Odisha news

ଲୋକଙ୍କ ସେବାରେ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର

0

ଛତ୍ରପୁର ୪/୮: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ୫ ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍ ର ଶୁଭାରମ୍ଭ କରିଛନ୍ତି  ।   ଟାଟା ଷ୍ଟିଲ୍ ଏସ୍.ଇ.ଜେଡ୍. ଯୋଜନାରୁ ଏହି ୫ ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳନା କରାଯିବ  । ଏହି ଭ୍ରାମ୍ୟମାଣ ମୋବାଇଲ୍ ସେବାରେ ଡାକ୍ତର, ଫାର୍ମାସିଷ୍ଟ, ସ୍ବାସ୍ଥ୍ୟକର୍ମୀ ସେବା ଯୋଗାଇବେ  । ଟାଟା ଦ୍ବାରା ପ୍ରଦତ୍ତ ଏହି ୫ ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍ ଗୁଡିକରେ ଅକ୍ସିଜେନ୍ ସୁବିଧା ରହିଛି  । ଏହା ମୋବାଇଲ୍ କ୍ଲିନିକ୍ ଭଳି କାର୍ଯ୍ୟ କରିବ  । ସାଧାରଣ ଚିକିତ୍ସା ମଧ୍ୟ ଏହି ଭ୍ୟାନ୍ ରୁ ମିଳିପାରିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ . ।

ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଖଣ୍ଡକୁ ଗୋଟିଏ ଲେଖାଏଁ ଭ୍ୟାନ୍ ଓ  ବ୍ରହ୍ମପୁର ମହାନଗର ଅଞ୍ଚଳବାସୀଙ୍କ ନିମନ୍ତେ ଦୁଇଗୋଟି ଭ୍ୟାନ୍ ସେବା ଯୋଗାଇଦେବ  । ପ୍ରକାଶ ଥାଉକି ଯେ ପଞ୍ଚାୟତ ସ୍ତରରେ ୮୯ ଗୋଟି, ଅକ୍ସିଜେନ୍ ସୁବିଧା ଥାଇ ୩୩ ଗୋଟି ଏବଂ ଶବ ବୋହିନେବା ଦିଗରେ ୧୧ ଗୋଟି ଏହିପରି ସମୁଦାୟ ୧୩୩ ଗୋଟି ଆମ୍ବୁଲାନ୍ସ ସେବା ଜିଲ୍ଲାରେ ପୂର୍ବରୁ ଯୋଗାଇ ଦିଆଯାଇଛି  ।    ଗତ ଜୁଲାଇ ୧୩ ଠାରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆମ୍ବୁଲାନ୍ସ ପରିଚାଳନା କେନ୍ଦ୍ର ଖୋଲାଯାଇ ସେବା ପ୍ରଦାନ କରାଯାଉଛି  ।

ଏ ଯାବତ୍ ୨୦୧ ଗୋଟି ସେବା ପ୍ରଦାନ କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ବାଳ ଉପସ୍ଥିତ ରହି ଅବଗତ କରାଇଥିଲେ  ।  ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ର ବରିଷ୍ଠ ପରିଚାଳକ ସଂଜୀବ କୁମାର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ପରିଡା, ମୁଖ୍ୟ ସ୍ବାସ୍ଥ୍ୟ ପରିଚାଳକ ନରସିଂହ ସାହୁ  ଉପସ୍ଥିତ ଥିଲେ  ।

Leave A Reply