Odisha news

ସଂଗରୋଧ ସମୟର ଟଙ୍କା ପାଇଁ ରାସ୍ତାରୋକ 

0
ବୁଗୁଡ଼ା :-ସଂଗରୋଧ ସମୟର ଟଙ୍କା ପାଇନଥିବା ହିତାଧିକାରୀ ଆଜି ବୁଗୁଡ଼ା ବ୍ଲକ୍ ବିରଞ୍ଚିପୁର୍ ଠାରେ ରାସ୍ତାରୋକ କରି ପ୍ରତିବାଦ ଜଣାଇଥିଲେ। ବିରଞ୍ଚିପୁର୍ ପଞ୍ଚାୟତରେ ସଂଗରୋଧ କେନ୍ଦ୍ରରେ ଗତମାସ ସୁଦ୍ଧା ୫୭୦ ଜଣ ହିତାଧିକାରୀ ରହିଥିଲେ। ସଂଗରୋଧ ଅବଧି ପରେ ସେମାନଙ୍କୁ ସରକାରୀ ଧାର୍ଯ୍ୟ ଟଙ୍କା ଦିଆଯିବା କଥା। ତେବେ ଦୀର୍ଘ ଦିନ ହେଲା ସେମାନଙ୍କ ପ୍ରାପ୍ୟ ଦିଆନଯିବା ହେତୁ କିଛିଦିନ ତଳେ ସେମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ ଯାହା ଫଳରେ ବିଡିଓ, ତହସିଲଦାର ପ୍ରମୁଖ ହସ୍ତକ୍ଷେପ କରିବା ପରେ ୨୦୦ ହିତାଧିକାରୀ ଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଇଥିଲା।
ଅବଶିଷ୍ଟଙ୍କୁ ଆଜି ଯାଏଁ ପ୍ରାପ୍ୟ ଦେବାରେ ଅବହେଳା ଯୋଗୁ ପୁଣି ସେମାନେ ବୁଗୁଡ଼ା – ଭୁବନେଶ୍ବର ମୁଖ୍ୟ ସଡ଼କକୁ ଆସି ଆଜି ରାସ୍ତାରୋକ ପ୍ରତିବାଦ କରିଥିଲେ। ଏହି ପ୍ରାପ୍ୟ ବାବଦ ଟଙ୍କା ବିରଞ୍ଚିପୁର୍ ପଞ୍ଚାୟତକୁ ଦିଆଯାଇଥିଲେ ହେଁ ହିତାଧିକାରୀଙ୍କୁ ତାହା ବିୟୋଗ କରାନଯିବା ଯୋଗୁ ଏହି ପ୍ରତିବାଦ ର ସୂତ୍ରପାତ ହୋଇଥିଲା। ବୁଗୁଡ଼ା ବିଡିଓ ତନ୍ମୟ ପାତ୍ର ଘଟଣାର ଅନୁସନ୍ଧାନ କରି ଅନ୍ୟ ଏକ ପଞ୍ଚାୟତରୁ ଟଙ୍କା ଆଣି ସେମାନଙ୍କୁ ବିତରଣ କରିବା ବ୍ୟବସ୍ଥା କରିଥିଲେ। ଏହା ଫଳରେ ଆଜି ଅବଶିଷ୍ଟ ୩୫୦ ଜଣ ହିତାଧିକାରୀ ସେମାନଙ୍କ ପ୍ରାପ୍ୟ ପାଇପାରିଥିଲେ। ଅନ୍ୟନ୍ୟ ପଞ୍ଚାୟତର ହିତାଧିକାରୀ ମାନେ ସଂଗରୋଧ ଅବଧି ପରେ ପ୍ରାପ୍ୟ ପାଇ ଯାଇଥିଲେ ମଧ୍ୟ ବିରଞ୍ଚିପୁର୍ ପଞ୍ଚାୟତର ଟାଳଟୁଳ ନୀତି ଯୋଗୁ ଏହି ଅସନ୍ତୋଷ ଦେଖା ଦେଇଥିଲା।
Nalco

Leave A Reply