ଭୁବନେଶ୍ୱର, ତା.୦୪/୦୨: ଗତକାଲି ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲାର ସାଧାରଣ ସମ୍ପାଦକ ଏନ୍. ରାଜେନ୍ଦ୍ର କୁମାରଙ୍କ ଅକାଳ ବିୟୋଗ ଘଟିଛି । ଏନ୍. ରାଜେନ୍ଦ୍ର ଜଣେ ପରିଶ୍ରମୀ ଯୁବ କାର୍ଯ୍ୟକର୍ତା ଥିଲେ ଏବଂ ଦଳୀୟ କାର୍ଯ୍ୟରେ ସର୍ବଦା ତତ୍ପର ରହୁଥିଲେ । ଭାରତୀୟ ଜନତା ପାର୍ଟି ଜଣେ କର୍ମନିଷ୍ଠ ଯୁବ କାର୍ଯ୍ୟକର୍ତାକୁ ହରାଇଛି । ତାଙ୍କ ଆକସ୍ମିକ ବିୟୋଗରେ ରାଜ୍ୟ ବିଜେପି ତଥା ଗଞ୍ଜାମ ବିଜେପିରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତଃ ଏନ୍. ରାଜେନ୍ଦ୍ରଙ୍କ ଅମର ଆତ୍ମର ସଦଗତି କାମନା ପାଇଁ ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଅଭିଜିତ୍ ମିଶ୍ରଙ୍କ ସଂଯୋଜନାରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।
ସ୍ୱର୍ଗତଃ ରାଜେନ୍ଦ୍ର କୁମାର କର୍ତବ୍ୟ ପରାୟଣ ଓ ବ୍ୟବହାରକୁଶଳୀ କାର୍ଯ୍ୟକର୍ତା ଥିଲେ । ନୂଆ ଯୁବପୀଢ଼ି ତାଙ୍କ ଦ୍ୱାରା ଅନୁପ୍ରାଣିତ ହେଲେ ତାଙ୍କ ପ୍ରତି ତାହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶ୍ରଦ୍ଧାଞ୍ଜଳୀ ସଭାରେ ବକ୍ତାମାନେ ମତ ପ୍ରକାଶ କରିଥିଲେ ।
ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ରାଜ୍ୟ ସମ୍ପାଦକ ସରୋଜ କର, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦେବପ୍ରସାଦ ନନ୍ଦ, ଡ.କୌଳାଶ ବିଶ୍ୱାଳ, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ।