ବୋଲଗଡ : କରୋନା ମହାମାରୀ ଓଡିଶାରେ ତାର କାୟା ବିସ୍ତାର କରିଥିବାବେଳେ ଜନସାଧାରଣ ଆତଙ୍କିତ ଅବସ୍ଥାରେ କାଳ କାଟୁଛନ୍ତି । ରାଜ୍ୟସରକାର କରୋନା ମୁକାବିଲା ପାଇଁ ସଜାଗ ଥିବାର ଡିଣ୍ଡିମ ପିଟି ବାହା ବହା ନେବାରେ ବି ହେଳା କରୁନାହାଁନ୍ତି । ବହୁ ଗଣାମଧ୍ୟମର ବିଭିନ୍ନ ଆଡଭଟାଇଜ ଦେଇ ପ୍ରସାସନିକସ୍ତରେ କେତେ ସକ୍ଷମ ତାହା ସବୁବେଳେ ପ୍ରମାଣିତ କରୁଛନ୍ତି । କିନ୍ତୁ ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଲକ ଅଞ୍ଚଳ ଯେମିତି ରାଜ୍ୟସରକାରଙ୍କ ନଜର ଆଢୁଆଳରେ ରହିଥିବା ମନେହେଉଛି ।
ଅନୁସନ୍ଧାନରୁ ଜଣାଯାଏଯେ,ଦିର୍ଘ ୨ମାସ ଧରି ବୋଲଗଡ ବ୍ଲକସ୍ତରୀୟ ସମସ୍ତ ତଥା ମୁଖ୍ୟ ଅଧିକାରୀଙ୍କ ଚୈାକି ଖାଲିପଡିଛି । ବୋଲଗଡ ମଣ୍ଡଳ ଉନ୍ନୟନ ଅଧିକାରୀ ୨ମାସହେବ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ଚୈାକି ପୂରଣ ହୋଇପାରିନାହିଁ । ସାଧାରଣ ଗରିବ ଜନାଟିଏ ଭତ୍ତା,ପେନସନ, କିମ୍ବା ଆବାସ ଯୋଜନାପାଇଁ ବ୍ଲକକୁ ଆସିଲେ ହତାଶ ହେବାକୁ ପଡୁଛି ।
ଯାହାଦ୍ୱାରା ସାଧାରଣ ଜନତାଟିଏ ନିଜ ମୈାଳିକ ସୁବିଧାରୁ ବଞ୍ଚିତ ହେବା ସହିତ କୈାଣସି ବିକାଶ ମୂଳକ କାର୍ଯ୍ୟ ହେବାରେ ଅଞ୍ଚଳରେ ଘୋର ଅନ୍ତରାୟ ସୃଷ୍ଟି ହେଉଛି । ସେହିପରି ବ୍ଲକ ଏବିଡିଅ ଦିର୍ଘଦିନ ଧରି ବେଗୁନିଆ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଥିବାରୁ ସେ ମଧ୍ୟ କୈାଣସିକାଳେ ବୋଲଗଡ ବ୍ଲକକୁ ଆସୁନଥିବାର ଦେଖାଯାଇଛି । ଅନୁରୂପ ଭାବେ ବୋଲଗଡ ତହସିଲଦାର ମୋନାଲିସା ପଣ୍ଡାଙ୍କୁ ଭୁବନେଶ୍ୱର ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ କୈାଣସି ଅଧିକାରୀ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେଇନାହାଁନ୍ତି । ପୁନଶ୍ଚ ସ୍ଥାନୀୟ ସବରେଜିଷ୍ଟାର ପଦବୀ ଦିର୍ଘବର୍ଷ ଖାଲିପଡିଥିବା ହେତୁ ସ୍ଥାନୀୟ ତହସିଲଦାର ଅତିରିକ୍ତ ଭାବେ ସବରେଜିଷ୍ଟାରଙ୍କ ଦାୟିତ୍ୱ ତୁଲାଉଥିଲେ ।
ମାତ୍ର ତାଙ୍କର ବଦଳି ହୋଇଥିବାରେ ସେ ରିଲିଭ ହୋଇନଥିବାରୁ ବେଳେ ବେଳେ ସବରେଜିଷ୍ଟାର କାର୍ଯ୍ୟାଳୟକୁ ଆସି ନାମକୁ ମାତ୍ର ହାଜିରା ପକାଉଛନ୍ତି । ବୋଲଗଡ ସ୍ଥିତ ଗୋଷ୍ଟୀସ୍ୱାସ୍ଥ୍ୟକେନ୍ଦ୍ର ଏହି ଅଞ୍ଚଲର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବାବେଳେ ବ୍ଲକ ଅଞ୍ଚଳର ଶତାଧିକ ଲୋକ ଏହା ଉପରେ ନିର୍ଭରଶୀଳ । ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ନକହିଲେ ଭଲ । ୫ଜଣ ସ୍ପେଶାଲିଷ୍ଟ ଡାକ୍ତର ରହିବା ସ୍ଥାନରେ ମାତ୍ର ଦୁଇଜଣ ଡାକ୍ତର କାର୍ଯ୍ୟକରୁଛନ୍ତି ଓ ସ୍ୱାସ୍ଥ୍ୟ କର୍ମିମାନଙ୍କର ମରୁଡି ପଡିଥିବାର ଦେଖିବାକୁ ମିଳିଛି ।
ଯାହାଫଳରେ ବ୍ଲକସ୍ତରରେ କୋଣସି ମୁଖ୍ୟ ଅଧିକାରୀ ନଥିବାରୁ କୈାଣସି କାର୍ଯ୍ୟ ସୂଚାରୁ ରୂପେ ହୋଇପାରୁନାହିଁ । ଯେଉଁଥିପାଇଁ ସ୍ଥାନୀୟ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଦୁଇମାସ ପୂର୍ବରୁ ଘଟିଥିବା ପ୍ରଶାସନ ଓ ଲୋକପ୍ରତିନିଧି ମାନଙ୍କ ଭିତରେ ଘଟିଥିବା କଳହ ଗଣମାଧ୍ୟମର ଶିରୋମଣ୍ଡନ କରିଥିବାବେଳେ ଏହାହିଁ ପ୍ରଶାସନିକ ମଙ୍ଗୁଳାମାନଙ୍କ ଅନୁପସ୍ଥିତି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲାପାଳ ବିଶେଷଭାବେ ଦୃଷ୍ଟି ଦେଇ ପ୍ରଶାସନିକ କଳରେ ଖାଲିପଡିଥିବା ପଦକୁ ପୂରଣ କରିବାକୁ ଦୁଦ୍ଧିଜିଭୀ ମହଲରେ ଦାବୀ ଜଣାଇଛନ୍ତି ।