Odisha news

ଜୁଆଙ୍ଗ ମୃତୁ୍ୟ ରାଜ୍ୟ ସରକାରଙ୍କ ସମ୍ବେଦନହୀନତାର ପ୍ରତିଫଳନ : ସତ୍ୟବ୍ରତ ପଣ୍ଡା

0

 ସରକାରୀ ଅବହେଳା ଓ ପ୍ରଶାସନିକ ଉଦାସିନତା ଯୋଗୁଁ କେନ୍ଦୁଝର ଜିଲ୍ଲା ସମେତ ସମଗ୍ର ଓଡିଶାର ଆଦିବାସୀ ଜନଜାତିଙ୍କ ପାଇଁ ବିକାଶ ଅପହଂଚ
 ବିଜେପିର ଏକ ପ୍ରତିନିଧି ଦଳ ବିଧାୟକ ତଥା ପିଏସି ଅଧ୍ୟକ୍ଷ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଜନ୍ତାରୀ ଗାଁକୁ ଗସ୍ତ କରିଥିଲେ
 ଦେଶର ଖଣିଜ ପାଣ୍ଠିରୁ ସର୍ବାଧିକ ପ୍ରାୟ ୧୦, ୨୫୮କୋଟି ଟଙ୍କା କେନ୍ଦୁଝର ଜିଲ୍ଲାରୁ ଆଦାୟ ହୋଇଥାଏ
 ଅପହଂଚ ଅଚଂଳର ଅଧିବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରହସନରେ ପରିଣତ ହୋଇଛି

