ପ୍ରମାଣ ନଷ୍ଟ କରିସାରିବା ପରେ ଗୋଟେ ମାଆକୁ କନ୍ଦେଇ ମା’ ମାଣିକେଶ୍ୱରଙ୍କ ନାଁ ନେଇ ଖସିପାରିବେ ନାହିଁ ଦିବ୍ୟଶଙ୍କର: ଲେଖାଶ୍ରୀ
ଦିବ୍ୟଶଙ୍କର ରାଜ୍ୟବାସୀଙ୍କୁ ଦିନରେ ଲଣ୍ଠନ ନ ଦେଖାଇ ଓଡ଼ିଶାବାସୀଙ୍କ ପ୍ରଶ୍ନର ଉତ୍ତର ରଖନ୍ତୁ
ଭୁବନେଶ୍ୱର, ଅକ୍ଟୋବର ୨୯ – କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଅଞ୍ଚଳରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଲିଖିତ ଭାବରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦେଇଥିବା ୧୦ଟି ପଏଣ୍ଟରେ ଦେଇଥିବା ବିବୃତ୍ତିର ପ୍ରତିଜବାବ ରଖିବା ସହ ମନ୍ତ୍ରୀଙ୍କୁ ସିଧାସଳଖ ୪ଟି ପ୍ରଶ୍ନ ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । ଦିବ୍ୟଶଙ୍କରଙ୍କ ବିବୃତ୍ତିରୁ ବିଜୁ ଜନତା ଦଳ ଏବଂ ତାଙ୍କ ନେତୃତ୍ୱର ସମ୍ବେଦନହୀନତା ସ୍ପଷ୍ଟ ବାରି ହେଉଛି । ପ୍ରମାଣ ନଷ୍ଟ କରିସାରିବା ପରେ ଗୋଟେ ମାଆକୁ କନ୍ଦେଇ ମାଆ ମାଣିକେଶ୍ୱରଙ୍କ ନାଁ ନେଇ ଖସିପାରିବେ ନାହିଁ । ଦିବ୍ୟଶଙ୍କର ରାଜ୍ୟବାସୀଙ୍କୁ ଦିନରେ ଲଣ୍ଠନ ନ ଦେଖାଇ ଓଡ଼ିଶାବାସୀଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଲେଖାଶ୍ରୀ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି ।
୧. ଶ୍ରୀମତି ସିଂହାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଅଞ୍ଚଳରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତ୍ତି ବିଭ୍ରାନ୍ତିକର ଓ ନିନ୍ଦନୀୟ । ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଯାଇ ମନ୍ତ୍ରୀଙ୍କ ଏହି ବୃଥା ପ୍ରୟାସ ଓ ଅପଚେଷ୍ଟା ଏହି ବିବୃତ୍ତିରୁ ଜଣାପଡ଼ୁଛି ।
୨. ନିଜ ନିର୍ବାଚନ ମଣ୍ଡଳିରେ ଘଟିଥିବା ଘଟଣା ୨୧ ଦିନ ପରେ ମନ୍ତ୍ରୀ ଏହି ଘଟଣାରେ ମୁହଁ ନ ଖୋଲି ଲିଖିତ ଭାବରେ ବିବୃତ୍ତି ଜଣାଇବା ଯେତେ ସମ୍ବେଦନହୀନ, ସେତେ ଦୁର୍ଭାଗ୍ୟଜନକ । ଗୃହମନ୍ତ୍ରୀ ଭାବରେ ପୋଲିସର ଅପବ୍ୟବହାର କରି ଆଇନ ତଦନ୍ତର ବାଟବଣା କରିବା ପରେ ତଥା ଆଇନ ଅନୁଯାୟୀ ଦଣ୍ଡ ଦିଆଯିବା କହି ଦିବ୍ୟଶଙ୍କରଙ୍କ ପାରିବାପରିଆ ଜଣାପଡ଼ୁଛି ।
