ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ହିଞ୍ଜିଳିକାଟୁରେ ଥିବା ପୁରୁଣା ବସଷ୍ଟାଣ୍ଡକୁ ଭାଙ୍ଗି ୩କୋଟି ୨୧ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଦୀର୍ଘ ଦେଢ଼ ବର୍ଷ ହେଲା ନିର୍ମାଣଧୀନ ଥିବା ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସଦ୍ୟ ସମ୍ପୂର୍ଣ ହୋଇଛି।
ତେବେ ଉଦଘାଟନ ପୂର୍ବରୁ ପେଭର ବ୍ଲକ ରାସ୍ତା ବିଭିନ୍ନ ସ୍ଥାନରେ ଦବି ଯାଇଥିବା ଦେଖିବାକୁ ମିଳୁଛି। ପ୍ରକାଶ ଥାଉକି ଉଦଘାଟନ ହୋଇନଥିବାରୁ ଏବେ ଯାଏଁ ଏହା କାର୍ଯ୍ୟକ୍ଷମ ହୋଇନାହିଁ। ଯଦି ବ୍ୟବହାର ହେବା ପୂର୍ବରୁ ଏ ଅବସ୍ଥା ତାହା ହେଲେ କାର୍ଯ୍ୟକ୍ଷମ ହେବା ପରେ ଯେତେବେଳେ ଶହ ଶହ ସଂଖ୍ୟାରେ ଯାତ୍ରୀବାହୀ ବସ ୟା ଭିତରେ ପ୍ରବେଶ କରିବ ଏବଂ ଏହି ରାସ୍ତାରେ ଯିବା ଆସିବା କରିବ ତେବେ ଅବସ୍ଥା କ’ଣ ହେବ ତାହାକୁ ନେଇ ସାଧାରଣରେ ଅନେକ ଆଶା ଆଶଙ୍କା ଦେଖାଦେଇଛି।
ଅତି ନିମ୍ନମାନର ଏବଂ ଉପଯୁକ୍ତ ବୈଷୟିକ ଜ୍ଞାନ କୌଶଳର ଅଭାବରୁ ଏମିତି ହୋଇଥିବା ସ୍ପଷ୍ଟ ଅନୁମେୟ। ବସଷ୍ଟାଣ୍ଡ ନିର୍ମାଣ କାମରେ ସୂଚନା ଫଳକ ଲାଗିନଥିବା ନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର କିମ୍ୱା ବିଭାଗୀୟ ଅଧିକାରୀ ମାନଙ୍କର ଚେତା ପଶୁନାହିଁ। ତେବେ ଉଦଘାଟନ ହେବା ପୂର୍ବରୁ ଏହାର ଯାଞ୍ଚ କରାଯାଇ ତ୍ରୁଟି ସୁଧାରିବାକୁ ପ୍ରୟାସ କରାନଗଲେ ଏହା ବହୁ ବଡ଼ ବଡ଼ ଦୁର୍ଘଟଣାର କାରଣ ହୋଇ ପ୍ରଶାସନ ପାଇଁ ନାନା ଅଡୁଆ ସୃଷ୍ଟି କରିବ।