Odisha news

ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦାବୀରେ ବିଧାନସଭା ସମ୍ମୁଖରେ ପ୍ରତିବାଦ

0

 ରାଜ୍ୟ ସରକାର ଅହେତୁକ ନୀରବତା ଅବଲମ୍ବନ କରି ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ପକ୍ଷପାତିତା କରୁଛନ୍ତି : ସମୀର ମହାନ୍ତି
 ରାଜ୍ୟ ଶିକ୍ଷାନୁଷ୍ଠାନଗୁଡିକରେ ଓବିସି ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସଂଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରନ୍ତୁ ରାଜ୍ୟ ସରକାର : ସୁରଥ ବିଶ୍ୱାଳ

ଭୁବନେଶ୍ୱର, ତା.୨୩/୦୭: ଓଡିଶା ଜନସଂଖ୍ୟାର ୫୨ ପ୍ରତିଶତ ହେଉଛନ୍ତି ଓବିସି ବର୍ଗ । ବୈମାତୃକ ମନୋଭାବ ରଖିଥିବା ରାଜ୍ୟ ସରକାର ଓବିସି ବର୍ଗକୁ କେବଳ ଅଣଦେଖା କରୁନାହାନ୍ତି ବରଂ ତାଙ୍କୁ ସାମ୍ବିଧାନିକ ଅଧିକାର, ଶିକ୍ଷା, ଚାକିରୀରୁ ଆଦି କ୍ଷେତ୍ରରେ ବଂଚିତ ରଖୁଛନ୍ତି । ନିର୍ବାଚନ ଆସିଲେ କୁମ୍ଭୀର କାନ୍ଦଣାର ଛଳନା କରି ଭ୍ରମିତ କରୁଥିବା ରାଜ୍ୟ ସରକାରଙ୍କ ବାସ୍ତବରେ ଓବିସିଙ୍କ ବିକାଶ ପାଇଁ କୈାଣସି ଇଚ୍ଛାଶକ୍ତି ନାହିଁ । ଏପରିକି ଓବିସି ବର୍ଗ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାକୁ ମଧ୍ୟ ପଛାଉ ନାହାନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ଦେଶର ବିଭିନ୍ନ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଓବିସି ବର୍ଗ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ସଂରକ୍ଷଣର ବ୍ୟବସ୍ଥା କରିଥିବାବେଳେ ବାରମ୍ବାର ଦାବୀ ସତ୍ୱେ ରାଜ୍ୟ ସରକାର ଏଥି ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ରାଜ୍ୟ ସରକାର ଅହେତୁକ ନୀରବତା ଅବଲମ୍ବନ କରି ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ପକ୍ଷପାତିତା କରୁଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଶିକ୍ଷାରେ ସଂରକ୍ଷଣ ଦାବୀ କରି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଆଜି ବିଧାନସଭା ସମ୍ମୁଖ ଲୋୟର ପିଏମଜିଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳ ମୁଝ୍ୟ ସଚେତକ ମୋହନ ମାଝୀଙ୍କ ସମେତ ବହୁ ବିଧାୟକ ପ୍ରମୁଖ ପ୍ରତିବାଦ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଓବିସି ବର୍ଗ ପ୍ରତି ଥିବା ବୈମାତୃକ ମନୋଭାବକୁ କଡା ଭାଷାରେ ନିନ୍ଦା କରିବା ସହିତ ସଂରକ୍ଷଣ ପ୍ରସଙ୍ଗରେ ତୁରନ୍ତ ନିଷ୍ପତି ନେବା ପାଇଁ ଦାବୀ କରିଛନ୍ତି ।

ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ନୁତନ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ବସିଛି । ମେଟ୍ରିକ ଓ ଦ୍ୱାଦଶ ଶ୍ରେଣୀର ପରିକ୍ଷା ଫଳ ବାହାରିଛି । ବହୁ ଶୀଘ୍ର ଉଚ୍ଚ ଶିକ୍ଷା ଏବଂ ନୂତନ ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯିବ । ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ଚିନ୍ତାରେ ଅଛନ୍ତି । ଅନ୍ୟ ରାଜ୍ୟମାନଙ୍କରେ ଓବିସି ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା ଥିବାବେଳେ ଓଡିଶାରେ ଏହି ସଂରକ୍ଷଣ ବ୍ୟବସ୍ଥା ନଥିବା କାରଣରୁ ବହୁ ଛାତ୍ରଛାତ୍ରୀ ଉଚିତ୍ ଶିକ୍ଷାପ୍ରାପ୍ତିରେ ବଂଚିତ ହେବାର ସମ୍ଭାବନା ପୁଣି ଥରେ ଦେଖାଦେଇଛି । ମଧ୍ୟପ୍ରଦେଶ ସରକାର ନିଜ ପ୍ରତିବଦ୍ଧତା କାରଣରୁ ଓବିସିଙ୍କୁ ସଂରକ୍ଷଣ ଦେବାରେ ସଫଳ ହୋଇଥିବାବେଳେ ଓଡିଶା ସରକାର ବୈମାତୃକ ମନୋଭାବ ଓ ଇଚ୍ଛାକୃତ ଭାବେ ସଂଖ୍ୟାଧିକ ଓବିସି ବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରିଛନ୍ତି ।

ବିଭିନ୍ନ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଭଳି ରାଜ୍ୟ ଶିକ୍ଷାନୁଷ୍ଠାନଗୁଡିକରେ ଓବିସି ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସଂଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଶ୍ୱାଳ ଦାବୀ କରିଛନ୍ତି । ରାଜ୍ୟ ସରକାର ଓବିସି ବିରୋଧୀ ମନୋଭାବକୁ ପରିତ୍ୟାଗ ନକଲେ ଓବିସି ମୋର୍ଚ୍ଚା ଲୋକଙ୍କ ପାଖକୁ ଯାଇ ଏବଂ ଲୋକମାନଙ୍କ ସହିତ ରାଜରାସ୍ତାରେ ଅନେ୍ଦାଳନ କରିବ ବୋଲି ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି ।

ଏହି ଅବସରରେ ଓବିସି ମୋର୍ଚ୍ଚା କେନ୍ଦ୍ରୀୟ ସହପ୍ରଭାରୀ ଲକ୍ଷ୍ମଣ ଟି ତପଶି, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଷ୍ମନ୍ତ ଦାସ, ରାଜ୍ୟ ଉପସଭାପତି ସୁକାନ୍ତ ବିଶ୍ୱାଳ, ପ୍ରଶାନ୍ତ ନାୟକ, ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ପ୍ରତାପ ପ୍ରଧାନ, ରାଜ୍ୟ ସଂପାଦକ ଦୁର୍ଗାପ୍ରସନ୍ନ ନାୟକ, ସିଦ୍ଧାର୍ଥ ଶଂକର ପତି, ସଂଗ୍ରାମ ନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ଉପେନ୍ଦ୍ର ଭଂଜ ପ୍ରମୁଖଙ୍କ ସମେତ ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ସୁଶାନ୍ତ ଜେନା, ପ୍ରଶାନ୍ତ ନାୟକ, ସାବିତ୍ରୀ ବିଶ୍ୱାଳ, ସୁଜାତା ବାରିକ ପ୍ରମୁଖ ଏବଂ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

Leave A Reply