Odisha news

ବ୍ରାହ୍ମଣୀରେ ନଦୀ ବୁଡି ଜଣେ ମୃତ, ଜଣେ ନିଖୋଜ

0

ଢେଙ୍କାନାଳ,୨୭/ 0୫:ଢେଙ୍କାନାଳ ଜିଲ୍ଲା କମଗରା ବ୍ରାହ୍ମଣୀ ନଦୀ ଘାଟରେ ଶୌଚ ହେବାକୁ ଯାଇଥିବାବେଳେ ନଦୀରେ ଗୋଡ ଖସିଯିବାରୁ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉଜଣେ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଢେଙ୍କାନାଳ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି । ମୃତ ଯୁବକଙ୍କ ନାମ ହେଉଛି ବିମଳ ସାହୁ (୨୧) ଏବଂ ନିଖୋଜ ଯୁବକ ହେଉଛନ୍ତି ଢେଙ୍କାନାଳ କଣ୍ଟାନାଳି ବାଇପାସ୍‌ର ପ୍ରୀତିରଞ୍ଜନ ପଣ୍ଡା (୨୨) ବୋଲି ଜମାପଡିଛି ।

ବିମଳଙ୍କ ଘର ହିନ୍ଦୋଳ ଟାଉନ୍‌ରେ । ଘଟଣାସ୍ଥଳରେ ତୁମୁସିଙ୍ଗା ଥାନା ପୁଲିସ୍ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ପ୍ରକାଶ ଯେ, ଢେଙ୍କାନାଳ ସହରର ଏକ ଅଟୋମୋବାଇଲ୍‌ରେ କାମ କରୁଥିବା ୪ ଜଣ ଯୁବକ ଗେଙ୍ଗୁଟିଆର ସୋମୁ ପଟ୍ଟନାୟକ (୨୩), ବାଜିଚୌକର ଅଶ୍ୱିନୀ, କଣ୍ଟାନାଳି ବାଇପାସ୍‌ର ପ୍ରୀତିରଞ୍ଜନ ପଣ୍ଡା ଏବଂ ହିନ୍ଦୋଳର ବିମଳ ସାହୁ ବୁଧବାର ଅପରାହ୍ନ ସାଢେ ୫ଟାରେ ବ୍ରାହ୍ମଣୀ ନଦୀର କମଗରା ଘାଟକୁ ବୁଲିବାକୁ ଯାଇଥିଲେ । ସେଠାରେ ଗପସପ କରିବା ପରେ ବିମଳ ଏବଂ ପ୍ରୀତିରଞ୍ଜନ ଶୌଚ ହେବାପାଇଁ ଯାଇଥିଲେ । ଶୌଚ ହୋଇ ବ୍ରାହ୍ମଣୀ ନଦୀରେ ଧୁଆଧୁଇ ହେଉଥିବାବେଳେ ସେମାନଙ୍କ ଗୋଡ ଖସିଯିବାରୁ ପାଣିରେ ଭାସିଯାଇଥିଲେ । ଏ ସଂପର୍କରେ ଖବରପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ବିମଳଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ତେବେ ପ୍ରୀତିରଞ୍ଜନଙ୍କର ଏ ଯାଏଁ କୌଣସି ପତ୍ତା ମିଳିପାରିନାହିଁ ।

Leave A Reply