ଛତ୍ରପୁର,୪/୮: ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ନିକଟ ଡୁବୁଲି ଛକ (ନୂଆମାଟିଖାଲ) ଓଡିଆରପି କଲୋନୀ ଠାରେ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଏକ ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଡି.ପୋଲାମ୍ମା (୨୭) ବୋଲି ଜଣାପଡିଛି । ମୃତ ମହିଳାଙ୍କ ନିହାତି ଗରିବ ଶ୍ରେଣୀର ହୋଇଥିବା ସହ ତିନୋଟି ଛୋଟ ଛୋଟ ସନ୍ତାନ ରହିଛି । ସେମାନଙ୍କ ଲାଳନ ପାଳନ ନିମନ୍ତେ କ୍ଷତିପୂରଣ ବାବଦରେ ଡୁବୁଲି ଛକ ଠାରେ କଣମଣା ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡୀ,ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍.ଲକ୍ଷ୍ମୀ, ଶ୍ରମିକ ନେତା କେ.ଏଲେୟା, ବି.ସିମାଦ୍ରୀ ଓ ଏ.ଭେଙ୍କଟ , ଯୁବନେତା ବିମଳ କୁମାର ପଣ୍ଡା,ଜି.ଜଗନ୍ନାଥ,ପି.ରାମବାବୁ , କେ.ଦାଶରଥୀ ଓ ଏନ୍.ଦୀନବନ୍ଧୁ, ମତ୍ସ୍ୟଜୀବୀ ନେତା ଏମ୍.ଗୁମାଲୀ, ବି.ଭୀମସେନ, ଗ୍ରାମ୍ୟ କମିଟିର ଏମ୍.ଏରେୟା, ଡି.ମାସିୟାନଙ୍କ ସମେତ ଦୁଇଗ୍ରାମବାସୀ ପ୍ରମୁଖ ଆନ୍ଦୋଳନ କରିଥିଲେ ।
ଘଟଣା ସ୍ଥଳେ ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତା, ସାମୁଦ୍ରିକ ଥାନା ଅଧିକାରୀ ଶର୍ମିଷ୍ଟା ପ୍ରଧାନ, ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ୍ କୁମାର ପ୍ରଧାନ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ସୂଚନା ପାଇ ଓଏସ୍ଏଲ୍ କମ୍ପାନୀର ଡିଜିଏମ୍ କେ.ହରିନାଥ ଘଟଣା ସ୍ଥଳେ ପହଞ୍ଚି ମୃତ ପରିବାରଙ୍କୁ କ୍ଷତିପୂରଣ ବାବଦରେ ଆଲୋଚନା କରିଥିଲେ । ପୁଲିସ, ପ୍ରଶାସନ, ଗ୍ରାମବାସୀ, ଶ୍ରମିକନେତା ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ମୃତକଙ୍କ ପରିବାକୁ କ୍ଷତିପୂରଣ ବାବାଦରେ ଓଏସ୍ଏଲ୍ କମ୍ପାନୀ ୧୩ ଲକ୍ଷ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଜି ଏକଲକ୍ଷ ଟଙ୍କା ନଗଦ ରାଶି ପ୍ରଦାନ କରାଯାଇଥିଲା । ଆସନ୍ତା ୫ଦିନ ମଧ୍ୟରେ ମୃତକଙ୍କ ସ୍ୱାମୀଙ୍କ ବ୍ୟାଙ୍କ୍ ଜମାଖାତାରେ ବାକି ୧୨ ଲକ୍ଷ ଟଙ୍କା ପୈଠ କରାଯିବ ବୋଲି ଏକ ଚୁକ୍ତିନାମା ପତ୍ରରେ ଦର୍ଶାଯାଇଛି ।
ଏହାପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ଓହରିଥିଲେ । ପରେ ଏକ ମାମଲା ରୁଜୁକରି ମହିଳାଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା । ମିଳିଥିବା ସୂଚନାନୁସାରେ, ସାନଆର୍ଯ୍ୟପଲ୍ଲୀ ଗ୍ରାମର ଡି.ବାବାଜୀଙ୍କ ପତ୍ନୀ ଡି.ପୋଲାମ୍ମା ତାଙ୍କର ପୁଅର ଶରୀର ଅସୁସ୍ଥା ହେତୁ ଗୋପାଳପୁର ମେଡିକାଲ କୁ ନିଜର ସଂପର୍କୀୟ ଡି.ଜାଙ୍ଗାଲୀଙ୍କ ସହ ଏକ ବାଇକ୍ରେ ଯାଉଥିବା ବେଳେ ଓଏସ୍ଏଲ୍ କମ୍ପାନୀର ଓଡି୦୨ଏକେ-୩୬୫୫ ନମ୍ବର ଏକ ହାଇୱା ବାଇକ୍ ପଛକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳେ ଡି.ପୋଲାମ୍ମା ଙ୍କ ମୃତ୍ୟୁ ହୋଇଥିଲା ଏବଂ ଜାଙ୍ଗାଲୀ ଆହାତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତଥିଲା ଦଶମାସର ଛୋଟ ଶିଶୁ ପୁଅ ।