ଅସ୍ତ୍ରୋପଚାର ପରେ ଚିକିତ୍ସାରେ ଅବହେଳା : ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା, ଶବରଖି ୭ ଘଣ୍ଟାଧରି ଧାରଣା, ଅସ୍ତ୍ରୋପଚାରକଲେ ଡାକ୍ତର ହେଲେ ସିଲେଇକଲେ ଦିଦି
ଚଣ୍ଡିଖୋଲ,୨୦/୯ : ଯାଜପୁର ଜିଲ୍ଲାର ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଓ ଷ୍ଟାଫ ନର୍ସଙ୍କ ଚିକିତ୍ସାରେ ଅବହେଳା ପାଇଁ ଅସ୍ତ୍ରୋପଚାର ପରେ ଜଣେ ପ୍ରସୂତିଙ୍କ ମୃତ୍ୟ ଘଟିଛି! ଏହି ଅଭାବନୀୟ ଘଟଣାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମଙ୍ଗଳବାର ଦିନ ତମାମ ତିବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା! ମୃତ ପ୍ରସୂତିଙ୍କ ପରିବାର ଓ ସ୍ଥାନୀୟ ଲୋକେ ଡାକ୍ତରଖାନା ସମ୍ମୁଖରେ ଶବରଖି ଦୀର୍ଘ ୭ ଘଣ୍ଟାଧରି ଧାରଣାରେ ବସିବା ସାଙ୍ଗକୁ ସପୃକ୍ତ ଡାକ୍ତର ଓ ଦିଦିଙ୍କୁ ନିଲମ୍ବନ ସହ ମୃତା ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ! ମା ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାର ବହୁ ଯୋଜନା କରୁଛନ୍ତି ହେଲେସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ଡାକ୍ତର ଓ କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଅକାଳରେ ବହୁ ମା’ ଓ ଶିଶୁଙ୍କ ଜୀବନ ଚାଲି ଯାଉଛି! ଯାହା ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏବେ ଦେଖାଯାଇଛି! ସ୍ଥାନୀୟ ବଡ଼ଚଣା ଗ୍ରାମର ପ୍ରଶାନ୍ତ ବାହାଲିଆଙ୍କ ପତ୍ନୀ ରୋଜାଲିନଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସୋମବାର ଅପରାହ୍ନରେ ଏହି ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା! ରୋଜାଲିନଙ୍କୁ ପୂର୍ବରୁ ଚିକିତ୍ସା କରୁଥିବା ବଡ଼ଚଣା ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଡାକ୍ତର ମାନସ ଧଳ ତାଙ୍କୁ ଚିକିତ୍ସା ପାଇଁ ଆଡମିଶନ କରିଥିଲେ! ହେଲେ ରୋଜାଲିନ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ରୋଗୀଙ୍କ ଭିଡ ଦର୍ଶାଇ ଡାକ୍ତର ତାଙ୍କ ଚିକିତ୍ସାରେ ବିମ୍ବକରି ଶେଷରେ ଅସ୍ତ୍ରୋପଚାର କରିଥିଲେ! ଅସ୍ତ୍ରୋପଚାର ପରେ ତାଙ୍କର ଏକ ଶିଶୁ ସନ୍ତାନ ଜନ୍ମ ହୋଇଥିଲା! ତେବେ ଅସ୍ତ୍ରୋପଚାର ପରେ ଡାକ୍ତର ନିଜେ ତାଙ୍କର ଅସ୍ତ୍ରୋପଚାର ସ୍ଥାନକୁ ଷ୍ଟିଜ ନକରି ସେଠାରେ ଉପସ୍ଥିତ ଜୟନ୍ତୀ ସାମଲ ନାମକ ଜଣେ ଦିଦିଙ୍କୁ ଷ୍ଟିଜ କରିବା ପାଇଁ କହି ଚାଲି ଆସିଥିଲେ! ଦିଦିଙ୍କ ଷ୍ଟିଜ ପରେ ରୋଜାଲିଙ୍କ ଅସ୍ତ୍ରୋପଚାର ସ୍ଥାନରୁ ପ୍ରବଳ ରକ୍ତସ୍ରାବ ହୋଇ ଚାଲିଥିଲା!
