କଂଗ୍ରେସକୁ ଅନୁସରଣ କରି ଓଡିଶାରେ ଛାତ୍ର ରାଜନୀତିକୁ ବନ୍ଦ କରିଦେଇଛି ବିଜେଡି
ଓଡିଶାର ଆଜିର ସ୍ଥିତିକୁ ଅନୁଧ୍ୟାନ କଲେ ୪୮ ବର୍ଷ ପୂର୍ବ ଜରୁରୀକାଳିନ ପରିସ୍ଥିତିକୁ ମନେ ପକାଉଛି
ରାଜ୍ୟର ବିକାଶ ପାଇଁ ସ୍ଥାନୀୟ ସିଭିଲ ସୋସାଇଟି, ରାଜନୈତିକ ଦଳ ଏବଂ ଗଣମାଧ୍ୟମର ଭୁମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ
ଭୁବନେଶ୍ୱର, ତା.୨୫/୦୬: ସମଗ୍ର ବିଶ୍ୱରେ ଭାରତୀୟ ଗଣତନ୍ତ୍ରର ପରିଚୟ ସ୍ୱତନ୍ତ୍ର । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଅଗଣିତ ସତ୍ୟାଗ୍ରହୀଙ୍କ ବଳିଦାନ ଅବିସ୍ମରଣୀୟ । ୪୮ ବର୍ଷ ପୂର୍ବେ ୧୯୭୫ ମସିହା ଜୁନ୍ ୨୫ ତାରିଖ ମଧ୍ୟରାତ୍ରୀରେ ସମ୍ବିଧାନ ଓ ଗଣତନ୍ତ୍ରକୁ ହତ୍ୟା କରି ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଦେଶରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିଲେ । ସମ୍ବିଧାନରେ ଦିଆଯାଇଥିବା ବ୍ୟକ୍ତିର ସ୍ୱାଧୀନତା, ଗଣମାଧ୍ୟମରର ସ୍ୱାଧୀନତା, ନ୍ୟାୟପାଳିକାର ସ୍ୱତନ୍ତ୍ରତା ସମେତ ମୈାଳିକ ଅଧିକାରକୁ ହତ୍ୟା କରି ଅଗଣତାନ୍ତ୍ରୀକ ଭାବେ ଶାସନ କ୍ଷମତାକୁ ଅକ୍ତିଆର କରିବାର ପ୍ରୟାସ କରାଯାଇଥିଲା । ବିଶେଷ ଭାବେ ଗଣମାଧ୍ୟମ ଓ ଛାତ୍ର ଆନେ୍ଦାଳନକୁ ଅଗଣତାନ୍ତ୍ରୀ ଭାବେ ଦମନ କରାଯାଇଥିଲା । ଏହି ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରୁଥିବା ଅଣକଂଗ୍ରେସ ରାଜନୈତିକ ଦଳର ନେତା, ସତ୍ୟାଗ୍ରହୀ, ବୁଦ୍ଧିଜୀବି ଏବଂ ପତ୍ରକାରମାନଙ୍କୁ ମିଶା ଆଇନ ବଳରେ ଜୋର ଜବସଦସ୍ତ ଜେଲକୁ ପଠାଇ ଦିଆଯାଇଥିଲା । ଜୟପ୍ରକାଶ ନାରାୟଣଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ମୋରାଜୀ ଦେଶାଇ, ଜର୍ଜ ଫର୍ଣ୍ଣାଣ୍ଡେଜ, ଚୈାଧୁରୀ ଚରଣ ସିଂହ, ବିଜୟାରାଜେ ସିନ୍ଧିଆ, ଅଶ୍ୱିନୀ ଚୈାବେ, ଅରୁଣ ଜେଟଲୀ ପ୍ରମୁଖ କାରାବାରଣ କରିଥିଲେ । ସେହିପରି ଓଡିଶାରେ ମଧ୍ୟ ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟ ପ୍ରମୁଖଙ୍କ ସମେତ ୧୨୦୦ରୁ ଉଦ୍ଧ୍ୱର୍ ସତ୍ୟାଗ୍ରହୀ ଏବଂ ୩୦୦ରୁ ଊଦ୍ଧ୍ୱର୍ ଛାତ୍ର, ଯୁବ ଓ ରାଜନେତାଙ୍କୁୁ ଗିରଫ କରାଯାଇ ଜେଲରେ ଭର୍ତି କରିଦିଆଯାଇଥିଲା । