ବୁଗୁଡ଼ା : ତା ୧୦/୦୭/୨୨ : ସଂପ୍ରତି ବୁଗୁଡ଼ା ସହରର ରାଜରାସ୍ତା ସମେତ ବିଭିନ୍ନ ଛକ ଜାଗାରେ ମାଳ ମାଳ ଗାଈଗୋରୁଙ୍କ ଭିଡ ସାଙ୍ଗକୁ ସେମାନଙ୍କ ଉପଦ୍ରଦ ଏବେ ସାଧାରଣ ଘଟଣା ପାଲଟିଛି । ଦିନ ରାତି ଚବିଶି ଘଣ୍ଟା ରାସ୍ତା ଉପରେ ଏହି ଗାଈଗୋରୁ ପଲ ରହୁଥିବାରୁ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେବା ସହ ଗୁରୁତର ଟ୍ରାଫିକ ସମସ୍ୟା ଉପୁଜୁଛି । ସହରର ବ୍ଲକ ଛକ, ମେଡିକାଲ ଛକ, ମଦନ ମୋହନ ଛକ, ପୁରୁଣା ବସଷ୍ଟାଣ୍ଡ, ନୁଆଁ ବସଷ୍ଟାଣ୍ଡ ଛକ, ହାଇସ୍କୁଲ ଛକ ଓ ବଡ଼ଦାଣ୍ଡ ସାହିରେ ପଲ ପଲ ଗାଈଗୋରୁ ଭିଡ଼ ଜମାଉ ଥିବାରୁ ଯାତାୟାତ ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଉପରେ ଗାଈ ଓ ଷଣ୍ଢ ମାନଙ୍କ ଉତ୍ପାତ ଯୋଗୁଁ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି ଏବଂ ବିଭିନ୍ନ ସମୟରେ ଗାଡି ମଟର ଧକ୍କାରେ ଗାଈଗୋରୁ ମଧ୍ୟ ଆହତ ହେଉଥିବା ଦେଖିବାକୁ ମିଳୁଛି । ସାଇକେଲ ଓ ବାଇକରେ ଲାଗିଥିବା ପରିବା ବ୍ୟାଗ୍ ଛିଣ୍ଡାଇ ଗାଈଗୋରୁ ଖାଇ ଯାଉଥିବା ବେଳେ ରାସ୍ତା ଉପରେ ଷଣ୍ଢ ଲଢେଇ ଯୋଗୁଁ ଗାଡି ମଟର କ୍ଷତିଗ୍ରସ୍ତ ହେଉଛି । ଏପରିକି ଗାଈଗୋରୁ ବିଲରେ ପଶି ଧାନ ତଳି ଖାଇବା ସହ ଦଳି ଚକଟି ନଷ୍ଟ କରୁଥିବା ନେଇ ଚାଷୀଙ୍କ ପକ୍ଷରୁ ମଧ୍ୟ ଅଭିଯୋଗ ହେଉଛି । ଏଣୁ, ଏନ୍ଏସି ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ପ୍ରତିକାର ବ୍ଯବସ୍ଥା କରିବା ପାଇଁ ସାଧାରଣରେ ଦୃଢ ଦାବି ହେଉଛି ।