Odisha news

ବୁଗୁଡ଼ା ଅଞ୍ଚଳରେ ଶିଶୁ ବିକାଶ ଯୋଜନାର ବିକଳ ଚିତ୍ର , ୯୯ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ କୋଠା ଘର ନାହିଁ

0
ବୁଗୁଡ଼ା : ତା ୨୪/୦୫/୨୨ : ବୁଗୁଡ଼ା ବ୍ଳକର ୨୧ଟି ପଞ୍ଚାୟତ ଏବଂ ଏନ୍‌ଏସିର ୧୩ଟି ୱାର୍ଡରେ ଥିବା ମୋଟ ୨୩୧ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୯୯ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ କୋଠା ନଥିବା ଜଣା ପଡିଛି | ଯାହାଫଳରେ କେଉଁଠି ଭଡାଘରେ ତ, ଅନ୍ୟ କେଉଁଠି ଗ୍ରାମ କୋଠଘରେ ଓ ସ୍କୁଲ କୋଠାରେ ସେହି ଅଙ୍ଗନୱାଡି କେନ୍ଦ୍ରଗୁଡିକ ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି ।
ବୁଗୁଡା ଅଞ୍ଚଳର ୯୯ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନଥିବା ଯୋଗୁଁ କୋମଳମତି ଶିଶୁମାନଙ୍କ ପାଠପଢ଼ାରେ ନାନା ସମସ୍ୟା ସୃଷ୍ଟି ହେବା ସହ କେନ୍ଦ୍ରଗୁଡିକୁ ଆସୁଥୁବା ଚାଉଳ, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ରଖିବା ଲାଗି କର୍ମୀମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ବୁଗୁଡା ଅଞ୍ଚଳରେ ଥିବା ୧୦ଟି ସେକ୍ଟର ମଧ୍ୟରୁ ବ୍ଲକର ୯ଟି ସେକ୍ଟର ଅଧିନସ୍ଥ ୨୧୩ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୨୭ଟି କେନ୍ଦ୍ରର ନିଜସ୍ବ କୋଠା ରହିଥିବା ବେଳେ ୫୮ଟି କେନ୍ଦ୍ରର କୋଠା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି ଏବଂ ଅବଶିଷ୍ଟ ୨୮ଟି କେନ୍ଦ୍ରର କୋଠା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଥିବା ସାଙ୍ଗକୁ ଏନ୍‌ଏସିର ୧ଟି ସେକ୍ଟର ଅଧୀନସ୍ଥ ୧୮ଟି କେନ୍ଦ୍ର ମଧ୍ୟରୁ ୫ଟିର ନିଜସ୍ବ କୋଠା ରହିଥିବା ବେଳେ ୩ଟିର କୋଠା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଏବଂ ୧୦ଟିର କୋଠା ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ସିଡିପିଓ ରଞ୍ଜିତା ତ୍ରିପାଠୀଙ୍କ ଠାରୁ ପ୍ରକାଶ ପାଇଛି ।
ସଂପ୍ରତି ବୁଗୁଡ଼ା ଅଞ୍ଚଳରେ ଥିବା ୨୩୧ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୩୨ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ କୋଠା ରହିଥିବା ବେଳେ ଅବଶିଷ୍ଟ ୯୯ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ କୋଠା ନାହିଁ। ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ସହରାଞ୍ଚଳରେ ୭ଲକ୍ଷ ଟଙ୍କା ଲେଖାଏଁ ଓ ଗ୍ରାମାଞ୍ଚଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୮ଲକ୍ଷ ୨୦ ହଜାର ଟଙ୍କା ଲେଖାଏଁ ବ୍ୟୟ ଅଟକଳରେ କେତେକ ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ କୋଠା ନିର୍ମାଣ କାର୍ଯ୍ୟ ଚାଲିବା ନେଇ ଜଣାପଡ଼ିଛି।ଏଣୁ,ଏନେଇ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଅଙ୍ଗନବାଡି କେନ୍ଦ୍ରଗୁଡିକର ନିଜସ୍ୱ କୋଠା ନିର୍ମାଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ତୁରନ୍ତ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।
Leave A Reply