ସର୍ବାଧିକ ୩୦ଟି ଘାଇ ହୋଇଥିବା ଯାଜପୁର ଜିଲ୍ଲା ଗସ୍ତ କରି ବନ୍ୟାଚଂଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ସଭାପତି
ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚାଇବାର ବ୍ୟବସ୍ଥା କରୁ ଜିଲ୍ଲାପ୍ରଶାସନ
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଗସ୍ତ କରି ବନ୍ୟାଚଂଳ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ସଭାପତି
ବନ୍ୟା ପ୍ରପୀଡିତ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ପଚାରି ବୁଝିଲେ
ନିମ୍ନମାନର କାମ ଯୋଗୁଁ ବନ୍ଧରେ ଘାଇ ହୋଇଛି ଏବଂ ଏହି ବନ୍ୟା ମନୁଷ୍ୟକୃତ
ବନ୍ୟାର ୪ ଦିନ ପରେ ବି ପ୍ରଶାସନର କୌଣସି ଅଧିକାରୀଙ୍କ ଦେଖାନାହିଁ
ଜଳ ନିଷ୍କାସନ ପାଇଁ ପ୍ରଶାସନର କୌଣସି ବ୍ୟବସ୍ଥା ନାହିଁ
ଜିଲ୍ଲାର ହଜାର ହଜାର ହେକ୍ଟର ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଛି
ପ୍ରଶାସନ ପହଂଚି ନଥିବାରୁ ଗୋପାଳପୁର ପଂଚାୟତର ହଜାର ହଜାର ଲୋକ ପାଣି ଘେରରେ ଅଛନ୍ତି
ଭୁବନେଶ୍ୱର,ତା.୩୧/୮: ଲଗାଣ ବର୍ଷା ଯୋଗୁଁ ସମଗ୍ର ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି । ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତିର ପ୍ରଭାବ ଅଧିକା ରହିଛି ।
ଯାଜପୁର ଜିଲ୍ଲାର ବିଭିନ୍ନ ନଦୀରେ ୩୦ରୁ ଅଧିକ ଘାଇ ସୃଷ୍ଟି ହୋଇଛି । ଯାଜପୁର ଜିଲ୍ଲା ବିଭିନ୍ନ ବ୍ଲକରେ ବନ୍ୟା ଜଳ ମାଡିଯିିବାରୁ ହଜାର ହଜାର ସଂଖ୍ୟାରେ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଗୋପାଳପୁର ପଂଚାୟତ ଗସ୍ତ କରି ବନ୍ୟାଚଂଳ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀ ମହାନ୍ତି ଡଙ୍ଗାରେ ବାଲିଚନ୍ଦନପୁର ବ୍ଲକର ବିଭିନ୍ନ ପଂଚାୟତ ବୁଲି ବନ୍ୟା ପ୍ରପୀଡିତ ଲୋକଙ୍କ ସମସ୍ୟା ପଚାରି ବୁଝିିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ରିଲିଫ ସାମଗ୍ରୀ ସେମାନଙ୍କ ପାଖରେ ପହଂଚାଇବା ପାଇଁ ଦାବୀ କରିଛନ୍ତି ।
ବନ୍ୟା ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲୋକମାନଙ୍କ ପାଖରେ ପ୍ରଶାସନ ପହଂଚି ନଥିବାରୁ ଗୋପାଳପୁର ପଂଚାୟତର ହଜାର ହଜାର ଲୋକ ପାଣି ଘେରରେ ଅଛନ୍ତି । କିଛି ମାଟି ଘର ଭାଙ୍ଗି ଯାଇଛି । ଲୋକଙ୍କ ପାଖରେ ପିଇବା ପାଣି, ଶୁଖିଲା ଖାଦ୍ୟ, ଔଷଧ ମହଜୁଦ୍ ନାହିଁ । ବନ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ଏବଂ ଗୃହପାଳିତ ପଶୁମାନଙ୍କ ପାଖରେ ଗୋ ଖାଦ୍ୟ ପହଂଚି ନାହିଁ । ବନ୍ୟା ଜଳ ନିଷ୍କାସନ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ ।
ବନ୍ୟାର ୪ ଦିନ ପରେ ବି ପ୍ରଶାସନର କୌଣସି ଅଧିକାରୀ ଏହି ଅଂଚଳକୁ ଆସିନାହାଁନ୍ତି । ପୂର୍ବରୁ ରାଜ୍ୟସରକାର ବନ୍ୟା ହେବା ନେଇ କୌଣସି ପ୍ରକାର ସୂଚନା ଦେଇନଥିଲେ । ବନ୍ୟା ପୂର୍ବରୁ ନଦୀ ବନ୍ଧ ସୁରକ୍ଷିତ ଅଛି ବୋଲି ସରକାର ଲୋକଙ୍କୁ ଆଶ୍ୱସ୍ତ କରିଥିଲେ । ଏହା ସତ୍ୱେ ଜିଲ୍ଲାରେ ୩୦ଟି ଘାଇ କିପରି ସୃଷ୍ଟି ହେଲା ? ଖୋଦ୍ ଜିଲ୍ଲାପାଳ ଗୋଟିଏ ଘାଇ ମନୁଷ୍ୟକୃତ ବୋଲି କହିବାରୁ ସ୍ପଷ୍ଟ ଜଣାପଡୁଛି କି, ରାଜ୍ୟସରକାର କିମ୍ବା ଜିଲ୍ଲାପ୍ରଶାସନ ବନ୍ୟା ନେଇ କୌଣସି ପ୍ରକାରର ପ୍ରସ୍ତୁତି ନଥିଲେ । ଜିଲ୍ଲାର ହଜାର ହଜାର ହେକ୍ଟର ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ଦୁର୍ବଳ ନଦୀବନ୍ଧର ସୁଦୃଢୀକରଣ ନାଁରେ ନିମ୍ନମାନର ବନ୍ଧ କାମ କରାଯାଇଛି । ନିମ୍ନମାନର କାମ ଯୋଗୁଁ ବନ୍ଧରେ ଘାଇ ହୋଇଛି । ଏହି ବନ୍ୟା ମନୁଷ୍ୟକୃତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଜଳମଗ୍ନ ହୋଇଥିବା ଅଂଚଳରେ ଜିଲ୍ଲା ପ୍ରଶାସନ ପହଂଚି ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚାଇବାର ବ୍ୟବସ୍ଥା କରିବା ସହ କ୍ଷୟକ୍ଷତି ଫସଲର ଆକଳନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗସ୍ତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଶ୍ରୀ ମହାନ୍ତି କହିଛନ୍ତି । ପୂର୍ବରୁ ବନ୍ୟା ବିପତି ସମୟରେ ଜନସାଧାରଣଙ୍କୁ ସଚେତନ କରାଇବା ଏବଂ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ବନ୍ୟା ପ୍ରପୀଡିତ ଲୋକଙ୍କୁ ଶୁଖିଲା ଖାଦ୍ୟ, ପାଣି, ଔଷଧ ଆଦି ଯୋଗାଇବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ ।
ଏହି ପ୍ରତିନିଧୀ ଦଳ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଅମର ନାୟକ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ,ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ପବିତ୍ର ଦାସ ପ୍ରମୁଖ ସାମିଲ ଥିଲେ ।