ଵ୍ରହ୍ମପୁର , ୧/୬- ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ମେଡିକାଲ ଫାଟକକୁ ବନ୍ଦ କରିବା ଦ୍ୱାରା ରୋଗୀ ଓ ସମ୍ପର୍କୀୟମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ବିରୋଧାରେ ଗୁରୁବାର ବିଜେପିର ଏକ ପ୍ରତିନିଧି ମଣ୍ଡଳୀଆରଡିସିଙ୍କୁ ଭେଟି ଏହାର ପ୍ରତିକାର ବ୍ୟବସ୍ଥା ଦାବି କରିଛନ୍ତି। ବିଜେପି ପକ୍ଷରୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଏକ ଦଶନ୍ଧି ହେବ ଏମ୍କେସିଜି କର୍ତ୍ତୃପକ୍ଷ ମେରୀ ରାୟ ଅନୁସାରେ ଶାସନ କରୁଛନ୍ତି। ଏହାଦ୍ବାରା ଜନସାଧାରଣ ଓ ରୋଗୀଙ୍କ ସମ୍ପର୍କୀୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ୪/୫ ଦିନ ହେବ ରାତି ୧୦ଟା ପରେ ମେଡିକାଲର ଏହି ଫାଟକକୁ ବନ୍ଦ କରି ଦିଆଯାଉଛି। ନିର୍ଦିଷ୍ଟ କେତେକ ଆମ୍ବୁଲାନ୍ସଙ୍କୁ ଚିହ୍ନଟ କରି ସୁରକ୍ଷାକର୍ମୀମାନେ ଛାଡୁଛନ୍ତି। ଅନ୍ୟ ଆମ୍ବୁଲାନ୍ସକୁ ଛଡା ଯାଉ ନଥିବାରୁ ଗୁରୁତର ରୋଗୀମାନଙ୍କ ସ୍ବାସ୍ଥାବସ୍ଥା ସଙ୍ଗୀନ ହେଉଛି। ରୋଗୀଙ୍କ ସମ୍ପର୍କୀୟମାନେ ଏହି ଫାଟକ ବାଟେ ଗରମ ପାଣି, ହର୍ଲିକ୍ସ, ଖାଦ୍ୟ ପଦାର୍ଥ ନେଉଥିଲେ। ହେଲେ ଏବେ ରାତି ୧୦ଟା ପରେ ସେମାନେ ହଇରାଣ ହରକତ ହେଉଛନ୍ତି। ଜରୁରୀ ପରିସ୍ଥିତିରେ ରୋଗୀଙ୍କ ଅବସ୍ଥା ଗୁରୁତର ହେଉଛି। ଏହି ଫାଟକ ଦେଇ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଖାନାକୁ ଆସିଥାନ୍ତି। ହେଲେ ଫାଟକ ବନ୍ଦ ହୋଇଯିବାରୁ ସେମାନେ ହଇରାଣ ହରକତ ହେଉଛନ୍ତି। ଜରୁରୀକାଳୀନ ଚିକିତ୍ସା ବିଭାଗରେ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହିବା କଥା କିନ୍ତୁ; ସେମାନେ ରହୁ ନାହଁାନ୍ତି। ଡାକ୍ତରମାନେ ସିଧା ସଳଖ ନର୍ସିଂହୋମ ସହ ସମ୍ପର୍କ ରଖିଛନ୍ତି। ତେଣୁ ଏହି ଫାଟକ ବନ୍ଦ ହେଲେ ନର୍ସିଂହୋମର ବେପାର ବଢିବ। ଫାଟକ ବନ୍ଦ କରିବାରେ ଏହା ହେଉଛି ମୁଖ୍ୟ ଉଦେଶ୍ୟ। ଯଦି ଡାକ୍ତରମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ତାହା ହେଲେ ସେମାନେ ପୁଲିସ ପାଟ୍ରୋଲିଂ କଡ଼ାକଡି କରିବାକୁ ଦାବି କରିପାରନ୍ତେ। ହେଲେ ଡାକ୍ତରମାନେ ତାହା ଚାହୁଁ ନାହଁାନ୍ତି। ଡାକ୍ତରଖାନାରେ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିଲେ ମଧ୍ୟ ପାର୍କିଂ ଆଳରେ ଅର୍ଥ ଆଦାୟ କରାଯାଉଛି। ଏମ୍କେସିଜିର ମୁଖ୍ୟ ଫାଟକ ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ପାଇଁ ୨୪ ଘଣ୍ଟା ଖୋଲାଯାଉ ଓ ପାର୍କିଂ ଆଳରେ ଅର୍ଥ ଆଦାୟ ବନ୍ଦ ହେଉ ବୋଲି ଏହି ପ୍ରତିନିଧି ମଣ୍ଡଳୀ ଦାବି କରିଛି। ଏହି ପ୍ରତିନିଧି ମଣ୍ଡଳୀରେ ଗଞ୍ଜାମ ଜିଲା ଉପସଭାପତି ରାମ କୁମାର ପାତ୍ର, ଦୀପକ ମିଶ୍ର, ଗୌରୀ ମହାନ୍ତି, ରାଜୀବ କୁମାର ମିଶ୍ର, ଅଖିଳ ସାହୁ ପ୍ରମୁଖ ଥିଲେ।