Odisha news

ପରିତ୍ଯକ୍ତ କୂଅରୁ ଯୁବତୀଙ୍କ ଗଳିତ ମୁଣ୍ଡ ବିହୀନ ଗଣ୍ଡି ଓ ଖପୁରୀ ପୃଥକ୍ ଭାବେ ଉଦ୍ଧାର , ହତ୍ଯା ସନ୍ଦେହ

0
ବୁଗୁଡ଼ା :   ବୁଗୁଡ଼ା ସହର ଉପକଣ୍ଠସ୍ଥ ପୋଲସରା ରାସ୍ତାର ଏନ୍ଏସି ସ୍ବାଗତ ଗେଟ୍ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ବୁଗୁଡ଼ା ପୋଲିସ ଏକ ଅଜଣା ଯୁବତୀଙ୍କ ଗଳିତ ମୁଣ୍ଡ ବିହୀନ ଶରୀର ଓ ଖପୁରୀକୁ ପୃଥକ୍ ଭାବେ ଉଦ୍ଧାର କରିଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଯେ , ଶୁକ୍ରବାର ସନ୍ଧ୍ୟାରେ ଉକ୍ତ ପରିତ୍ଯକ୍ତ କୂଅରେ ଏକ ଅଜଣା ଯୁବତୀଙ୍କ ଶବ ଭାସୁଥିବା ଖବର ପ୍ରଚାରିତ ହେବା ପରେ ସେଠାକୁ ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା । ଖବର ପାଇ ବୁଗୁଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ  । ବହୁ କସରତ ପରେ ରାତ୍ର ପ୍ରାୟ ଏଗାରଟା ବେଳେ ଅଗ୍ନିଶମ ବାହିନୀ ଦ୍ବାରା ଯୁବତୀଙ୍କ ମୁଣ୍ଡ ବିହୀନ ଶରୀରକୁ ଉଦ୍ଧାର କରାଯାଇଥିଲା ବେଳେ ମୁଣ୍ଡଟିକୁ ପାଇପାରିନଥିଲେ ।
ପୁଣି ଶନିବାର ସକାଳେ ପୋଲିସ ଉପସ୍ଥିତିରେ ଅଗ୍ନିଶମ ବାହିନୀ ମୁଣ୍ଡଟି ଖୋଜିବାକୁ ଉଦ୍ଯମ କରିବାକୁ ଯାଇ କୁଅରୁ ସମସ୍ତ ଜଳ ନିଷ୍କାସନ ପରେ ଖପୁରୀଟିଏ ପାଇଥିଲେ ।ପୋଲିସ ଗଳିତ ଶବକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇ ଥାନାରେ କେସ୍ ନଂ ୧୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରା ସୂଚନା ଦେଇଛନ୍ତି  । ଘଟଣା ସ୍ଥଳରେ ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରି ଫେରିଥିବା ବେଳେ କୂଅ ନିକଟରେ ଥିବା ଏକ ବୁଦା ମୂଳରୁ ବୁଗୁଡ଼ାର ଜଗନ୍ନାଥ ଡ୍ରେସେସ୍ ଲେଖାଥିବା ବ୍ଯାଗ ସହ କିଛି ପୋଷାକ ସାଙ୍ଗକୁ ପ୍ରସାଧନ ସାମଗ୍ରୀ ଓ ପର୍ସଟିଏ ପୋଲିସ ଜବତ କରିଥିବା ଜଣାପଡିଛି । ଏହି ଘଟଣାର ତଦନ୍ତ କରିବାକୁ ଯାଇ ପୋଲିସ ବ୍ଯାଗରେ ଲେଖାଥିବା ସମ୍ପୃକ୍ତ ଲୁଗା ଦୋକାନର ସିସିଟିଭି ଫୁଟେଜକୁ ଯାଞ୍ଚ ଜାରି ରଖିଛି । ଉକ୍ତ ଘଟଣାଟି ସାଧାରଣରେ ହତ୍ଯା ସନ୍ଦେହର ପରିସରକୁ ଆସୁଥିବା ବେଳେ ଶବ ବ୍ୟବଛେଦର ସମ୍ପୁର୍ଣ୍ଣ ବିବରଣୀ ଆସିବା ପରେ ହିଁ ଏହାର ପ୍ରକୃତ ରହସ୍ୟର ଜଣା ପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।
Leave A Reply