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ରାଜ୍ୟର ଅଗଣିତ ସତ୍ୟାଗ୍ରହୀଙ୍କ ବଳିଦାନ ଓ ଯୋଗଦାନ ଅବିସ୍ମରଣୀୟ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ନିଜ ଦଳର ଅଭ୍ୟନ୍ତରୀଣ ଗଣତନ୍ତ୍ରକୁ ହତ୍ୟା କରିଥିବା ଏବଂ ପରିବାରବାଦ୍ ରାଜନୀତିକୁ ବିଶ୍ୱାସ କରୁଥିବା ଆଜି କିଛି ରାଜନୈତିକ ଦଳ ଗଣତନ୍ତ୍ରକୁ ହତ୍ୟା କରିଥିବା ସେହି କଂଗ୍ରେସ ଦଳ ସହ ହାତ ମିଶାଇଛନ୍ତି । ଅତୀତର ଭୁଲ ପାଇଁ କଂଗ୍ରେସ ଦଳ କ୍ଷମାପ୍ରାର୍ଥନା ମଧ୍ୟ କରୁନାହିଁ । ଓଡିଶାରେ ମଧ୍ୟ ଶାସନ ବ୍ୟବସ୍ଥା ପଥଭ୍ରଷ୍ଟ ହୋଇ ଗଣତନ୍ତ୍ରକୁ ବିପଦରେ ପକାଇଛି । କଂଗ୍ରେସକୁ ଅନୁସରଣ କରି ଛାତ୍ର ରାଜନୀତିକୁ ବନ୍ଦ କରିଦିଆଯାଇଛି । ନିର୍ବାଚିତ ଜନପ୍ରତିନିଧିମାନେ ଅମଲାତନ୍ତ୍ର ନିକଟରେ ବନ୍ଧା ପଡିଛନ୍ତି । ଓଡିଶାର ଆଜିର ସ୍ଥିତିକୁ ଅନୁଧ୍ୟାନ କଲେ ୪୮ ବର୍ଷ ପୂର୍ବ ଜରୁରୀକାଳିନ ପରିସ୍ଥିତିକୁ ମନେ ପକାଉଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଦେଶର ନିର୍ଦ୍ଦିଷ୍ଟ ଗୋଟିଏ ପରିବାର ଶାସନ କ୍ଷମତାରେ ରହିବା ପାଇଁ ଦେଶର କୋଟି କୋଟି ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳୀ ଦେଇଥିଲେ । ଦୀର୍ଘ ୨୧ ମାସ ଧରି ଚାଲିଥିବା ଏହି ଜରୁରୀକାଳିନ ପରିସ୍ଥିତି ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଅଗଣତାନ୍ତ୍ରୀକ ଭାବେ ଗିରଫ କରାଯାଇ ଜେଲରେ ଭର୍ତି କରିଦିଆଯାଇଥିଲା । ବିଶେଷ ଭାବେ ଛାତ୍ର ଓ ଯୁବକମାନଙ୍କୁ ଗିରଫ କରାଯାଇ କଣ୍ଠରୋଧ କରାଯାଇଥିଲା । ସେହି ଦିନଠାରୁ ଭାରତର ଗଣତନ୍ତ୍ରରେ ଆଜିର ଦିନକୁ କଳା ଦିବସର ଆଖ୍ୟା ଦିଆଯାଇଛି । ଆଜିର ଯୁବପିଢୀ କଳାଦିବସର ମହତ୍ୱ ବିଷୟରେ ନିହାତି ଜାଣିରଖିବା