ଭୁବନେଶ୍ୱର, ତା.୨୬/୧୦: ସରକାରୀ ଅବହେଳା ଓ ପ୍ରଶାସନିକ ଉଦାସିନତା ଯୋଗୁଁ କେନ୍ଦୁଝର ଜିଲ୍ଲା ସମେତ ସମଗ୍ର ଓଡିଶାର ଆଦିବାସୀ ଜନଜାତିଙ୍କ ପାଇଁ ବିକାଶ ଅପହଂଚ ରହିଛି । ଗତ ଗୋଟିଏ ମାସରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଜନ୍ତାରୀ ଗାଁରେ ୧୧ଜଣ ଜୁଆଙ୍ଗ ଜନଜାତିଙ୍କ ମୃତୁ୍ୟ ଏହାର ଏକ ସଦ୍ୟତମ ଦୃଷ୍ଟାନ୍ତ । ଭାରତରେ ୭୫ପ୍ରଜାତିର “ପର୍ଟିକୁର୍ଲାଲି ଭଲ୍ନେରେବ୍ଲ ଟ୍ରାଇ୍ବାଲ୍ ଗ୍ରୁପ୍” ବା ପିଭିଟିଜି ଦେଖାଯାଆନ୍ତି । ସେଥିମଧ୍ୟରୁ ୧୩ଟି ଜନଜାତି ଗୋଷ୍ଠୀ ଓଡିଶାରେ ଉପଲବ୍ଧ । ଜୁଆଙ୍ଗ ଜନଜାତି ତନ୍ମଧ୍ୟରୁ ଅନ୍ୟତମ । ସରକାରୀ ସଂରକ୍ଷଣ ଓ ସାମାଜିକ ଆରକ୍ଷଣ ଅଭାବରେ ଏହି ଜନଗୋଷ୍ଠୀ ସମୁହ ଧରାପୃଷ୍ଠରୁ ଲୁପ୍ତ ହୋଇଯିବାର ସମ୍ଭାବନା ଥିବା ଯୋଗୁଁ ଏମାନଙ୍କ ପାଇଁ ବିଶେଷ ସାମ୍ବିଧାନିକ ବ୍ୟବସ୍ଥା ରହିଛି । ଦେଶର ଖଣିଜ ପାଣ୍ଠିରୁ ସର୍ବାଧିକ ପ୍ରାୟ ୧୦, ୨୫୮କୋଟି ଟଙ୍କା କେନ୍ଦୁଝର ଜିଲ୍ଲାରୁ ଆଦାୟ ହୋଇଥାଏ । ଏହି ଅର୍ଥରେ ଜିଲ୍ଲାକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରି ହେଉଥିବା ଜିଲ୍ଲା ପ୍ରଶାସନ ଦାବି କରେ । କିନ୍ତୁ ଉପରୋକ୍ତ ଜନ୍ତାରୀ ଗାଁରେ ଏକମାତ୍ର “ଓଭରହେଡ୍ ଟାଙ୍କି”ର ପାଣିରେ ପୋକ ଶାଲୁବାଲୁ ଏବଂ ପାନୀୟ ଅଯୋଗ୍ୟ । ତେଣୁ ଜୁଆଙ୍ଗ ଅଧିବାସୀଗଣ ଚୁଆ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସ୍ରୋତର ଦୁଷିତ ଜଳ ବ୍ୟବହାର କରି ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇଛନ୍ତି ଏବଂ ୧୧ଟି ମୂଲ୍ୟବାନ ଜୀବନ ଲିଭିଯାଇଛି । “ଜୁଆଙ୍ଗ ମୃତୁ୍ୟ” ପ୍ରଚାର ସର୍ବସ୍ୱ ରାଜ୍ୟ ଯୋଜନାର ଅନ୍ତିମ ପରିଣାମ ଏବଂ ରାଜ୍ୟ ସରକାରଙ୍କ ସମ୍ବେଦନହୀନତାର ପ୍ରତିଫଳନ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ପୁଷ୍ଟିହୀନତା ନିରାକରଣ ପାଇଁ ଡିଏମ୍ଏଫରୁ ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ ହେଉଛି । କିନ୍ତୁ ଜନ୍ତାରୀ ସମେତ ଅଧିକାଂଶ ଗାଁରେ ପୁଷ୍ଠିହୀନତା ଭୟଙ୍କର ଆକାର ଧାରଣ କରିଛି । ୧୧ଜଣ ଜୁଆଙ୍ଗ ମୃତୁ୍ୟର ଖବର ପାଇ ଗତ ୨୧ତାରିଖ ଦିନ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ବିଧାୟକ ତଥା ପିଏସି ଅଧ୍ୟକ୍ଷ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଉକ୍ତ ଗାଁକୁ ଗସ୍ତ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପଯୁକ୍ତ ହିତାଧିକାରୀ ଘର ନପାଇବା, ଚିକିତ୍ସାର ସର୍ବନିମ୍ନ ସୁବିଧା ନଥିବା, ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ନମିଳିବା ଏପରିକି ମୃତୁ୍ୟବରଣ କରିଥିବା ୧୧ଜଣ ଜୁଆଙ୍ଗଙ୍କ ଶେଷ କୃତ୍ୟ ସମ୍ପନ୍ନ ପାଇଁ ବହୁ ପ୍ରଚାରିିତ ହରିଶ୍ଚନ୍ଦ୍ର ଯୋଜନାରୁ କୌଣସି ଅନୁଦାନ ନମିଳିବା ସେଠାକାର ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ।
ରାଜ୍ୟ ସରକାର ସାମାଜିକ ସୁରକ୍ଷା ଏବଂ ବିକାଶର ଅନେକ ଯୋଜନା ଘୋଷଣା କରିଥିଲେ ମଧ୍ୟ ସେଗୁଡିକ ତୃଣମୂଳସ୍ତରରେ ହିତାଧିକାରୀଙ୍କ ନିକଟରେ ସଠିକ୍ ସମୟରେ ପହଂଚିପାରୁନାହିଁ । ଅପହଂଚ ଅଚଂଳର ଅଧିବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରହସନରେ ପରିଣତ ହୋଇଛି । କେବଳ ବଡ ବଡ ହୋର୍ଡିଂ ଏବଂ ପୃଷ୍ଠାବ୍ୟାପି ବିଜ୍ଞାପନରେ ସରକାରୀ ଯୋଜନା ସଫଳ ହୁଏ ନାହିଁ କେନ୍ଦୁଝର ଜିଲ୍ଲା ଜନ୍ତାରୀ ଗାଁରୁ ରାଜ୍ୟ ସରକାର ଶିକ୍ଷା ଲାଭ କରିବେ ବୋଲି ଶ୍ରୀ ପଣ୍ଡା ଆଶା ପ୍ରକାଶ କରିଛନ୍ତି ।

Leave A Reply