Odisha news

ରାଜନାପଲ୍ଲୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବା ପାଇଁ ଗ୍ରାମବାସୀଙ୍କ ଫେରାଦ

0

ଛତ୍ରପୁର,୨୫/୮: ଯେଉଁ ବିଦ୍ୟାଳୟରେ ୨୦ ଜଣ ଛାତ୍ରଛାତ୍ରୀଙ୍କ ଠାରୁ କମ୍ ପିଲା ପାଠ ପଢୁଛନ୍ତି ସରକାର ଉକ୍ତ ସ୍କୁଲକୁ ବନ୍ଦ କରି ନିକଟରେ ଥିବା ଅନ୍ୟତ୍ର ସ୍କୁଲରେ ବନ୍ଦ କରାଯାଇଥିବା ସ୍କୁଲର ଛାତ୍ରଛାତ୍ରୀଙ୍କୁ ଥଇଥାନା କରିବା ପାଇଁ ସ୍ଥିର କରିଛନ୍ତି । ଏହି ପ୍ରକ୍ରିୟାରେ ଗଞ୍ଜାମ ଜିଲ୍ଲାର ୪ ଶହରୁ ଅଧିକ ସ୍କୁଲ ଏବେ ବନ୍ଦ ହେବାକୁ ଯାଉଛି । ଏହି କ୍ରମରେ ଛତ୍ରପୁର ବ୍ଲକ ରାଜନାପଲ୍ଲୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ସରକାର ବନ୍ଦ କରିବାକୁ ଯୋଜନା କରିଛନ୍ତି ।

କିନ୍ତୁ ରାଜନାପଲ୍ଲୀ ଗ୍ରାମବାସୀଙ୍କ ଅଭିଯୋଗ ରହିଛି ଯେ, ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଏବେ ୨୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଛତ୍ରପୁର ବ୍ଲକ ଶିକ୍ଷା ବିଭାଗ ଗଲାବର୍ଷର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅନୁଯାୟୀ ସ୍କୁଲକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପକ୍ଷରେ ଏହି ଗ୍ରାମର ସ୍କୁଲକୁ ବନ୍ଦ କରି ଗ୍ରାମରେ ପଢୁଥିବା ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କୁ ୨ କିଲୋମିଟର ଦୂରରେ ଥିବ ଗେଦଲପଲ୍ଲୀ ଗ୍ରାମରେ ଥଇଥାନା କରିବାକୁ ଯୋଜନା ରଖିଛନ୍ତି । ଗ୍ରାମ ଠାରୁ ଗେଦଲପଲ୍ଲୀ ଗ୍ରାମକୁ ୨ କିଲୋମିଟର ରାସ୍ତା ମଧ୍ୟରେ ସଦାବେଳେ ଟ୍ରାକ, ଟ୍ରାକ୍ଟରେ ବାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ବୋଝେଇ ବଡ ଗାଡି ଗୁଡିକ ଯାତାୟତ ହେଉଥାଏ ଏବଂ ବିଭିନ୍ନ ହିଂସ୍ରଜନ୍ତୁ ମଧ୍ୟ ଏହି ରାସ୍ତାରେ ପାର କରୁଥାନ୍ତି ।

ଏଭଳି ପରିସ୍ଥିତିରେ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କୁ ମୃତ୍ୟୁମୁଖକୁ ଠେଲିଦେବା ଭଳି । ରାଜନାପଲ୍ଲୀ ଗ୍ରାମର ଛାତ୍ରଛାତ୍ରୀଙ୍କ ଉତ୍ତମ ପାଠପଢା ଲାଗି ୨୦୧୯/୨୦ ଶିକ୍ଷାବର୍ଷରେ ବ୍ରୋଞ୍ଜ୍ ଓ ରୌପ୍ୟ ପଦକ ହାସଲ କରିଛନ୍ତି । ଏଣୁ ସରକାର ଛୋଟ ପିଲାମାନଙ୍କ ଭବିଷ୍ୟତକୁ ଚିନ୍ତା କରି ପୁନଃ ବିଚାର କରି ଗ୍ରାମର ସ୍କୁଲକୁ ବନ୍ଦ ନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ଆଜି ଛତ୍ରପୁର ବ୍ଲକ ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏଦିଗରେ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଗ୍ରାମବାସୀ ସମୂହ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ବିପୁଳିଙ୍ଗି ପଞ୍ଚାୟତର ସମିତି ସଭ୍ୟ ଜୟଦେବ ଲେଙ୍କାଙ୍କ ନେତୃତ୍ୱରେ ଆସିଥିବା ଗ୍ରାମବାସୀ ଚେତାବନୀ ଦେଇଥିଲେ ।

Nalco
Leave A Reply