Odisha news

ସୀମାରେ ଉତେଜନା ଚୀନ ସାମଗ୍ରୀ ବର୍ଜନ ପାଇଁ ପ୍ରତ୍ୟେକ ଭାରତୀୟ ସଂକଳ୍ପ ନିଅନ୍ତୁ

0

ଭାରତ-ଚୀନ ସୀମାରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟି ୨୦ ଜଣ ଭାରତୀୟ ଯବାନ ସହୀଦ୍ ହୋଇଥିବାବେଳେ ଚୀନର ୪୩ ଜଣ ସୈନିକଙ୍କର ମୃତୁ୍ୟ ଘଟିଛି । ସଂଘର୍ଷ କେବଳ ବାଡାବାଡି, ଧସ୍ତାଧସ୍ତିରେ ସୀମିତ ରହିଥିବା ବେଳେ ଗୁଳିଗୋଳା ଫୁଟି ନାହିଁ । ଏହି ଘଟଣା ପରେ ଦୀର୍ଘ ଏକ ମାସ ଧରି ଦୁଇଦେଶ ମଧ୍ୟରେ ଲାଗି ରହିଥିବା ଉତେଜନା ଏବେ ଉଗ୍ର ରୂପ ନେଇଛି । ସମଗ୍ର ବିଶ୍ୱକୁ ପ୍ରାଣଘାତୀ କରୋନା ସଂକଟରେ ପକାଇଥିବା ଚୀନ ଏବେ ବିଶ୍ୱବାସୀଙ୍କ ଦୃଷ୍ଟି ଏଡାଇବା ପାଇଁ ଭାରତ ସୀମାରେ ଉତେଜନା ସୃଷ୍ଟି କରି ନୂଆ ଷଡଯନ୍ତ୍ର ରଚନା କରିଛି ବୋଲି ନିସନେ୍ଦହରେ କୁହାଯାଇପାରିବ ।

କହିବା ବାହୁଲ୍ୟ ଯେ, ସୀମାକୁ ନେଇ ଭାରତ – ଚୀନ ମଧ୍ୟରେ ବିବାଦ କିଛି ନୂଆ ନୁହେଁ । ୧୯୬୨ ମସିହା ଠାରୁ ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି । ଏପରିକି ମଧ୍ୟ ଦୁଇଦେଶ ମଧ୍ୟରେ ଥରେ ଯୁଦ୍ଧ ଲାଗିଯାଇଛି । ତେବେ ସୀମା ବିବାଦର ସମଧାନ ଲାଗି ଦୁଇଦେଶ ମଧ୍ୟରେ ସାମରିକ ସ୍ତରରେ, ଅଫିସର ସ୍ତରୀୟ ଏବଂ ଉଚ୍ଚ ରାଜନୈତିକ ସ୍ତରରେ ବାରମ୍ବାର ଆଲୋଚନା ହୋଇଥିଲେ, ମଧ୍ୟ କୌଣସି ସୁଫଳ ମିଳିନାହିଁ । ସୀମା ବିବଦାର ସମାଧାନ ଲାଗି ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠିତ ହୋଇଛି । କିନ୍ତୁ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଦୁଇ ଦେଶ ମଧ୍ୟରେ ୧୯୬୨ର ଯୁଦ୍ଧ ପରେ ସୀମନ୍ତରେ ଦୀର୍ଘ ୫୩ ବର୍ଷ ଧରି ଗୁଳିଗୋଳା ଫୁଟି ନଥିବାବେଳେ ବର୍ତମାନର ଉତେଜନା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ୧୯୬୨ ପରଠାରୁ ସବୁଠାରୁ ଦୀର୍ଘ ଏବଂ ହିଂସାତ୍ମକ । ଭାରତ ଓ ଚୀନ ମଧ୍ୟରେ ବିବାଦର ମଂଜି ହେଉଛି ଗଲୱାନ ଉପତ୍ୟକା ।

