Odisha news

ପ୍ରବେଶ ପଥ ସିଲ୍ ପାଇଁ ଡାକ୍ତରଖାନାରେ ପହଞ୍ଚିବା ବିଳମ୍ବ ଯୋଗୁଁ ଦୁଇ ମୃତ , ଗ୍ରାମାଞ୍ଚଳର ଲୋକଙ୍କ ବିକଳ୍ପ ବ୍ୟବସ୍ଥା କରି ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଉ ; ପୂର୍ବତନ ବିଧାୟକ

0

ଛତ୍ରପୁର :  ଛତ୍ରପୁର ସହରର ଆଖାପାଖରେ ଥିବା ଗ୍ରାମାଞ୍ଚଳର ଜନସାଧାରଣଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଜରୁରୀକାଳୀନ ସୁବିଧାର ବ୍ୟବସ୍ଥା ନ କରି କିଭଳି ଛତ୍ରପୁର ସହରର ସମସ୍ତ ପ୍ରେବଶ ପଥକୁ ସିଲ୍ କରାଯାଇଛି ବୋଲି ପୂର୍ବତନ ବିଧାୟକ ତଥା ବରିଷ୍ଠ କମୁ୍ୟନିଷ୍ଟ ନେତା ଏନ୍.ନାରାୟଣ ରେଡ୍ଡୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ପୁଲିସର ଏଭଳି ଦାୟିତ୍ୱହୀନତା ପାଇଁ ସଠିକ୍ ସମୟରେ ସ୍ୱାସ୍ଥ୍ୟ ସେବା ନ ପାଇ ଦୁଇ ଦୁଇଟି ଜୀବନ ହାନୀ ଘଟିଛି । ଛତ୍ରପୁର ସହରର ସଂଲଗ୍ନ ଥିବା ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଥିବା ଯୋଗୁଁ ଅସୁସ୍ଥତା ଜନିତ କାରଣ ନେଇ ଦୁଇଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ଠିକ୍ ସମୟରେ ପହଞ୍ଚି ନପାରିଥିବାରୁ ସେମାନଙ୍କ ମୃତୁ୍ୟ ହୋଇଥିଲା ।

ସେମାନେ ହେଲେ ଚିକଲଖଣ୍ଡି ପଞ୍ଚାୟତର ଜଣେ ବରିଷ୍ଠ ଶିକ୍ଷକ ରମାକାନ୍ତ ପଟ୍ଟନାୟକ(୫୯) ଓ ଏମ୍.ସାବିତ୍ରୀ(୬୨) । ମୃତ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଆଣିବା ପାଇଁ ସେମାନଙ୍କ ବାସଭବନ ଠାରୁ ବହୁବାଟ ଧରି ବୁଲାଇ ବୁଲାଇ ଆଣିବା ବେଳେ ବିଳମ୍ବ ହୋଇଥିବାରୁ ଡାକ୍ତରଖାନାରେ ହିଁ ସେମାନଙ୍କ ମୃତୁ୍ୟ ଘଟିଥିଲା । ଏଥିପାଇଁ କେବଳ ପୁଲିସ ଓ ପ୍ରଶାସନ ଦାୟୀ ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି । ଜିଲ୍ଲା ପ୍ରଶାସନ ପ୍ରଥମେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରନ୍ତୁ, ତା’ପରେ ସେମାନଙ୍କ ଯେଉଁ ରାସ୍ତା ବନ୍ଦ କରିବାର ଅଛି କରାଯାଉ ସେଥିରେ କାହାରି ଆପତ୍ତି ଅଭିଯୋଗ ନାହିଁ । କରୋନା ଲୋକଙ୍କ ପାଇଁ ଯେତେ ଭୟଭୀତ କରିଛି ତା’ଠାରୁ ଅଧିକା ପୁଲିସ ଓ ପ୍ରଶାସନ ଜନସାଧାରଣଙ୍କ ପାଇଁ କଠୋର ହୋଇଛନ୍ତି । ଛତ୍ରପୁର ଡାକ୍ତରଖାନାରେ ରୋଗୀଙ୍କୁ ଉତ୍ତମ ସେବା ମିଳୁନାହିଁ । ରାଜ୍ୟ ସରକାର ଟେଲି ମେଡିସିନି ସେବା ପ୍ରଚଳନ କରିଛନ୍ତି ।

