Odisha news

ମରିଚିକା ପାଲଟିଛି ଉଦଘାଟନ , କେବେ ଲୋକାର୍ପିତ ହେବ ବୁଦ୍ଧଖୋଲ ପ୍ରକୃତି ଉଦ୍ଯାନ ?

0
ବୁଗୁଡ଼ା : ତା ୦୪/୦୪/୨୩ :  ସ୍ଥାନୀୟ ବୁଦ୍ଧଖୋଲ ଉନ୍ନୟନ ସମିତିର ପ୍ରସ୍ତାବ କ୍ରମେ ୨୦୧୮ ବୁଦ୍ଧଖୋଲ ମହୋତ୍ସବ ଅବସରରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଐତିହାସିକ ଶୈବପୀଠ ବୁଦ୍ଧଖୋଲର ପାଦଦେଶରେ ଏକ ଇକୋ ପାର୍କ ନିର୍ମାଣ ନିମନ୍ତେ ଘୋଷଣା କରାଗଲା । ଘୋଷଣା ପରେ ଲୋକଙ୍କ ଛାତି କୁଣ୍ଢେ ମୋଟ ହୋଇଗଲା ଏବଂ ଇକୋ ପାର୍କର ସପ୍ନ ଦେଖିବାକୁ ଲାଗିଲେ । ଏ ନେଇ ଗତ ୧୧ ଜାନୁଆରୀ ୨୦୨୦ରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ବାରା ଶିଳାନ୍ୟାସ କରାଗଲା । ପ୍ରସ୍ତାବିତ ପରିକଳ୍ପନା ଫଳପ୍ରଦ ହେବା ନେଇ ଲୋକଙ୍କ ମନରେ ଅନେକ ଆଶା ଦାନା ବାନ୍ଧିଲା । ଯୋଜନା ପ୍ରକାରେ ପ୍ରାୟ ୧୨ ହେକ୍ଟର ପରିମିତ ଜାଗାରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ପ୍ରାରମ୍ଭିକ ଅବସ୍ଥାରେ ନିର୍ମାଣ କାର୍ଯ୍ୟର ବେଗ ପ୍ରଖର ଥିଲା କିନ୍ତୁ ପରେ ପରେ ତାହି କଚ୍ଛପ ଗତିର ନାମ ନେଲା । ଇତି ମଧ୍ୟରେ ୩ ବର୍ଷ ବିତି ଗଲା ଏବଂ ତାହା ଦରଖଣ୍ଡିଆ ପାର୍କ ରୂପେ ବିବେଚିତ ହେଲା । ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବାରୁ ଗତ ବୁଦ୍ଧଖୋଲ ମହୋତ୍ସବ କାଳରେ ତାହାକୁ ଉଦଘାଟନ କରାଯିବ ବୋଲି ହୋର୍ଡ଼ିଂ ଲଗାଇ ପ୍ରଚାର କରାଗଲା । ବୁଦ୍ଧଖୋଲ ମହୋତ୍ସବ ସରିଗଲା ଏବଂ ପ୍ରଚାର ଫେଲ୍ ମାରିଲା । ଲୋକଙ୍କ ଆଶା ମରିଚିକା ପାଲଟି ଗଲା ।
କେଉଁ କାରଣରୁ ବୁଦ୍ଧଖୋଲ ଇକୋ ପାର୍କ ଉଦଘାଟନ ଅଟକି ଗଲା ତାହା ସର୍ବସାଧାରଣରେ ଅଜଣା ରହିଲା । ତେବେ ବୁଦ୍ଧଖୋଲ ପର୍ଯ୍ଯଟନ କାଳରେ ବହୁ ସଂଖ୍ୟକ ପର୍ଯ୍ଯଟକ ଗେଟ୍ ବାହାରୁ ପ୍ରକୃତି ଉଦ୍ଯାନର ସୌନ୍ଦର୍ଯ୍ୟକୁ ଦେଖିପାରୁଥିଲେ ସୁଦ୍ଧା ଉଦଘାଟନ ହୋଇ ନ ଥିବାରୁ ଭିତରକୁ ଯାଇ ଉପଭୋଗ କରିବାକୁ ସୁଯୋଗ ନପାଇ ଅସନ୍ତୋଷ ପ୍ରକାଶ ପାଇଲା  । ତେବେ ଗତ ମାସରେ ପୁଣି ମୁଖ୍ୟମନ୍ତ୍ରୀଙ୍କ କବିସୂର୍ଯ୍ୟ ନଗର ଗସ୍ତ କାଳରେ ବୁଦ୍ଧଖୋଲ ଇକୋ ପାର୍କ ଉଦଘାଟନ ହେବା ନେଇ ଖବର ଘୁରି ବୁଲିବାରୁ ଲୋକଙ୍କ ମଧ୍ୟରେ ଇକୋ ପାର୍କ ଭ୍ରମଣର ଆଶା ଉଜ୍ଜୀବିତ ହେଲା । ଦେଖିଲା ବେଳକୁ ସେଇ ଆଶା ବି ପୂର୍ବ ଭଳି ମରିଚିକା ପାଲଟି ଗଲା । ଏ ନେଇ ବନ ବିଭାଗର ଅଧିକାରୀଙ୍କୁ ପ୍ରଶ୍ନ ପଚାରିଲେ ସେମାନେ ମୁକ ପାଲଟି ଯାଉଥିବା ଦେଖିବାକୁ ମିଳୁଛି । ଫଳରେ ଇକୋ ପାର୍କ ଉଦଘାଟନ ସନ୍ଧିହାନ ଅବସ୍ଥାରେ ଥିବାବେଳେ  ଲୋକଙ୍କ ଆଶା ମଉଳି ଯାଇଛି । ତେବେ ଯଥାଶୀଘ୍ର ବୁଦ୍ଧଖୋଲ ପ୍ରକୃତି ଉଦ୍ଯାନ ଲୋକାର୍ପିତ କରିବାକୁ ସାଧାରଣରେ ଦାବି ହେଉଛି ।
Leave A Reply