୩. ବାୟୁ ସେନାରେ ସେ ଜଣେ ପୂର୍ବତନ ସୈନିକ କହି ପ୍ରଶଂସା ସାଉଁଟିବା ପାଇଁ ସେ ଅପଚେଷ୍ଟା କରିଛନ୍ତି । ଦୟାକରି ମନ୍ତ୍ରୀ ମହୋଦୟ ଏପରି କଥା କହି ଭାରତୀୟ ବାୟୁ ସେନାକୁ ନିନ୍ଦିତ ନ କରନ୍ତୁ । ଭାରତୀୟ ବାୟୁ ସେନା ପ୍ରତି ଦେଶର ନାଗରିକଙ୍କର ଯଥେଷ୍ଟ ସମ୍ମାନ ରହିଛି । ତାହାକୁ କ୍ଷୁର୍ଣ୍ଣ କରନ୍ତୁ ନାହିଁ ।
୪. ଘଟଣା ଘଟିବାର ୨୧ ଦିନ ବିତିଯାଇଥିଲେ ମଧ୍ୟ ଦିବ୍ୟଶଙ୍କର, ବିଜେଡ଼ି ଦଳ ଏବଂ ତାଙ୍କର ଦଳର ମୁଖିଆ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ନାହିଁ କିମ୍ବା ଭେଟିଲେ ନାହିଁ । ନିଜେ ଏହି ଘଟଣାରେ ନୀରବ ରହିବା ଓ ଆତ୍ମଗୋପନ କରିବା ରାଜ୍ୟର ସାଢେ ଚାରି କୋଟି ଜନତାଙ୍କୁ କଷ୍ଟ ଦେଇଛି ।
୫. ନିରପେକ୍ଷ ଖବର ପ୍ରସାରିତ କରୁଥିବା ଗଣମାଧ୍ୟମ ଅର୍ଗସ ଟିଭି, ଓଟିଭି ଓ ଓଡିଶା ରିପୋର୍ଟର ସହିତ ଓଡ଼ିଶାର ସମସ୍ତ ଗଣମାଧ୍ୟମକୁ ନାଲି ଆଖି ଦେଖାଇ ମାନହାନୀ ମୋକଦ୍ଦମା କରି ଦିବ୍ୟଶଙ୍କର ମିଶ୍ର ଏହି ଜଘନ୍ୟ ହତ୍ୟାକାଣ୍ଡରୁ ଖସିପାରିବେ ନାହିଁ କିମ୍ବା ସତ୍ୟ ପରିବେଷଣ କରୁଥିବା ଗଣମାଧ୍ୟମ ଉପରେ ରୋକ ଲଗାଇ ପାରିବେ ନାହିଁ । ଆମେ ରାଜ୍ୟର ସମସ୍ତ ଗଣମାଧ୍ୟମ ସହ ଅଛୁ । ପୀଡ଼ିତା ପରିବାରଙ୍କୁ ନ୍ୟାୟରୁ ବଞ୍ଚିତ କରି ଏହି ଘଟଣାରେ ନିବୃତ୍ତ ରହିପାରିବେ ନାହିଁ । ମନ୍ତ୍ରୀ ଭାବେ ଏହି ଘଟଣାର ତଥ୍ୟ ପ୍ରମାଣ ନଷ୍ଟ କରିବା ପରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁକ୍ତ ଓ ନିରପେକ୍ଷ ତଦନ୍ତ କଥା କହିବା ଦୁଃଖଦ ପୂର୍ଣ୍ଣ ।
୬. ସତ୍ୟ ପାଇଁ ଲଢ଼େଇ କରିବା କଥା କହିବା ଓ ନିଜ ନିର୍ବାଚନ ମଣ୍ଡଳିର ପ୍ରତିନିଧି ହୋଇ ମଧ୍ୟ ସେ ପରିବାରକୁ ଦେଖାନକରିବା ସମ୍ବେଦନହୀନତା ଦର୍ଶାଉଛି ଏବଂ ତାଙ୍କ ସମ୍ପୃକ୍ତି ଥିବା ମୃତ ମମିତାଙ୍କ ବାପା ମାଆ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ।
୭. ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗ କଲେଜକୁ ବାରମ୍ବାର ଅନ୍ଧାରିବିଜେ କରନ୍ତି ବୋଲି ଅଭିଯୋଗ ହେଉଛି । ଶ୍ରୀ ମିଶ୍ର ମଧ୍ୟ କହୁଛନ୍ତି ବାରମ୍ବାର ମୁଁ ଏ କଲେଜକୁ ଆସିଲେ ଯୁବକତ୍ୱ ଫେରିଆସେ !
