Odisha news

ଜେନାପୁର ଥାନା ଅଞ୍ଚଳରେ ପୁଣି ମାତିଲେଣି ଲୁହାପଥର ଚୋର : ଜଙ୍ଗଲ ଭିତରୁ ଶହେଟନରୁ ଉର୍ଦ୍ଧ୍ବ ଚୋରା ଲୁହାପଥର ଜବତ, ପ୍ରଭାବଶାଳୀଙ୍କ ସପୃକ୍ତି ନେଇ ଚର୍ଚ୍ଚା

0
ଚଣ୍ଡିଖୋଲ,୦୮/୦୪(ସବ୍ୟୁ) ଯାଜପୁର ଜିଲ୍ଲାର ଜେନାପୁର ଥାନା ପୋଲିସ ୬ ତାରିଖ ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଜିରା ପଞ୍ଚାୟତର ନୂଆସାହି ଜଙ୍ଗଲ ଭିତରୁ ପ୍ରାୟ ଶହେ ଟନରୁ ଊର୍ଦ୍ଧ୍ଵ ଚୋରା ଲୁହାପଥର ଜବତ କରିଛି! ଜବତ ଲୁହାପଥରର ଆନୁମାନିକ ମୂଲ୍ୟ ପ୍ରାୟ ୪ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି କୁହା ଯାଉଛି! ଉକ୍ତ ଥାନାର ଅଞ୍ଜିରା ପଞ୍ଚାୟତର ନୂଆ ସାହି ଜଙ୍ଗଲ ଭିତରେ ଚୋରମାନେ ଏହି ଲୁହାପଥରର ଠୁଳ କରିଥିବା ଖବରପାଇ ଜେନାପୁର ପୋଲିସ ତାହାକୁ ଜବତ କରିଥିଲା ! ତେବେ ଏହି ଲୁହା ପଥର କେଉଁ ଖଣିରୁ ଓ କେଉଁ ଟ୍ରକ ଦ୍ୱାରା ଏଠାକୁ ଆସିଲା ତାହା ଜଣାପଡି ନାହିଁ! ଏହି ଚୋରା କାରବାରରେ ସ୍ଥାନୀୟ ଅଞ୍ଚଳର ୩/୪ ଜଣ ଶାସକ ଦଳର ଛାମୁଆ ନେତା ଓ ବାହାରର ଖଣିଜ ମାଫିଆଙ୍କ ସପୃକ୍ତି ଥିବା ଆଲୋଚନା ହେଉଛି ! ଏଥିରେ ସ୍ଥାନୀୟ ଅଞ୍ଚଳର ଯେଉଁମାନେ ସପୃକ୍ତ ସେମାନେ ଗତକାଲି ଠାରୁ ନିଜ ନିଜର ମୋବାଇଲ ସୁଇଜ ଅପ କରି ଫେରାର ଥିବା ଜଣାପଡିଛି! ତେବେ ଲୁହାପଥର ପରିବହନ ପାଇଁ ଏବେ କଡାକଡି ଆଇନ ଲାଗୁହେବା ସହ ପରିବହନରେ ନିୟୋଜିତ ଗାଡିରେ ଜି ପି ଏସ ଲାଗିବା ବାଧ୍ୟତା ମୂଳକ ହୋଇଥିଲା ବେଳେ ଏହି ଲୁହାପଥର କିପରି ଚୋରି ହୋଇ ଏଠାକୁ ଆସିଲା ତାହା ଆଲୋଚନାର ବିଷୟ ହୋଇଛି ! ଏହି ଘଟଣା ପରେ ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏବେ ପୁଣି ଲୁହାପଥର ଚୋର ସକ୍ରିୟ ହୋଇଥିବା ପ୍ରମାଣ ମିଳିଛି! ଏଥି ପୂର୍ବରୁ ସ୍ଥାନୀୟ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଖଣିଜ ଚୋରଙ୍କ ପାଦୃଭାବ କମିଥିଲା ! ହେଲେ ଏବେ ମଉକା ପାଇ ଚୋରମାନେ ଲୁହାପଥର ପରିବହନ କରୁଥିବା ଗାଡିର ଡ୍ରାଇଭର ମାନଙ୍କୁ ହାତକରି ଖଣି ଅଞ୍ଚଳରୁ ଆସୁଥିବା ଲୁହାପଥର ବୋଝେଇ ଟ୍ରକରୁ ମୂଲ୍ୟବାନ ଲୁହାପଥର ଲୁଟିବା ଆରମ୍ଭ କରିଛନ୍ତି! ତେବେ ଏତେ ପରିମାଣର ଲୁହାପଥର ଜବତ ପରେ ତାହା ଉପରେ ଅଧିକ ଅନୁସନ୍ଧାନ କରିବାକୁ ଯାଜପୁର ଜିଲ୍ଲା ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିବା ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେବାସହ ଏଥିରେ ସପୃକ୍ତ ଚୋର ମାନଙ୍କୁ ଖୁବଶିଘ୍ର ଠାବ କରାଯିବ ବୋଲି କହିଛନ୍ତି!
Leave A Reply