Odisha news

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପୁଣି ସନ୍ଦିଗ୍ଧ ଚିହ୍ନଟ : ୫ଜଣ ଠିକା କର୍ମଚାରୀଙ୍କୁ ଅଟକ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପୁଣି ସନ୍ଦିଗ୍ଧ ଚିହ୍ନଟ ହୋଇଥିବାର ଖବର ମିଳିଛି। କେନ୍ଦ୍ର ଭିତରୁ ୫ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ବାଲେଶ୍ୱର ପୁଲିସ। ପଡ଼ୋଶୀ ଦେଶର ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଯୋଗାଉଥିବା ଅଭିଯୋଗରେ ସେମାନଙ୍କୁ ଅଟକ ରଖାଯାଇଥିବା କୁହାଯାଉଛି। ଗତକାଲି ରାତିରେ ଠିକା କର୍ମଚାରୀଙ୍କ ଘରୁ ଉଠାଇ ଆଣିଛି ପୁଲିସ।
ସୂଚନା ଅନୁଯାୟୀ, ଅଟକ ୫ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବସନ୍ତ ବେହେରା, ଯିଏ ଲଞ୍ଚ ପ୍ୟାଡ୍ ୩( ଯେଉଁଠାରୁ ପୃଥ୍ୱୀ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥାଏ) ରେ ଏସି ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍ ଆସିବା ସହ ସେଠାରୁ ବାହାରକୁ ମଧ୍ୟ କଲ୍ ଯାଉଥିବା ଗୁଇନ୍ଦା ବିଭାଗ ଟ୍ରାକ୍ କରିଥିଲା। ପଡ଼ୋଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଏହି ଫୋନ୍ କଲ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ସନ୍ଦେହ କରାଯାଉଛି। ରାଜସ୍ଥାନ ବର୍ଡର ନିକଟରୁ ଏହି ଅନ୍ତର୍ଜାତୀୟ କଲ୍ ଆସୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଜଣାପଡ଼ିବା ପରେ ବାଲେଶ୍ୱର ପୁଲିସ ହେଡକ୍ୱାର୍ଟରକୁ ଅବଗତ କରାଯାଇଥିଲା। ଖବର ପାଇବା ପରେ ବାଲେଶ୍ୱର ପୁଲିସ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ସେମାନଙ୍କୁ ରାତିଅଧିଆ ଘରୁ ଉଠାଇ ଆଣି ପଚରାଉଚରା କରୁଛି।

Comments are closed.