ଏହି ଘଟଣା ପରେ ଡାକ୍ତର ଧଳ ତାଙ୍କୁ ଏକ ଇଞ୍ଜେକସନ ଦେଇ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରିଦେଇଥିଲେ! ବଡଚଣା ଡାକ୍ତର ଖାନାରୁ ଆମ୍ବୁଲାନ୍ସରେ ମାତ୍ର କିଛିବାଟ ଯିବାପରେ ରୋଜାଲିନଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି! ପରେ ମଙ୍ଗଳବାର ସକାଳୁ ରୋଜାଲିଙ୍କ ମୃତଦେହ ଧରି ତାଙ୍କ ସ୍ୱାମୀ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା! ତାଙ୍କ ପରିବାର ଓ ଶହ ଶହ ସଖ୍ୟରେ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଧାରଣାରେ ବସି ସପୃକ୍ତ ଡାକ୍ତର ମାନସ ଧଳ ଓ ଦିଦି ଜୟନ୍ତୀ ସାମଲଙ୍କ ଭୁଲ ଚିକିତ୍ସା ଓ ଅବହେଳା ପାଇଁ ରୋଜାଲିଙ୍କ ମୃତ୍ୟୁ ଘଟିଥିବାରୁ ସେମାନଙ୍କୁ ତୁରନ୍ତ ନିଲମ୍ବନ ସହ ଗିରଫ ପାଇଁ ଦାବି କରିଥିଲେ ଓ ମୃତା ରୋଜାଲିଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୃରଣ ପ୍ରଦାନଲାଗି ଅଡି ବସିଥିଲେ! ପରିସ୍ଥିତି ଜଟିଳ ହେବାରୁ ବଡଚଣା ଥାନା ପୋଲିସ ଓ ଯାଜପୁରରୋଡ ପୋଲିସ ଏସ ଡି ପି ଓ ଶସତ୍ର ପୋଲିସ ବାହିନୀ ଓ ମାଜିଷ୍ଟ୍ରେଟଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଥିଲେ!
ସନ୍ଧ୍ୟା ପ୍ରାୟ ୫ଟା ପର୍ଯ୍ୟନ୍ତ ଧାରଣା ଚାଲିବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରୋଜାଲିଙ୍କ ପରିବାରକୁ ତତ୍କାଳ ୨୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ସହ ସପୃକ୍ତ ଡାକ୍ତର ଓ ଦିଦିଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଥିଲା! ଏଥିସହ ସପୃକ୍ତ ଡାକ୍ତର ଓ ଦିଦିଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ଘୋଷଣା କରିବା ପରେ ଲୋକେ ଧାରଣା ପ୍ରତ୍ୟାହାର କରିଥିଲେ! ତେବେ ଡାକ୍ତର ଖାନାରେ ଏପିରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ମେଡିକାଲ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଶାୟତ ଜାଣିସୁଣି ଘଟଣା ସ୍ଥଳକୁ ନଆସି ଛୁଟିନେଇ ଚାଲିଯାଇଥିଲେ! ଏକଥା ଜଣାପଡିବାପରେ ଲୋକେ ଏଠାରୁ ତାଙ୍କୁ ତୁରନ୍ତ ହଟାଇବା ପାଇଁ ମଧ୍ୟ ଦାବି କରିଥିଲେ! ଶ୍ରୀ ପଶାୟତ ଏଠାରେ ମେଡିକାଲ ଅଫିସର ଭାବେ ନିଯୁକ୍ତି ପାଇବାପରେ ଡାକ୍ତର ଖାନାରେ ସୁରକ୍ଷା କର୍ମୀଙ୍କ ଆକ୍ରମଣରେ ମହିଳା ରୋଗୀ ଓ ତାଙ୍କ ଭାଇ ଲହୁ ଲୁହାଣ ହେବା, ନକଲି ଡାକ୍ତରଙ୍କ ଦ୍ୱାରା ରୋଗୀସେବା,ଦଲାଲିରାଜ ବୃଦ୍ଧିପାଇବା ଠାରୁ ଆରମ୍ଭକରୀ ବହୁ କେଳେଙ୍କାରି ବଢିଚାଲିଛି!ହେଲେ ସବୁ ଘଟଣାରେ ନିଜକୁ ନିର୍ଦ୍ଦୋଶ ସାବ୍ୟସ୍ଥ ପାଇଁ ଶ୍ରୀ ପଶାୟତ ବିଭିନ୍ନ ଆଳ ଦେଖାଉ ଥିବାରୁ ଧିରେ ଧିରେ ଉକ୍ତ ଘୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗରୀମାରେ କଳଙ୍କ ଲାଗିଥିବା ଲୋକେ ଅଭିଯୋଗ କରିଛନ୍ତି!