ଉଭୟ ଦେଶ ମଧ୍ୟରେ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଲବସି) ଥିବା ସତ୍ୱେ ଭାରତୀୟ ଅଂଚଳକୁ ନିଜର ବୋଲି ଚୀନ ଦାବି କରି ଆସୁଛି । ଏହା ହିଁ ହେଉଛି ସୀମା ବିବାଦର ସୂତ୍ରପାତ । କେବଳ ଲଦାଖର ଗଲୱାନ ନୁହେଁ, ସିକିମ ସୀମାନ୍ତର ଡୋକଲମ ଏବଂ ଅରୁଣାଚଳ ପ୍ରଦେଶର ବହୁ ଅଂଚଳକୁ ଚୀନ ନିଜର ଦାବି କରି ଆସୁଛି । ଉଲ୍ଲେଖଯୋଗ୍ୟ ଯେ, ସୋଭିଏତ ୟୁନିୟନର ବିଲୟ ପରେ ଚୀନର ସାମାଜ୍ୟବାଦ ନୀତି ବା ଆଭିମୁଖ୍ୟ ଏବେ କାହାରିକୁ ଅଛପା ନାହିଁ । ତାଇୱାନ ଠାରୁ ଆରମ୍ଭ କରି ହକଙ୍କ, ମାଲେସିଆର ବାଲି ଦ୍ୱୀପକୁ ଚୀନ ଏବେ ନିଜର ବୋଲି ଦାବି କରିଛି । ସେହିପରି ଭାରତ ମହାସାଗରରେ ମଧ୍ୟ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିଛି । କଂଟାରେ ଲୁଗା ପକାଇ ବିବାଦ ସୃଷ୍ଟି କରିବା ଆଭିମୁଖ୍ୟ ଏବେ ଚୀନ ଆପଣାଇ ନେଇଥିବା ମନେହୁଏ ।

ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଚୀନ ଏବେ ବିଶ୍ୱରେ ପ୍ରାୟ ଏକ ଘରକିଆ ହୋଇଯାଇଛି । କରୋନା ଭୂତାଣୁ ସଂକ୍ରମଣରେ ସର୍ବାଧିକ କ୍ଷତିଗ୍ରସ୍ତ ଆମେରିକା, ଅଷ୍ଟ୍ରଲିଆ ସମେତ ୟୁରୋପୀୟ ରାଷ୍ଟ୍ରଗୁଡିକ ଏବେ ଚୀନ, ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଯାହାକୁ ବି ଭାରତ ସମର୍ଥନ କରିଛି । ଭାରତକୁ ଏଥିରୁ ନିବୃତ କରିବା ପାଇଁ ଚୀନ ଏବେ ସୀମାନ୍ତର ଉତେଜନା ସୃଷ୍ଟି କରିଛି । ଭାରତୀୟ ଅଂଚଳ ବା ଭୂଖଣ୍ଡକୁ ନିଜର ବୋଲି ଦାବୀ କରିଛି । ଆଲୋଚନା ଦ୍ୱାରା ଦୁଇ ଦେଶ ନିଜନିଜର ସେନାକୁ ଦୁଇରୁ ଅଢେଇ କିମି ପର୍ଯ୍ୟନ୍ତ ହଟାଇ ନେବା ବା ଅପସାରଣ କରି ନେବା ପାଇଁ ଗତ ୬ ତାରିଖ ଦିନ ନିଷ୍ପତି ନେଇଥିବା ବେଳେ ହଠାତ ଚୀନ ସେନା ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିବାର କାରଣ ବୁଝାପଡୁନାହିଁ । ସ୍ୱଳ୍ପ ସଂଖ୍ୟାକ ଭାରତୀୟ ଯବାନ ସୀମାନ୍ତ ପରିସ୍ଥିତି ଅନୁଧ୍ୟାନ କରୁଥିବାବେଳେ ହଠାତ ଚୀନ ସେନା ଲୁହାରଡ, ଠେଙ୍ଗା ଧରି ଆକ୍ରମଣ କରିଥିଲେ । ସେଠାରେ ୨ଜଣ ଯବାନ ସହୀଦ୍ ହେବାପରେ ଅଧିକ ସଂଖ୍ୟାକ ଯବାନ ପହଁଚି ପାଲଟା ଯବାବ ଦେଇଥିଲେ ।

