୍ଥନୀତି ଓ ଦେଶର ନୀତି ଉପରେ ନକାରାତ୍ମକ ପ୍ରଭାବ ପଡିବ ।

ଫଳରେ ବିଶ୍ୱ ଅର୍ଥନୀତିକୁ ପୁନଃ ସ୍ଥାପନା କରିବାରେ ଢେର ବିଳମ୍ବ ହେବ । ଯାହା ବିଶ୍ୱ ରାଜେନୈତିକ, ଅର୍ଥନୈତିକ ସ୍ଥିତିକୁ ଆହୁରି ବିଗାଡି ଦେବ । ନୀତିଗତ ପରିବର୍ତନକୁ ଗୁରୁତ୍ୱ ଦିଆଗଲେ ମଧ୍ୟ ଆଗାମୀ କିଛିବର୍ଷ ସି ଜିନପିଙ୍ଗ କ୍ଷମତାରେ ରହିଲେ ହିଁ ବିଶ୍ୱ ରାଜେନୈତିକ, ଅର୍ଥନୈତିକ ସ୍ଥିରତା ରଖାଯାଇପାରିବ । କିନ୍ତୁ ଜାତିସଂଘର ହସ୍ତକ୍ଷେପ ସହ ଆବଶ୍ୟକୀୟ ଅନୁସନ୍ଧାନ ଓ ବିଶ୍ଳେଷଣ କରି ପଦେକ୍ଷପ ନିଆଗଲେ ଭବିଷ୍ୟତ ବିପର୍ଯ୍ୟୟଗୁଡିକୁ ନିୟନ୍ତ୍ରଣ କରାଯାଇପାରିବ । ଅନୂରୁପଭାବେ ଚୀନ ମଧ୍ୟ ନିଜଆଡୁ ବିଶ୍ୱ ସମୁଦାୟଙ୍କ ବିଶ୍ୱାସ ଜିତିବାକୁ ପ୍ରୟାସ କରିବା ସହ ଅନ୍ୟ ଦେଶକୁ ନିସର୍ତ ସହାୟତା ଯୋଗାଇଦେବା ଦରକାର ।
ଶୁଭନାରାୟଣ ଶତପଥୀ
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ- ୯୪୩୮୪୩୨୦୨୩

Leave A Reply