ଉଚିତ୍ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ “ଜୁନ୍ ୨୫ ୧୯୭୫ – ଭାରତୀୟ ଗଣତନ୍ତ୍ରର ଅନ୍ଧକାର ଯୁଗ” ଜରୁରୀକାଳିନ ପରିସ୍ଥିତିକୁ କଳା ଦିବସ ଭାବେ ପାଳନ କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହାଇକୋର୍ଟର ବରିଷ୍ଠ ଓକିଲ ଡ.ଅଜିତ୍ ରଥ ଜରୁରୀକାଳିନ ପରିସ୍ଥିତି ସମୟରେ ଦେଖାଯାଇଥିବା ଆଇନଗତ ସମସ୍ୟା ଉପରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଶ୍ରୀ ରାଜାରାମ ଶତପଥୀ ସେ ସମୟରେ ଦେଖାଯାଇଥିବା ଗଣମାଧ୍ୟମ ସଂକଟ ଓ ଭୁମିକାକୁ ନେଇ ମତ ରଖିଥିଲେ । ଗଣତନ୍ତ୍ରର ମୂଲ୍ୟବୋଧକୁ ଆଜିକାର ଯୁବପିଢୀମାନଙ୍କ ଭିତରେ ଉଜ୍ଜିବୀତ ରଖିବା ପାଇଁ ଆଜିର ଏହି ଦିବସକୁ କଳାଦିବସ ଭାବେ ପାଳନ କରାଯାଉଛି । ନଚେତ୍ ଏକଛତ୍ରବାଦୀ ଶାସନକୁ ଆପଣାଇବା ପାଇଁ ଆମେ ସମସ୍ତେ ପୁଣି ଥରେ ବାଧ୍ୟ ହେବୁ । ସୁସ୍ଥ ଗଣତନ୍ତ୍ର ପାଇଁ ଗଣମାଧ୍ୟମର ଭୁମିକା ଅନେକ ରହିଛି । ଗୋଟିଏ ସମାଜ ବା ରାଜ୍ୟର ବିକାଶ ପାଇଁ ସିଭିଲ ସୋସାଇଟି ଜାଗ୍ରତ ହେବା ଉଚିତ୍ । ସେହିପରି ରାଜନୈତିକ ଦଳ ଏବଂ ଗଣମାଧ୍ୟମର ଭୁମିକା ମଧ୍ୟ ନିହାତି ମହତ୍ୱପୂର୍ଣ୍ଣ । ଜରୁରୀକାଳିନ ପରିସ୍ଥିତି ସମୟରେ ଗଣମାଧ୍ୟମ ଅନେକ ସଂଘର୍ଷ କରିଛି । ସୁସ୍ଥ ଗଣତନ୍ତ୍ରକୁ ବଜାୟ ରଖିବା ପାଇଁ ଭୟମୁକ୍ତ, ଚାପମୁକ୍ତ ଗଣମାଧ୍ୟମ ନିହାତି ଆବଶ୍ୟକ ବୋଲି ଶ୍ରୀ ଶତପଥୀ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ବୁଦ୍ଧିଜୀବୀ ପ୍ରକୋଷ୍ଠ ପକ୍ଷରୁ ଗଣତନ୍ତ୍ରର ସୁରକ୍ଷା ଦିବସ ପାଳନ କରାଯିବା ସହିତ ଜରୁରୀକାଳିନ ପରିସ୍ଥିତିରେ କାରାବରଣ କରିଥିବା ସଂଗ୍ରାମୀ ବନ୍ଧୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ବାର୍ତା ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ବୁଦ୍ଧିଜୀବି ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ସର୍ଜନ ଶର୍ମା ଧନ୍ୟବାଦ ଜ୍ଞାପନ କରିଥିଲେ ।