ତେବେ ଏହା ସତ୍ୟ ଯେ, ଚୀନ ଯାହା କହେ, ତା’ କରେ ନାହିଁ । ଏହା ହିଁ ହେଉଛି ଚୀନର ଚରିତ୍ର । ଚୀନ ନିଜର କଥା କାର୍ଯ୍ୟରେ ପରିଣତ ନକରିବା ପର୍ଯ୍ୟନ୍ତ, ଭାରତ ସତର୍କ ରହିବା ଉଚିତ୍ । ଯାହାକି ଗଲୱାନ ସଂଘର୍ଷ ମହାଶିକ୍ଷା ଦେଇଛି ବୋଲି କୁହାଯାଇପାରିବ । କେବଳ ଏତିକି ନୁହେଁ, ଚୀନର ପ୍ରରୋଚନାରେ ନେପାଳର ଏହି ସରକାର ବିହାରର ସୀତା ମାଝୀ ସଂଲଗ୍ନ ଭାରତୀୟ ଭୂଖଣ୍ଡକୁ ନିଜର ବୋଲି ଦାବି କରିବା ସହ ଦେଶରେ ପାର୍ଲିଆମେଂଟରେ ସଂବିଧାନ ସଂଶୋଧନ କରାଇ ନୂତନ ମାନଚିତ୍ର ଜାରି କରିଛି । ନିକଟରେ ନେପାଳ ପୋଲିସର ଗୁଳିରେ ଜଣେ ଭାରତୀୟ ନାଗରିକର ମୃତୁ୍ୟ ଘଟିବା ସହ ୨ଜଣ ଆହତ ହୋଇଛନ୍ତି । ନେପାଳ ସହ ଭାରତର ସଂପର୍କ କଣ ନେପାଳବାସୀ ଜାଣନ୍ତି ।

ତେବେ ଚୀନ ପ୍ରରୋଚନାରେ ଏହି ସରକାରଙ୍କର ଭାରତ ବିରୋଧ ଆଭିମୁଖ୍ୟ ନେପାଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ଏହା ସମୟ କହିବ । ଏହା ସତ୍ୟ ଯେ, ସୋଭିଏତ ୟୁନିୟନର ବିଲୟ ପରେ ଏସୀୟ ମହାଦେଶର ଏକ ବୃହତ ଶକ୍ତି ଭାବେ ନିଜକୁ ପ୍ରତିପାଦିତ କରିବା ସହ ବିଶ୍ୱରେ ଏକ ଅର୍ଥନୈତିକ ରାଷ୍ଟ୍ର ଭାବେ ଉଭା ହୋଇଛି । ଚୀନ ସାମଗ୍ରୀର ଚାହିଦା ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ବଢିବାରେ ଲାଗିଛି । ଚୀନ ବଜାରର ଏକ ବୃହତ ରାଷ୍ଟ୍ର ହେଉଛି ଭାରତ । ଭାରତ ପାଇଁ ଚୀନର ଅର୍ଥନୀତି ଆଜି ସୁଦୃଢ । ଭାରତରେ ଉତେଜନା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରୁଥିବା ଚୀନକୁ ଉଚିତ୍ ଶିକ୍ଷା ଦେବାର ସମୟ ଆସିଛି । ଚୀନ ସାମଗ୍ରୀ ବର୍ଜନ କରିବା ପାଇଁ ପ୍ରତ୍ୟେକ ଭାରତୀୟ ସଂକଳ୍ପ ନେବା ସମୟ ଆସିଛି । ଯାହାକି ଉଦ୍ଧତ ଚୀନ ପାଇଁ ଯେଷାକୁ ତେଷା ଦେବ । ଚୀନ ସାମଗ୍ରୀ ବର୍ଜନ ପ୍ରତ୍ୟେକ ଭାରତୀୟଙ୍କର କର୍ତବ୍ୟ ହେଉ । କଂଟାରେ ଲୁଗା ପକାଇ ବିବାଦ ସୃଷ୍ଟି କରିବା ଯା’ର ପ୍ରକୃତି, ତା’ ପ୍ରତି ସତର୍କ ରହିବା ସମୟ ଏବେ ଆସିଛି

Leave A Reply