ମାଞ୍ଚେଷ୍ଟର, ୨୮ା୭ (ଏଜେନ୍ସି) : ଇଂଲଣ୍ଡର ତାରକା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ଟେଷ୍ଟରେ ୫୦୦ ୱିକେଟ୍ ନେବାର ଗୌରବ ଅର୍ଜନ କରିଛନ୍ତି । ମଙ୍ଗଳବାର େୱଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ରେ ବ୍ରଡ୍ ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ସେ ସପ୍ତମ ବୋଲର୍ ଭାବେ ଏହି ଏଲିଟ୍ କ୍ଲବ୍ରେ ସାମିଲ ହୋଇଛନ୍ତି । ୩୪ ବର୍ଷୀୟ ବ୍ରଡ୍, ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ କ୍ରେଗ୍ ବ୍ରାଥ୍େୱଟ୍ଙ୍କ ୱିକେଟ୍ ଅକ୍ତିଆର କରି ୫୦୦ ୱିକେଟ୍ ପୂରଣ କରିଥିଲେ । ପାଖାପାଖି ୧୪ ବର୍ଷ ପରେ ବ୍ରଡ୍ ଏହି କୀର୍ତ୍ତିମାନର ଅଧିକାରୀ ହୋଇପାରିଛନ୍ତି । ଶ୍ରୀଲଙ୍କାର ମୁଥିଆ ମୁରଲୀ ଧରନ୍ ଟେଷ୍ଟ କି୍ରକେଟ୍ରେ ସର୍ବାଧିକ ୮୦୦ ୱିକେଟ୍ ନେଇଥିଲେ । ଏପର୍ଯ୍ୟନ୍ତ ମୁରଲୀଧରନ୍ଙ୍କ ସର୍ବାଧିକ ୱିକେଟ୍ ରେକର୍ଡ଼ ଅତୁଟ ହୋଇ ରହିଛି । ତାଙ୍କ ପଛକୁ ଅଷ୍ଟ୍ରେଲିଆର ସେନ୍ ୱର୍ଣ୍ଣ ୭୦୮ ୱିକେଟ୍, ଭାରତର ଅନୀଲ କୁମ୍ବଲେ ୬୧୯ ୱିକେଟ୍, ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ ୫୮୯ ୱିକେଟ୍, ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ଗ୍ରାଥ ୫୬୩ ୱିକେଟ ଏବଂ େୱଷ୍ଟ ଇଣ୍ଡିଜ୍ର କଟ୍ନୀ ୱାଲ୍ସ ୫୧୯ ୱିକେଟ୍ ସହ ଏଲିଟ୍ କ୍ଲବ୍ରେ ପ୍ରଥମରୁ ଷଷ୍ଠ ସ୍ଥାନରେ ଅଛନ୍ତି । ତେଣୁ ବ୍ରଡ୍ ସପ୍ତମ ବୋଲର ଭାବେ ଏହି କ୍ଲବ୍ରେ ସାମିଲ ହୋଇଛନ୍ତି । ବ୍ରଡ୍ ୧୪୦ ଟେଷ୍ଟ ମ୍ୟାଚ୍ରୁ ୫୦୦ ୱିକେଟ୍ ଅକ୍ତିଆର କରିଛନ୍ତି । ତାଙ୍କ ତୁଳନାରେ ମୁଥିଆ ମୁରଲୀଧରନ୍ ସବୁଠୁ କମ୍ ସଂଖ୍ୟକ ଅର୍ଥାତ୍ ୮୭ ମ୍ୟାଚ୍ରୁ ୫୦୦ ୱିକେଟ୍ ନେଇଥିଲେ । ତେଣୁ ମୁରଲୀଧରନ୍ ଦ୍ରୁତତମ ୫୦୦ ୱିକେଟ୍ କ୍ଲବ୍ର ଶୀର୍ଷରେ ଅଛନ୍ତି । ସେହିଭଳି ଭାରତର ଅନୀଲ୍ କୁମ୍ବଲେ ୧୦୫ ମ୍ୟାଚ୍, ୱର୍ଣ୍ଣ ୧୦୮ ମ୍ୟାଚ୍, ମ୍ୟାକ୍ଗ୍ରାଥ୍ ୧୧୦ ମ୍ୟାଚ ତଥା ଆଣ୍ଡରସନ୍/ୱାଲ୍ସ ୧୨୯ ମ୍ୟାଚ୍ରୁ ୫୦୦ ୱିକେଟ୍ ପୂରଣ କରିଥିଲେ । ବ୍ରଡ୍ ନିଜର ପ୍ରଥମ ଟେଷ୍ଟ ୱିକେଟ୍ ଭାବେ ଶ୍ରୀଲଙ୍କାର ଚାମିଣ୍ଡା ଭାସ୍ଙ୍କୁ ଆଉଟ୍ କରିଥିଲେ । ସେହିଭଳି ୧୦୦ ତମ ୱିକେଟ୍ରେ ପ୍ରସନ୍ନା ଜୟବର୍ଦ୍ଧନେ, ୨୦୦ତମ ୱିକେଟ୍ରେ ମାଇକେଲ୍ କ୍ଲାର୍କ, ୩୦୦ତମ ୱିକେଟ୍ରେ କ୍ରିସ୍
ରୋଜର୍ସ, ୪୦୦ତମ ୱିକେଟ୍ରେ ଟମ୍ ଲାଥନ୍ ଏବଂ ଇଣ୍ଡିଜ୍ର କ୍ରେଗ୍ ବ୍ରାଥ୍େୱଟ୍ଙ୍କୁ ଆଉଟ୍ କରି ୫୦୦ତମ ୱିକେଟ୍ ହାସଲ କରିଛନ୍ତି ।
Prev Post
Next Post