ଛତ୍ରପୁର,୬/୧୧: ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶାଳ ଆଇନସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆଇନ ସେବା ପ୍ରାଧିକରଣ (କଟକ), ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ଦୌରାଜଜ୍ (ବ୍ରହ୍ମପୁର) ଗଂଜାମ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଗଂଜାମ) ଅଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭାରତ ଦେଶ ଏକ ବୃହତ୍ତର ରାଷ୍ଟ୍ର । ଦେଶର ଆଇନ ସମସ୍ତଙ୍କ ପାଇଁ ସମାନ ରହିଛି । ଦେଶରେ ୧୯୮୭ ମସିହାରେ ଆଇନ ସେବା ପ୍ରାଧିକରଣର ମୂଳ ଦୁଆ ପଡିଥିଲା । ଏହି ଆଇନ ପ୍ରାଧିକରଣର ମୁଳ ଲକ୍ଷ୍ୟ ହେଲା ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ କିପରି ସମସ୍ତ ହିତାଧିକାରୀ ମାନେ ସୁବିଧାରେ ପାଇବେ ସେଥି ନିମନ୍ତେ କାର୍ଯ୍ୟ କରିବା ସହିତ ସଚେତନତା କରିବା । ଯଦି କୌଣସି ଲୋକ ଆଇନ, ସ୍ୱାସ୍ଥ୍ୟ, ପାନୀୟ ଜଳ, ଖାଦ୍ୟ ଓ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଂଚିତ ରହିଥିବ ସେମାନଙ୍କ ପାଇ ଆଇନ ପ୍ରାଧିକରଣରେ ନିୟୋଜିତ ଥିବା ସଭ୍ୟ, ସଭ୍ୟା ମାନେ ମାଗଣାରେ କାର୍ଯ୍ୟ କରିବେ । ଯାହାର ସେବାର ମନୋବୃତ୍ତି ରହିବ ସେମାନେ ପ୍ରକୃତରେ ଲୋକଙ୍କୁ ସେବା ଦେଇପାରିବେ ବୋଲି ମଧ୍ୟ ସେ କହିଥିଲେ । ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରି ଏହାର ସୁଫଳ କିପରି ସାଧାରଣ ନାଗରିକ ତଥା ଅପହଞ୍ଚ ଇଲାକାର ପରିବାରବର୍ଗ ପାଇପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଶିବିରରେ ଉପସ୍ଥିତ ଥିବା ଜନ ସାଧାରଣ ମାନେ ଉଚିତ୍ ସଚେତନ ହେବା ନିମନ୍ତେ ଏହି କାର୍ଯ୍ୟକ୍ରମର ମୁଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ସମ୍ମାନିତ ଅତିଥି ରୂପେ ଜିଲ୍ଲା ଅତିରିକ୍ତ ଦୈାରାଜଜ୍ (ଛତ୍ରପୁର) ତଥା ଛତ୍ରପୁର ତାଲୁକା ଆଇନ ସେବା କମିଟି ଅଧ୍ୟକ୍ଷ ମନୋରଂଜନ ଦାଶ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଦୀପ କୁମାର ଦଳାଇ ଯୋଗ ଦେଇ ଏଭଳି ଶିବିର ମାନଙ୍କର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କୈଳାଶ ସାହୁ ସ୍ୱାଗତ ଭାଷଣ ପ୍ର୍ଦାନ କରିବା ସହ ଏହି ଶିବିରର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଭ୍ୟ ତଥା ସିନିୟର ଆଡଭୋକେଟ ଟି. କେ . ରେଡ୍ଡୀ ଏହି ବିଶାଳ ଆଇନ ସେବା ଓ ସଚେତନତା ଶିବିର ସମ୍ପର୍କରେ ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ ପୁଙ୍ଖାନୁପୁଙ୍ଖ ସଚେତନତା କରାଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ପାରା ଲିଗାଲ ଭଲିଣ୍ଟର ଜ୍ୟୋତି କୁମାର ସାହୁ ସଂଯୋଜନା କରିଥିଲେ ।
ଏହି ଶିବିରିରେ ୧୮ ରୁ ଉର୍ଦ୍ଧ୍ୱ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ସେବା ସମ୍ପର୍କରେ ଷ୍ଟଲ ମାନ ଖୋଲାଯାଇ ସେବା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ନିଜ ନିଜ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଜନ ସାଧାରଣ ମାନଙ୍କୁ ଅବଗତ କରାଇଥିଲେ । ଶେଷରେ ବିଭିନ୍ନ ବିଭାଗର ହିତାଧିକାରୀ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଉପସ୍ଥିତ ଜନ ସାଧାରଣ ମାନଙ୍କୁ ପ୍ରୋଜେକ୍ଟ ମାଧ୍ୟମରେ ଏହି ଶିବିରରେ ଏକ ସଚେତନତା ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ବହୁ ବିଚାରପତି, ଗଞ୍ଜାମ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, ବିଭୀନ୍ନ ବିଭାଗର ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।