ସାଧାରଣ ରୋଗ ପାଇଁ ଟେଲି ସେବା ଦ୍ୱାରା ଡାକ୍ତରଙ୍କ ଠାରୁ ପରାମର୍ଶ ନେବେ ସତ କିନ୍ତୁ ଡାକ୍ତର କହିବାନୁସାରେ ଔଷଧ ଆଣିବା ପାଇଁ ସହରକୁ ଲୋକ ଯାଇପାରୁନାହାନ୍ତି । ଏଣୁ ସହରକୁ ଲାଗି ରହିଥିବା ଗ୍ରାମାଞ୍ଚଳରେ ଅତ୍ୟନ୍ତ ଜଣେ ଜଣେ ଫାର୍ମାସିଷ୍ଟଙ୍କୁ ନିୟୋଜିତ କରାଯାଉ । ଲୋକଙ୍କ ସାଧାରଣ ରୋଗ ପାଇଁ ଔଷଧ ଖଣ୍ଡେ ଦେଇପାରିବେ । ଅତ୍ୟାବଶକୀୟ ସାମଗ୍ରୀ ଗାଁରେ ସୁବିଧାରେ ପହଞ୍ଚାଇବା ବ୍ୟବସ୍ଥା । ଏଥିସହ ଲୋକମାନଙ୍କ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ସାଇକେଲ କିମ୍ବା ଦୁଇଚକିଆ ଯାନ ଯାତାୟତ ପାଇଁ ବାଟ ଦେବାର ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ରେଡ୍ଡୀ ଦାବି କରିଛନ୍ତି । କରୋନା ଲକ୍ଷଣ ରହିଥିବା ବ୍ୟକ୍ତିମାନଙ୍କ ଯେତେବେଳେ ସ୍ୱାବ୍ ପରୀକ୍ଷା କରାଯାଉଛି ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ଲୋକଙ୍କୁ ନ ମିଶିବା ପାଇଁ ସଚେତନତା କରାଯାଉ ନାହିଁ । ସ୍ୱାବ୍ ପରୀକ୍ଷା ରିପୋର୍ଟ ବିଳମ୍ବରେ ଆସୁଥିବା ଯୋଗୁଁ ସେମାନେ ଅନ୍ୟମାନଙ୍କ ମିଶାମିଶି କରି ଅଞ୍ଚଳକୁ ଆହୁରୀ ଅସୁବିଧାରେ ପକାଉଛନ୍ତି । ସେହିପରି ପଜିଟିଭ୍ ବ୍ୟକ୍ତିଙ୍କ କିମ୍ବା ଚିକିତ୍ସା ସାରି ଫେରୁଥିବା ବ୍ୟକ୍ତିଙ୍କୁ ପଜିଟିଭ୍ କିମ୍ବା ନେଗେଟିଭ୍ ପ୍ରମାଣ ପତ୍ର ଦିଆଯାଉ ନାହିଁ ।

ଏସବୁ ବ୍ୟବସ୍ଥା ପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଶ୍ରୀ ରେଡ୍ଡୀ ଦାବି କରିଛନ୍ତି । କରୋନାରେ ମୃତୁ୍ୟ ବରଣ କଲେ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ଘୋଷଣା କରିଥିଲେ ସୁଦ୍ଧା  ଆଜି ପର୍ଯ୍ୟନ୍ତ ହିଞ୍ଜିଳିର ଜଣେ ସାମ୍ବାଦିକଙ୍କ ମୃତୁ୍ୟ ହୋଇଛି ମୃତକଙ୍କ ପରିବାକୁ ସହାୟତା ପ୍ରଦାନ କରାଯାଇ ନାହିଁ । ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ସେମାନଙ୍କ ମୃତୁ୍ୟ ହେଲେ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ସେ ଦାବି କରିଛନ୍ତି । ଏହାସହ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ହୁ ହୁ ହୋଇ ବଢୁଥିବାରୁ  ଏହାକୁ ଦୃଷ୍ଟିରେ ରଖି ଛତ୍ରପୁର , ଆସିକା ଓ ଭଂଜନଗର ଅଂଚଳରେ କୋଭିଡ ହସ୍ପିଟାଲ କରିବାକୁ ମଧ୍ୟ ସେ ଦାବୀ କରିଛନ୍ତି ।       ଶ୍ରୀ ରେଡ୍ଡୀ ଆହୁରୀ କହିଛନ୍ତି ଯେ, କରୋନା ଦିନକୁ ଦିନ ଜନସାଧାରଣଙ୍କ ଭୟ ବଢାଇଛି । ଏହା ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ପୁଲିସ ମଧ୍ୟ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ପ୍ରତି କଟକଣା ଜାରି କରିଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ରଖିବା ସହ ନୀରିହ ଜନସାଧାରଣଙ୍କ ବଞ୍ଚିବା ପାଇଁ ପୁଲିସ ଓ ପ୍ରଶାସନ ବିଭିନ୍ନ ବ୍ୟବସ୍ଥା କରିବା ମଧ୍ୟ ଚିନ୍ତା କରିବାକୁ ହେବ ।

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରକୁ ସଂଲଗ୍ନ ଥିବା ସମସ୍ତ ପ୍ରବେଶ ପଥକୁ ପୁଲିସ ଓ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । କେବେଳ ଡିଆରଡିଏ ଛକରେ ପ୍ରବେଶ ଏବଂ ନୂଆ ବସଷ୍ଟାଣ୍ଡ ଠାରେ ପ୍ରସ୍ଥାନ ପାଇଁ ସହରକୁ ପ୍ରବେଶ ପାଇଁ ଦୁଇଟି ପ୍ରବେଶ ପଥ ଖୋଲା ରହିଛି । ସେଠାରେ ପୁଲିସ ଅସ୍ଥାୟୀ ଚେକ୍ ପୋଷ୍ଟ ସ୍ଥାପିତ କରିଛି । ଏହି ଚେକ୍ ପୋଷ୍ଟରେ ଅତ୍ୟାବଶ୍ୟକ ସାମଗ୍ରୀ ଚାଲଣ ଏବଂ ଅନୁମତି ଥିବା ଗାଡିକୁ ଛଡା ଯାଇଥାଏ ।

 

 

 

 

Leave A Reply