୮. ଯଦି ଦିବ୍ୟଶଙ୍କରଙ୍କର ତଦନ୍ତ ପାଇଁ ଭୟ ନାହିଁ ଏବଂ ମନ୍ତ୍ରୀ ପଦ ପାଇଁ ଲୋଭ ନାହିଁ ପ୍ରଥମେ ଗୃହ ରାଷ୍ଟ୍ର ମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ସୁପାରିଶ କରନ୍ତୁ । ପରବର୍ତ୍ତୀ ପର୍ୟ୍ୟାୟରେ ନିଜେ ଇସ୍ତଫା ଦେଇ ନିରପେକ୍ଷ ତଦନ୍ତ ପାଇଁ ବାଟ ଖୋଲନ୍ତୁ ।
୯. ଆମେ ମମିତାଙ୍କ ପରିବାର ସହ ଅଛୁ ଏବଂ ଓଡ଼ିଶାର ସମସ୍ତ ଗଣମାଧ୍ୟମକୁ ଅନୁରୋଧ କରୁଛୁ, ଘଟଣାର ଅନୁଧ୍ୟାନ କରି ସତ୍ୟାସତ୍ୟ ବାହାରକୁ ଆଣିବାକୁ ଚେଷ୍ଟା କରନ୍ତୁ ।
୧୦. କଳାହାଣ୍ଡିର ଭାବାବେଗର ପ୍ରତୀକ ମାଆ ମାଣିକେଶ୍ୱରୀ କହି ଜିଲ୍ଲାବାସୀଙ୍କ ଭାବାବେଗକୁ ଅପମାନିତ କରନ୍ତୁ ନାହିଁ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି । –
୧. ମମିତା ମେହେରଙ୍କ ପାଖରେ ଦିବ୍ୟଶଙ୍କରଙ୍କ କେଉଁ ଭିଡ଼ିଓ ଥିଲା, ଯେଉଁଥିପାଇଁ ମମିତାଙ୍କ ବିଭତ୍ସ ଭାବେ ହତ୍ୟା କରାଗଲା ? ଏହା ଉପରେ ଦିବ୍ୟଶଙ୍କର ସ୍ପଷ୍ଟିକରଣ ରଖନ୍ତୁ ।
୨. ରାୟପୁରରେ ଏକ ଘରେ ସେ ହତ୍ୟାକାରୀ ଗୋବନ୍ଦ ସାହୁଙ୍କ ସହ କଣ ବୁଝାମଣା କରିବାକୁ ଯାଇଥିଲେ ? ମନ୍ତ୍ରୀ ଉତ୍ତର ରଖନ୍ତୁ ।
୩. ଗୋବିନ୍ଦ ସାହୁ ଫେରାର କରାଇବା ଏବଂ ଘଟଣାକୁ ଚାପି ଦେବା ଓ ପ୍ରମାଣ ନଷ୍ଟ କରିବାରେ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଅଛନ୍ତି ନା ନାହିଁ, ସ୍ପଷ୍ଟ କରନ୍ତୁ ।
୪. ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ କେଉଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଗୋବିନ୍ଦ ସାହୁ ଯାଇଥିଲେ ତାହା ଉପରେ ମଧ୍ୟ ମନ୍ତ୍ରୀ ଉତ୍ତର ରଖିବା ପାଇଁ ବିଜେପି ପକ୍ଷରୁ ଦାବୀ କରାଯାଉଛି ।
Comments are closed.