Odisha news

ଅଭିଯୋଗ ଶୁଣିବା ପରିବର୍ତେ ଚାକିରୀରୁ ବହିଷ୍କାର କରିବା ଦୁର୍ଭାଗ୍ୟଜନକ : ସମୀର ମହାନ୍ତି

0

 ଚାକିରୀରେ ଅବସ୍ଥାପିତ କରାଇ ନ୍ୟାୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି
ଭୁବନେଶ୍ୱର, ତା.୦୫/୧୦: ଆପଣ ମହିଳା ସଶକ୍ତିକରଣ କଥା କହୁଛନ୍ତି । କିନ୍ତୁ ଜଣେ ଗରିବ ମା’ ର ଗୁହାରି ନଶୁଣି ତାଙ୍କୁ ଚାକିରୀରୁ ନିଲମ୍ବିତ କରିବା ମୋଟେ ଶୋଭନୀୟ ନୁହେଁ । ଏହି ବିଷୟ ମହିଳା ସଶକ୍ତିକରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୟୂରଭଞ୍ଜ ଭଳି ଆଦିବାସୀ ଅଧୁ୍ୟଷିତ ଜିଲ୍ଲାରୁ ଆମ ଓଡିଶାର ଝିଅ ରାଷ୍ଟ୍ରପତି ହୋଇଛନ୍ତି । କିନ୍ତୁ ସେହି ଜିଲ୍ଲାରେ ଝିଅଙ୍କ ଦୁଃଖ ନଶୁଣି ଚାକିରୀରୁ ବହିଷ୍କାର କରିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ।ସମୀର ମହାନ୍ତି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶ୍ରୀ ମହାନ୍ତି କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖୁଂଟା ବ୍ଲକ ବନ୍ଧଗୋଡା ଗ୍ରାମ ପଂଚାୟତର ଆଦିବାସୀ ମହିଳା ଶ୍ରୀମତୀ ଭାରତୀ ସିଂ ମିଶନ ଶକ୍ତି ଅଧୀନରେ ବ୍ୟାଙ୍କ୍ ମିତ୍ର ଭାବରେ କାର୍ଯ୍ୟ କରି ନିଜର ପରିବାର ଭରଣପୋଷଣ କରୁଥିଲେ । ପଂଚାୟତରେ ଦୀର୍ଘ ବର୍ଷ ଧରି କାମ କରୁଥିଲେ । ନିଜର କାମରେ ଭଲ ପ୍ରଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ମିଶନ ଶକ୍ତି ଦ୍ୱାରା ତାଙ୍କୁ ପୁରଷ୍କୃତ ମଧ୍ୟ କରିଛନ୍ତି । ବ୍ୟାଙ୍କ୍ ମିତ୍ର ଚାକିରୀ ପାଇଁ ତାଙ୍କୁ ମାସିକ ୬୦୦୦ଟଙ୍କା ଗ୍ରାମ ପଂଚାୟତସ୍ତରୀୟ ଫେଡେରେସନ (ଜିପିଏଲଏଫ୍) ଦ୍ୱାରା ଆର୍ଥିକ ଅନୁଦାନ ମିଳିଥାଏ । ଏତିକି ଅର୍ଥରେ ପରିବାର ଗୁଜୁରାଣ ମେଂଟୁ ନଥିବାରୁ ସେ ତାଙ୍କ ଅସୁବିଧା ବିଷୟରେ ନିଜ ଉପରୋକ୍ତ ଅଧିକାରୀଙ୍କୁ ଜଣାଇବା ସହ ଅତିରିକ୍ତ ଆର୍ଥିକ ରାଶି ଦେବା ପାଇଁ ଦାବି କରିଥିଲେ । ତାଙ୍କ କଥାକୁ କେହି କର୍ଣ୍ଣପାତ ନକରିବା କାରଣରୁ ସେ ନିଜର ଅଧିକାର ପାଇଁ ଭୁବନେଶ୍ୱର ଆସି ଲୋୟର ପିଏମ୍ଜିରେ ଧାରଣା ଦେଇ ନିଜ ଦାବି ଉପସ୍ଥାପନ କରିଥିଲେ । ୫ଟି ସଚିବ ରାଜ୍ୟର ସମସ୍ତ ଜିଲ୍ଲା ବୁଲି ଯେଉଁ ଅଭିଯୋଗ ଗ୍ରହଣ କରିଥିଲେ ସେଥିରେ ବ୍ୟାଙ୍କ୍ ମିତ୍ରମାନେ ମଧ୍ୟ ତାଙ୍କୁ ଅଭିଯୋଗ ଦେଇଥିଲେ । କିନ୍ତୁ ଅଭିଯୋଗର ସମାଧାନ ପାଇଁ କୌଣସି ତତ୍ପରତା ପ୍ରକାଶ କରାଯାଇନଥିବା ସେ ଗଣମାଧ୍ୟମ ସମ୍ମୁଖରେ କହିଥିଲେ । ଆପଣ ଯଦି ଚିନ୍ତା କରିବେ, ଆଜିର ସମୟରେ ୬୦୦୦ ଟଙ୍କାରେ ମାସକୁ କୁଟୁମ୍ବର ତିନି ପ୍ରାଣୀଙ୍କୁ ଚଳାଇବା କାଠିକର । ତାଙ୍କ ପ୍ରତିକ୍ରିୟାକୁ ନେଇ ଜିଲ୍ଲା ପ୍ରଶାସନ ଜଣେ ଗରିବ ମହିଳା ଶ୍ରୀମତୀ ସିଂଙ୍କୁ ତାଙ୍କ ଚାକିରୀରୁ ବହିଷ୍କୃତ କରିବା ଦୁଃଖର ବିଷୟ । ଏହି ଖବର ପ୍ରତ୍ୟେକ ଓଡିଆଙ୍କୁ ଦୁଃଖ ଦେଇଛି । ଏଭଳି ସମ୍ବେଦନଶୀଳ ଘଟଣାରେ ଆପଣ ଏହି ଖବର ବିଷୟରେ ଅବଗତ ଅଛନ୍ତି ନା ନାହିଁ ମୁଁ ଜାଣିନାହିଁ କିନ୍ତୁ ଆପଣ ଭାରତୀ ସିଂଙ୍କୁ ପୁଣି ଥରେ ଚାକିରୀରେ ଅବସ୍ଥାପିତ କରାଇ ତାଙ୍କୁ ଯଥୋଚିତ ନ୍ୟାୟ ପ୍ରଦାନ କରିବେ ବୋଲି ଶ୍ରୀ ମହାନ୍ତି ଆଶା ବ୍ୟକ୍ତ କରିଛନ୍ତି ।

 

Leave A Reply