ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ହେବାକୁଥିବା ସିବିଏସଇ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ବଳକା ଥିବା ପରୀକ୍ଷାକୁ ବାତିଲ୍ କରିଦିଆଯାଇଛି। ଗୁରୁବାର ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିରେ ବୋର୍ଡ ଏହି ସୂଚନା ଦେଇଛତ। ସିବିଏସଇ ପକ୍ଷରୁ ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ, ଓଡ଼ିଶା ଓ ମହାରାଷ୍ଟ୍ର ସରକାର ପକ୍ଷରୁ ପରୀକ୍ଷା ନକରାଇବା ପାଇଁ ଯାଚିକା ଉପରେ ଆଡଭୋକେଟ୍ ଋଷି ମଲହୋତ୍ରା ଦଲିଲ୍ ପୈଠ କରିଥିଲେ। ସିବିଏସଇ ଦଶମ ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଦ୍ୱାଦଶ ପରୀକ୍ଷା ଏବ ଅପ୍ସନାଲ୍ ହେବ।
ସୂଚନାଯୋଗ୍ୟ, କରୋନା ସଙ୍କଟକୁ ଆଖି ଆଗରେ ରଖି ଅଭିଭାବକ ସିବିଏସଇ ପରୀକ୍ଷା ବାତିଲ୍ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ସୁରକ୍ଷା କାରଣରୁ ବାକି ଥିବା ସିବିଏସଇ ପରୀକ୍ଷା ନକରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଏହା ଉପରେ କୋର୍ଟରେ ଶୁଣାଣି ହୋଇଥିଲା।
ଏଚଆରଡି ମନ୍ତ୍ରାଳୟ ସହ ବୈଠକ ପରେ ବୋର୍ଡ ଅଧିକାରୀ କହିଥିଲେ, ଦଶମ ଶ୍ରେଣୀର ଇଣ୍ଟରନାଲ୍ ଆସେସମେଣ୍ଟର ଫଳାଫଳ ପ୍ରସ୍ତୁତ କରିବା ସହଜ। କିନ୍ତୁ ଦ୍ୱାଦଶ ଶ୍ରେଣୀରେ ଫଳାଫଳ ପ୍ରସ୍ତୁତ କରିବାରେ ସାମାନ୍ୟ ସମସ୍ୟା ହେବ। କାରଣ ଦ୍ୱାଦଶ ପରୀକ୍ଷା ଆଧାରରେ ଆଇଆଇଟି, ମେଡିକାଲ୍ ସମେତ ଅନ୍ୟ ଉଚ୍ଚ ଶିକ୍ଷା ସଂସ୍ଥାରେ ଆଡମିଶନ୍ ମିଳିଥାଏ।
ଏଥିପାଇଁ ବୋର୍ଡ ସୁପ୍ରିମ କୋର୍ଟରେ କହିଛି ଯେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ଦୁଇଟି ବିକଳ୍ପ ଦିଆଯିବ। ସେମାନଙ୍କୁ ସ୍କୁଲରେ ତିନୋଟି ପରୀକ୍ଷାରେ ପ୍ରଦର୍ଶନ ଆଧାରରେ ମାର୍କ ଦିଆଯିବ। ଏହାବ୍ୟତୀତ ସେମାନଙ୍କୁ କିଛି ମାସ ପରେ ହେବାକୁଥିବା ଇମ୍ପ୍ରୁଭମେଣ୍ଟ ପରୀକ୍ଷାରେ ସାମିଲ୍ ହେବା ପାଇଁ ମଧ୍ୟ ବିକଳ୍ପ ଦିଆଯିବ। ଯଦି ଛାତ୍ରମାନେ ଚାହିଁବେ, ତାହେଲେ ସେମାନେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ନେଇ ନିଜ ମାର୍କକୁ ଉନ୍ନତ କରିପାରିବେ।
ସୂଚନାଯୋଗ୍ୟ, ଫେବୃଆରୀ- ମାର୍ଚ୍ଚରେ ଚାଲିଥିବା ପରୀକ୍ଷାକୁ କରୋନା ମହାମାରୀ ଯୋଗୁ ସ୍ଥଗିତ କରାଯାଇଥିଲା। ଏହା ପରେ ସିବିଏସଇ ପରୀକ୍ଷା ଜୁଲାଇ ୧ରୁ ୧୫ ତାରିଖ କରାଯିବାକୁ ସ୍ଥିର ହୋଇଥିଲା। ଏଥିପାଇଁ ମଧ୍ୟ ବିସ୍ତୁତ ବିବରଣୀ ଜାରି କରାଯାଇଥିଲା।