କଣାଗାଁ ରେ ପାଇଖାନା ନିର୍ମାଣ ରେ ଅର୍ଥ ହଡପ ଘଟଣା ରେ ବିବାଦ ଥମିବାର ନାଁ ନେଉନାହିଁ : ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ରାଜନୈତିକ ରୂପ ନେଲାଣି
ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ବ୍ଲକ ର କଣାଗାଁ ରେ ପାଇଖାନା ନିର୍ମାଣ ନ ହୋଇ ଅର୍ଥ ହଡପ ଘଟଣା ର ବିବାଦ ଥମିବାର ନାଁ ନେଉନାହିଁ। ଦିନ କୁ ଦିନ କଣାଗାଁ ରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ସହ ଗୋଷ୍ଠି ଗଣ୍ଡଗୋଳ ଦେଖାଗଲାଣି। ଉଭୟ ଗୋଷ୍ଠୀ ର ବ୍ୟକ୍ତି ଙ୍କ ନାମରେ ଥାନାରେ ଦୁଇ ଦୁଇ ଟି ମାମଲା ରୁଜୁ ହେଲାଣି। ବର୍ତ୍ତମାନ ଏହି ଘଟଣା ଟି ରାଜନୈତିକ ରୂପ ନେଲାଣି। ଗୋଟିଏ ଗୋଷ୍ଠୀ କୁ ବିଜେଡି ସମର୍ଥନ କରୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କୁ ବିଜେପି ସମର୍ଥନ କରୁଥିବା ଦେଖାଦେଇଛି।
ଏହିଭଳି ସ୍ଥିତିରେ ପୋଲିସ କିଂ କର୍ତବ୍ୟମ ନୀତି ଆପଣେଇଛି। ପୋଲିସ ସୂଚନା ଅନୁଯାୟୀ କଣାଗାଁ ର ରିତେଶ ବିଶୋଇ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗ୍ରାମର ନରେନ୍ଦ୍ର ବିଶୋଇ କିଛି ଗୁଣ୍ଡା ଆଣି ତାଙ୍କୁ ମାରିବାକୁ ଚକ୍ରାନ୍ତ ଚଳାଇଛନ୍ତି। ଏପରିକି ତାଙ୍କ ମୋବାଇଲ କୁ କିଛି ଅଜଣା ବ୍ୟକ୍ତି ଫୋନ କରି ଜୀବନ ରେ ମାରି ଦେବାକୁ ଧମକ ଦେଇଛନ୍ତି ବୋଲି ଏତଲା ରେ ଉଲ୍ଲେଖ କରିଛନ୍ତି। ପୋଲିସ ରିତେଶ ଙ୍କ ଏତଲା କୁ ଭିତ୍ତିକରି ଏକ ମାମଲା କେସ ନମ୍ବର ୧୨୮ / ୨୦୨୦ ଦଫା ୨୯୪,୪୫୧,୩୨୩,୩୨୪,୩୪୧,୫୦୬,୫୦୭,୩୪ ରୁଜୁ କରିଛନ୍ତି।
ଅନ୍ୟପଟେ ନରେନ୍ଦ୍ର ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ଗ୍ରାମର ସୀମାଞ୍ଚଳ ବିଶୋଇ ଙ୍କ ଘରେ ଥିବା ବେଳେ ରିତେଶ ବିଶୋଇ ଓ ତାଙ୍କ ବାପା ଅଭିମନ୍ୟୁ ବିଶୋଇ ଦୁହେଁ ତାଙ୍କୁ ଟଣାଓଟରା କରି ବାହାରକୁ ଆଣି ବିଧା ଗୋଇଠା ମାରିବା ସହ ଗାଳିଗୁଲଜ କରିଥିଲେ। ରିତେଶ ତାଙ୍କ ଘରେ ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗ କରିଥିଲେ। ବାପା ପୁଅ ଙ୍କ ମାଡ଼ରେ ତାଙ୍କ ଛାତି ଓ ବେକରେ ପ୍ରବଳ ଯନ୍ତ୍ରଣା ହୋଇଛି ବୋଲି ଏତଲା ରେ ଉଲ୍ଲେଖ କରିଛନ୍ତି। ପୋଲିସ ନରେନ୍ଦ୍ର ଙ୍କ ଏତଲା କୁ ଭିତ୍ତିକରି କେସ ନମ୍ବର ୧୨୯ / ୨୦୨୦ ଦଫା ୪୫୧,୨୯୪,୩୨୩,୫୦୬,୩୪ ରୁଜ୍ଜୁ କରିଛନ୍ତି।ପ୍ରକାଶ ଥାଉକି ନରେନ୍ଦ୍ର ବିଶୋଇ ହେଉଛନ୍ତି କୋଟପାଡ଼ ବିଧାୟିକା ତଥା ବୟନ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଙ୍କ ବୋରିଗୁମ୍ମା ବ୍ଲକ ପ୍ରତିନିଧି। ବିଜେପି ରିତେଶ ବିଶୋଇ କୁ ସମର୍ଥନ କରୁଥିବା ବେଳେ ନରେନ୍ଦ୍ର ବିଶୋଇ କୁ ଶାସକ ଦଳ ବିଜେଡି ସମର୍ଥନ କରୁଛି।
ଦୀର୍ଘ ଦଶ ଦିନ ହେଲାଣି ପାଇଖାନା ନ ହୋଇ ଅର୍ଥ ହଡପ ଘଟଣା ଥମୁ ନ ଥିବା ବେଳେ ଆର ଡବ୍ଲୁ ଏସ ଏସ ବିଭାଗ ର କନିଷ୍ଠ ଯନ୍ତ୍ରୀ -୨ ଙ୍କ ଅର୍ଥ ତୋଷାରପାତ ଅଭିଯୋଗ ଲୁଚିବାକୁ ବସିଲାଣି।ଏକ୍ଷେତ୍ରରେ ରାଜନୈତିକ ଦଳ ଗୁଡିକ ପରସ୍ପରକୁ କାଦୁଅ ଫୋଫଡା ନୀତି ଅବଲମ୍ବନ କରୁଛନ୍ତି। କଣାଗାଁ ରେ ଏହିଭଳି ଅଶାନ୍ତ ପରିବେଶ କିଛି ଦିନ ଲାଗି ରହିଲେ ଅଧିକ ଉତ୍ତେଜନା ବୃଦ୍ଧି ପାଇବ ଏଥିରେ ସନ୍ଦେହ ନାହିଁ।
