ବୋଲଗଡ : ବୋଲଗଡ ଥାନା ଅଞ୍ଚଳରେ ପୂର୍ବରୁ ବ୍ୟାପକ ଚୋରା ମଦ କାରବାର ହେଉଥିଲା କରୋନାମହାମାରୀ ଆସିବା ପରେ ଚୋରା ଦର କାରବାର ବୃଦ୍ଧିପାଇଛି । ଗ୍ରାମଠାରୁ ବଜାର ପର୍ଯ୍ୟନ୍ତ ସବୁ ଯାଗାରେ ଦେଶୀ ବିଦେଶୀ ମଦ ବ୍ୟାପକ ଭାବେ ବିକ୍ରି ହେଉଥିବାରୁ ଦିନକୁ ଦିନ ଆଇନଶୃଙ୍ଖଳା ବିଗିଡିବାରେ ଲାଗିଛି । ଖୋର୍ଦ୍ଧା ଅବକାରୀ ବିଭାଗ ଚେଇଁ ଶୋଇଥିଲାବେଳେ ବୋଲଗଡ ଥାନା ପୋଲିସ କାଁଭାଁ ଦଣ୍ଡେଇ ମାଛକୁ ଗିରଫ କରି ଭାକୁର ମାଛକୁ ଛାଡୁଥିବାର ଅଭିଯୋଗ ହେଉଛି । ଯାହାଫଳରେ ଦିନ ଦ୍ୱିପ୍ରହରରେ ଖୁଲମଖୁଲା ମଦ ବେପାରୀମାନେ ନକଲି ବିଦେଶୀ ମଦ ଧରି ମଟରସାଇକେଲ ଡିକିରେ ଦ୍ୱାର ଦ୍ୱାର ବୁଲି ମଦ ଯୋଗାଉଛନ୍ତି । ଅବକାରୀ ବିଭାଗ ନିରବତା ଓ ପୋଲିସର ପାରିବାପଣିଆ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଯାହାର ଫଳସ୍ୱରୁପ ସୋମବାର ଦିନ ଦୁଇଟି ଚୋରା ବେପାରିଙ୍କୁ ଗିରଫ କରିଛି ବୋଲଗଡ ଥାନା ପୋଲିସ । ଥାନା ଅଧିକାରୀ ଶେଖ୍ ଆକବରଅଲ୍ଲୀଙ୍କ ସୂଚନାରୁ ପ୍ରକାଶ ଯେ, ଡାବରଧୁଆ ପଞ୍ଚାୟତ ଚୂଡା ଗ୍ରାମର କୈଳାସ ଦଲାଇଙ୍କ ପୁଅ ସୁମନ୍ତ ଦଳାଇ ୫୭ନଂ ଜାତୀୟ ରାଜପଥ ପାଶ୍ୱର୍ରେ ନିଜ ପାନ ଦୋକାନରେ ଦେସୀ ମଦ ବିକ୍ରି କରୁଥିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ଗିରଫ ହୋଇଛି । ତା ଠାରୁ ୫ଲିଟର ଦେଶୀ ମଦ ଜବତ କରାଯାଇଛି । ଥାନା କେସ ନଂ ୧୪୧/୨୦ ଦଫା ୫୨(କ) ଓଡିଶା ଅବକାରୀ ଆଇନ ବଳରେ କୋର୍ଟ ଚାଲାଣ କରାଯାଇଛି । ସେହିପରି ସୋମବାର ବିଳମ୍ବିତ ସନ୍ଧ୍ୟାରେ ପାଟପୁର ଶାସନ ପଞ୍ଚାୟତ ଅନ୍ତର୍ଗତ ଖାଉଡପଲ୍ଲୀ ଗ୍ରାମର ଗୁଣ୍ଡୁଚି ପ୍ରଧାନଙ୍କ ପୁଅ ସହଦେବ ପ୍ରଧାନ ନିକଟସ୍ଥ ଶ୍ରୀରାମପୁର ଛକରେ ଦେଶୀ ମଦ ବିକ୍ରି କରୁଥିବାବେଳେ ବାଙ୍କୋଇ ଫାଣ୍ଡି ଅଧିକାରୀ କୁମର ମୁଦୁଲି ସଦଳବଳେ ଚଢାଉକରି ତାଙ୍କ ଠାରୁ ୬୨ପ୍ୟାକେଟ ଦେଶୀ ମଦ ପାଉଚ ଜବତ କରିଛନ୍ତି । କେସ ନଂ ୧୪୨/୨୦ ବଳରେ ତାକୁ ମଧ୍ୟ କୋର୍ଟ ଚାଲାଣ କରିଛି ।
