Odisha news

ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାର ବେଆଇନ ପାଉଁଶ ଗଦା କାରଣରୁ ଜିଲ୍ଲାବାସୀ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରସଙ୍ଗରେ ମୁଖ୍ୟ ଶାସନସଚିବଙ୍କୁ ପତ୍ର ଲେଖି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କଲେ ବିଜେପି ବିଧାୟକ

0

 ରାଜ୍ୟ ପ୍ରଦୁଷଣ ବୋର୍ଡ କର୍ତୃପକ୍ଷଙ୍କୁ ଭେଟି କୋଭିଡ୍-୧୯ କଟକଣା କାରଣରୁ ଆସନ୍ତା ୩୦ରେ ହେବାକୁ ଥିବା ଜନଶୁଣାଣୀ ଘୁଂଚାଇବା ପାଇଁ ଦାବୀ
ଭୁବନେଶ୍ୱର, ତା.୨୫/୦୯: ଶିଳ୍ପାଂଚଳ ଭାବେ ପରିଚିତ ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପ କାରଖାନାରୁ ନିର୍ଗତ ପାଉଁଶ ଗଦା ହୋଇ ଧନଜୀବନ ପ୍ରତି ବିପଦ ହୋଇପଡିଛି । ବିନା କୈାଣସି ଅନୁମତିରେ ଜିଲ୍ଲାର ବିଭିନ୍ନ ଗୋଚର ଓ ଜଙ୍ଗଲ ଜମିରେ ଅନାବଶ୍ୟକ ଓ ବିଷାକ୍ତ ପାଉଁଶ ଗଦା ହୋଇ କୃତ୍ରିମ ପାହାଡ ସୃଷ୍ଟି ହୋଇଛି । ଏହା ଦ୍ୱାରା ପାନୀୟ ଜଳ, ପରିବେଶ ଆଦି ପ୍ରଭାବିତ ହୋଇ ସ୍ଥାନୀୟବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଅତି ଗୁରୁତର ହେବା ସହ ବିପଦରେ ପଡିଛି ।

ଏପରିକି ଚାଷଜମିରେ ବିଷାକ୍ତ ପାଉଁଶ ପାଣି ମାଡିଯିବାରୁ ବ୍ୟାପକ କ୍ଷୟକ୍ଷତି ହେଉଛି । ଏଥିରେ ଶାସକ ବିଜେଡି ଦଳର କିଛି ପ୍ରଭାବଶାଳୀ ନେତା, ମାଫିଆ ଓ ଗୁଣ୍ଡାମାନେ ସଂପୃକ୍ତ ଅଛନ୍ତି । ଏହି ସଂକ୍ରାନ୍ତରେ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦେ୍ଦଶ୍ୟରେ ପତ୍ର ଲେଖି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରବି ନାଏକଙ୍କ ନେତୃତ୍ୱରେ ଚଳିତ ମାସ ୯ ଏବଂ ୧୩ ତାରିଖ ଦିନ ଉଭୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପାଉଁଶ ଗଦା ହୋଇଥିବା ଅଂଚଳ ବୁଲି ସ୍ଥିତି ନିରୀକ୍ଷଣ କରିବା ସହ ସ୍ଥାନୀୟବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ଏକ ସବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଏହି ପ୍ରତିନିଧି ଦଳ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।

ଉଭୟ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାସ୍ଥିତ ବେଦାନ୍ତ ଆଲୁମିନା, ଭୂଷଣ ପାୱାର ଓ ଷ୍ଟିଲ୍, ସମଲେଶ୍ୱରୀ ସ୍ପଞ୍ଜ, ବିରାଜ ଷ୍ଟିଲ୍ ଆଦି କଂପାନୀରୁ ନିର୍ଗତ ହେଉଥିବା ଅନାବଶ୍ୟକ ପାଉଁଶକୁ ଜିଲ୍ଲା ପ୍ରଶାସନର ଜ୍ଞାତସାରରେ ସମସ୍ତ ପ୍ରକାରର ସରକାରୀ ଆଇନ ଓ ନୀତିନିୟମକୁ ଉଲ୍ଲଂଘନ କରି ଜିଲ୍ଲାର ବିଭିନ୍ନ ଗୋଚର ଏବଂ ଜଙ୍ଗଲ ଜମିରେ କୃତ୍ରିମ ପାହାଡ ସଦୃଶ ଗଦା କରାଯାଇଛି ।

ଏହା ଦ୍ୱାରା ପରିବେଶ ପ୍ରଦୁଷଣ ହେବା ସହ ପାଉଁଶ ପାଣି ମାଡି ଯାଇ ଚାଷଜମି, ପୋଖରୀ, ନଦୀ ଆଦି ମଧ୍ୟ ପ୍ରଦୁଷିତ ହେଉଛି । ପ୍ରଦୁଷିତ ଓ ବିଷାକ୍ତ ପାନୀୟ ଜଳ କାରଣରୁ ନିରୀହ ଓ ଜନସାଧାରଣଙ୍କ ଜୀବନ ଓ ସ୍ୱାସ୍ଥ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡିଛି । ଏପରିକି ନିର୍ଗତ ବିଷାକ୍ତ ପାଉଁଶ ପାଣି ହିରାକୁଦ ଜଳଭଣ୍ଡାରରେ ମିଶିବା କାରଣରୁ ମହାନଦୀ ବହୁ ମାତ୍ରାରେ ପ୍ରଦୁଷିତ ହେଉଛି ବୋଲି ମୁଖ୍ୟ ଶାସନ ସଚିବଙ୍କୁ ବିଜେପି ପ୍ରତିନିଧର ଦଳ ଜଣାଇଛି ।

ସେହିପରି କଂପାନୀରୁ ଡମ୍ପିଙ୍ଗ୍ ୟାର୍ଡକୁ ଟ୍ୟାଙ୍କର ଦ୍ୱାରା ପାଉଁଶ ନିଆଯିବାର ଆଇନ ଥିବା ସତ୍ୱେ ପରିବହନକାରୀ ଠିକା ସଂସ୍ଥାଗୁଡିକ ସମସ୍ତ ଆଇନକାନୁନକୁ ଖୋଲାଖୋଲି ଉଲ୍ଲଂଘନ କରି ଖୋଲା ଟ୍ରକ ଏବଂ ହାଇୱା ଦ୍ୱାରା ଅଧିକ ପରିମାଣର ପାଉଁଶ ନିଆଯାଉଥିବା କାରଣରୁ ବାୟୁମଣ୍ଡଳ ମଧ୍ୟ ପ୍ରଦୁଷିତ ହେଉଛି । ଗତ ୧୨ ତାରିଖ ଦିନ ବେଦାନ୍ତ କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ପାଉଁଶ ଝାରସୁଗୁଡା ଜିଲ୍ଲା କଲେକ୍ଟର ଏବଂ କୋର୍ଟ ପଛ ପାଶ୍ୱର୍ସ୍ଥିତ ପଂଚପଡା ଡଂପିଙ୍ଗ ୟାର୍ଡ ନିକଟସ୍ଥ କପୁମାଲ ନାଳରେ ମିଶି ପ୍ରଭାହିତ ପାଣିକୁ ଦୁଷିତ ହୋଇଥିଲା । ପିଏଚଡି ଦ୍ୱାରା ଏହି ଦୁଷିତ ଓ ବିଷାକ୍ତ ପାଣିକୁ ଝାରସୁଗୁଡା ସହର ଭିତର ଅନେକାଂଚଳକୁ ପାନୀୟ ଜଳ ଯୋଗାଣ କରାଯାଇଥିବା କାରଣରୁ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଛି ବୋଲି ମୁଖ୍ୟ ଶାସନସଚିବଙ୍କୁ ଅଇଜ୍ଞଚ୍ଛ କରାଯାଇଛି ।

ଘରୋଇ କଂପାନୀ ଏବଂ ଶାସକ ଦଳର ମଧୁଚନ୍ଦ୍ରିକା କାରଣରୁ ଆଜି ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାବାସିନ୍ଦାଙ୍କ ଜୀବନ ଓ ଜୀବିକା ସଂକଟ ଭିତରେ ଗତି କରୁଛି ।

ଉଭୟ ଜିଲ୍ଲାର ପ୍ରଶାସନ ଉପରୋକ୍ତ ନିୟମ ଖିଲାପକାରିଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ କଂପାନୀ ପ୍ରିତୀର ପରିଚୟ ଅଟେ । ରାଜ୍ୟ ସରକାର ତୁରନ୍ତ ଏଭଳି ଗୁରୁତର ସଂକଟର ସମସ୍ୟା ପାଇଁ ହସ୍ତକ୍ଷେପ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ସହ ଦୋଷୀ ଏବଂ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପାଖରେ ଦାବୀ କରାଯାଇଛି ।
ଏହି ଅବସରରେ ବିଧାୟକ ମୋହନ ମାଝୀ, ନାଉରୀ ନାଏକ, କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ, ଭବାନୀ ଭୋଇ, ସୁବାଷ ପାଣିଗ୍ରାହୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ,ପ୍ରକାଶ ସୋରେନ, ସୁକାନ୍ତ ନାୟକ ପ୍ରମୁଖଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ ।

ସେହିପରି ବର୍ତମାନ କୋଭିଡ-୧୯ କଟକଣା ଥିବା ସତ୍ୱେ ଜିଲ୍ଲା ପ୍ରଶାସନ ଆସନ୍ତା ୩୦ ତାରିଖ ଦିନ ବେଦାନ୍ତ କଂପାନୀର ପାଉଁଶ ଗଦାସ୍ଥଳୀ ବୃଦ୍ଧି ସକାଶେ ଆବଶ୍ୟକୀୟ ଜମିଗ୍ରହଣ ପାଇଁ ଜନଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ବର୍ତମାନ ସମୟରେ ଏହା ବାସ୍ତବ ପକ୍ଷେ ଅସମ୍ଭବ ଥିବା କାରଣରୁ ଧାର୍ଯ୍ୟ ଦିନ ଘୁଂଚାଇବାକୁ ବିଜପେି ଆଜି ପ୍ରଦୁଷଣ ନିୟନ୍ତ୍ରଣ ରାଜ୍ୟ ମୁଖ୍ୟଙ୍କୁ ଅନୁରୋଧ କରିଛି । ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରବି ନାଏକ, ବିଧାୟିକା କୁସୁମ ଟେଟେ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଏହି ପ୍ରସଙ୍ଗରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

Leave A Reply