ବୁଗୁଡା : ତା ୨୮/୧୨/୨୨ : ବୁଗୁଡା ଥାନା ଅନ୍ତର୍ଗତ ବାଲିପଦର ମଶାଣି ନିକଟରେ ଏକ ବିଲରେ ଥିବା ଦୁଇ ଗଦା ଧାନ ଫସଲ ବୁଧବାର ଦିନ ଭୋର ସମୟରେ
ନିଆଁ ଲାଗି ସଂପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି। ପ୍ରକାଶ ଯେ, ବାଲିପଦର ଗ୍ରାମର ସୋମନାଥ ରାଉତ ତାଙ୍କର ଅଢେଇ ଏକର ଜମିରୁ ଧାନ ଫସଲ କାଟି ନିଜ ବିଲରେ ଦୁଇଟି ଗଦା କରି ରଖିଥିଲେ। କୌଣସି ଦୁର୍ବୃତ୍ତ ଈର୍ଷା ଭାବ ରଖି ତାଙ୍କ ଧାନ ଫସଲ ଗଦାରେ ନିଆଁ ଲଗାଇ ଦେବା ଫଳରେ ତାହା ସଂପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇ ବୁଗୁଡା ଅଗ୍ନିଶ୍ରମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇ ଥିଲେ। ଉକ୍ତ ଅଢେଇ ଏକର ଜମିରୁ ପ୍ରାୟ ୮୦ ବସ୍ତା ଧାନ ଆଦାୟ ହୋଇଥାନ୍ତା ।କିନ୍ତୁ ତାଙ୍କର ବର୍ଷକ ପାଇଁ ଆଦାୟ ହେବାକୁ ଥିବା ଧାନ ଫସଲ ନିଆଁ ଲାଗି ଜଳି ଯାଇଥିବା ଯୋଗୁଁ ସେ ଚିନ୍ତାରେ ପଢିଛନ୍ତି।ଏ ନେଇ ଚଷୀ ସୋମନାଥ ବାଲିପଦର ଫାଣ୍ଡିରେ ଅଭିଯୋଗ କରିଥିବା ସଂପର୍କରେ ଫାଣ୍ଡି ଅଧିକାରୀ ସମୀର ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।