Odisha news

ଜନ ସ୍ଵାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ନିର୍ମାଣରେ ବିଳମ୍ବ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲେ ଗ୍ରାମବାସୀ

0
ଚଣ୍ଡିଖୋଲ୨୫/୬ :  ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ବନ୍ଦାଳଠାରେ ନିର୍ମାଣାଧୀନ ଜନ ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ଅହେତୁକ ବିଳମ୍ବ ନେଇ ଜନ ଅସନ୍ତୋଷ ଦେଖାଦେଇଛି! ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମନମାନି ଯୋଗୁ  ଏହି ଜନ ସ୍ଵାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ନିର୍ମାଣରେ ଏପରି ଅହେତୁକ ବିଳମ୍ବ ଦେଖା ଦେଇଥିବା ଅଭିଯୋଗ ହୋଇଛି!  ଏଥିନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରି ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରି ତାହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ! ସୂଚନା ମୁତାବକ ବଡ଼ଚଣା ବ୍ଲକ ଅନ୍ତର୍ଗତ ବନ୍ଦାଳ ପଞ୍ଚାୟତର ବନ୍ଦଳ ଗ୍ରାମରେ ରାଜ୍ୟ ସରକାରଙ୍କ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଜନ ସ୍ଵାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ଗତ ଏକ ବର୍ଷ ପୂର୍ବରୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ! ତେବେ ଏଠାରେ ପାଇଖାନା ଟାଙ୍କି ନିର୍ମାଣ ପାଇଁ ସମସ୍ୟା ଉପୁଜିବାରୁ ଏହା ଅଦ୍ୟାବଧି ପୂର୍ଣ୍ଣାଙ୍ଗ ହୋଇ ପାରୁ ନାହିଁ ! ଏଥିପାଇଁ ଏହି ଗ୍ରାମର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସରୋଜ କୁମାର ମହାନ୍ତିଙ୍କୁ ଦାୟୀ କରି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି !ଗ୍ରାମବାସୀଙ୍କ କହିବା ମୁତାବକ ଏହି ଉପକେନ୍ଦ୍ର ଚାରି ପଟରେ ସରକାରୀ ଜାଗା ରହିଥିବା ବେଳେ କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜମି ନାହିଁ ! ହେଲେ ଶ୍ରୀ ମହାନ୍ତି ପାଇଖାନା ନିର୍ମାଣ ହେଉଥିବା ଜମିକୁ ତାଙ୍କ ଜାଗା ବୋଲି ଦାବିକରି ସେଠାରେ ନିର୍ମାଣ କାମ କରାଇ ଦେଉ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି! ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ତଦନ୍ତ ପୂର୍ବକ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନିର୍ମାଣ କାମକୁ ଶେଷ କରିବା ସହ ତାହାକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି!
Leave A Reply