ଛତ୍ରପୁର,୧୫/୧୨ : ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ଭିତ୍ତିଭୂମି ସଂକ୍ରାନ୍ତରେ ମଙ୍ଗଳବାର ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରାଯାଇଛି । ପ୍ରଶାସନିକ ସ୍ତରରେ ଏବଂ ଜିଲ୍ଲାର ମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କ ପ୍ରମୁଖ ଆଗତ କରିଥିବା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପ୍ରସ୍ତାବ ଉପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପର ଭିତ୍ତିଭୂମି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି ।
ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ ଏବଂ ୧୮ଟି ସହରାଞ୍ଚଳ ନିମନ୍ତେ ମଞ୍ଜୁରୀ ହୋଇଥିବା ପ୍ରକଳ୍ପ ଏବଂ ନୂତନ ପ୍ରକଳ୍ପ ଗୁଡିକ ନିମନ୍ତେ ଜମି, ଅନୁଦାନ ଖର୍ଚ୍ଚର ଆକଳନ ଏବଂ ପ୍ରକଳ୍ପ ନିମନ୍ତେ କରାଯାଇଥିବା ସର୍ଭେ ବିବରଣୀ ଉପରେ ଆଲୋଚନା କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସଂପୃକ୍ତ କିଛି ବିଭାଗୀୟ ଅଧିକାରୀମାନେ ଅନୁପସ୍ଥିତ ଥିବା ନେଇ ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଯେଉଁ ଅଧିକାରୀମାନେ ଅନୁପସ୍ଥିତ ଅଛନ୍ତି ଆସନ୍ତାକାଲି ସଂପୃକ୍ତ ପ୍ରକଳ୍ପ ଗୁଡିକର ଭିତ୍ତିଭୂମି ନେଇ ସମୀକ୍ଷା କରିବାକୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ପରାମର୍ଶ ଦେଇଥିଲେ । ଏଥିସହ ଉକ୍ତ ପ୍ରକଳ୍ପ ଗୁଡିକର ଅଗ୍ରଗତି ନିମନ୍ତେ ପ୍ରତ୍ୟେକ ସୋମବାର ଜିଲ୍ଲାପାଳ ନିଜେ ଏହା ନେଇ ଟିକିନିଖି ସମୀକ୍ଷା କରିବାକୁ କହିଛନ୍ତି ।
ରାଜ୍ୟ ସରକାର ଏଦିଗରେ ସ୍ୱତନ୍ତ୍ର ଫୋକସ ରଖିବା ସହ ଗଞ୍ଜାମ ଜିଲ୍ଲା ପାଇଁ ରହିଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ଯୁଦ୍ଧକାଳୀନ ମଧ୍ୟରେ ନିର୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ହେବ । ଏଣୁ ଏଥିଲାଗି ଯେପରି ସଂପୃକ୍ତ ବିଭାଗୀୟ ଅଧିକାରୀମାନେ କୌଣସି କ୍ଷେତ୍ରରେ ମଧୟ ଢିଲା ହେବାକୁ ହେବ ନାହିଁ । ଯେଉଁ ଅଧିକାରୀ ଟିକେ ଅବହେଳା କରନ୍ତି ସେମାନଙ୍କ ବିରୋଧରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କଡା ନିଦେ୍ର୍ଦଶ ଦେଇଛନ୍ତି । ନୂତନ ପ୍ରକଳ୍ପ ଲାଗି ଡିପିଆର ପ୍ରସ୍ତୁତ କରାଯିବ ସହ ପୂର୍ବରୁ ପ୍ରସ୍ତାବ ରହିଥିବା ପ୍ରକଳ୍ପ ଗୁଡିକର ସର୍ଭେ ଏବଂ ଅନୁଦାନ ଆକଳନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ କହିଛନ୍ତି । ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗୁଡିକରେ ଜଳସେଚନ, ପାନୀୟଜଳ ପ୍ରକଳ୍ପ, କଲ୍ୟାଣମଣ୍ଡପ, ନୂତନ ବସଷ୍ଟାଣ୍ଡ, ରାସ୍ତାଘାଟ, ଡ୍ରେନ୍, ରିଂ ରୋଡ୍, କେନାଲ, ଶୀତଳଭଣ୍ଡାର, ମେଗା ପାନୀୟ ଜଳ ପ୍ରକଳ୍ପ, ଓଭରବ୍ରିଜ୍ ଆଦି ବିଭିନ୍ନ ପ୍ରକଳ୍ପର ପ୍ରସ୍ତାବ ରହିଛି । ବିଶେଷ କରି ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜର ପୁନଃରୁଦ୍ଧାର ଏବଂ ମରାମତି ଲାଗି ୫୩ କୋଟିର ଏକ ଡିପିଆର ପ୍ରସ୍ତୁତ ହୋଇ ରାଜ୍ୟ ସରକାରଙ୍କୁ ପଠାଯାଇଛି ।
ସେହିପରି ଖଲ୍ଲିକୋଟ କଲେଜ ଏବଂ ଗେଟ୍ ବଜାର ଠାରେ ଦୁଇଗୋଟି ଫ୍ଲାଓଭର ବ୍ରିଜ୍ ନିର୍ମାଣ ହେବ । ଏଥିସହ ଜଗନ୍ନାଥପୁର ଓ ଆମ୍ବପୁଆ ରେଳ ଓଭରବ୍ରିଜ୍, ମା’ବାଳକୁମାରୀ ମନ୍ଦିର ଦର୍ଶନ ଲାଗି ୨୩୦ ପାହାଚ ଚଢି ଦର୍ଶନରେ ବରିଷ୍ଠ ନାଗରିକ ନିମନ୍ତେ ଏକ ଲିଫ୍ଟ ସହ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ରହିଛି । ସେହିପରି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଛତ୍ରପୁର ବ୍ଲକର କାଳିଆବାଲି ଠାରୁ ମାଧପୁର ପର୍ଯ୍ୟନ୍ତ ପିଏଚ୍ଡି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ ହୋଇ ଆସନ୍ତା ଫେବୃୟାରୀ ଠାରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ଏଥିସହ ରମ୍ଭା ଅଞ୍ଚଳରେ ପର୍ଯ୍ୟଟନ ସ୍ଥଳୀର ବିକାଶ ଲାଗି ରହିଥିବା ପ୍ରସ୍ତାବ, ଗଞ୍ଜାମ ସହରର କଲ୍ୟାଣମଣ୍ଡପ ଏବଂ ରମ୍ଭା ପାର୍କ ଆଦି ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ସିନେ୍ଦ ଦତ୍ତାତ୍ରେୟ ଭାଉସାହେବ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ଜ୍ୟୋତଶଙ୍କର ରାଏଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।