Odisha news

ଓଡିଶାର ଚାଷୀଙ୍କୁ ନବୀନ ବାବୁଙ୍କ ସରକାର ବାରମ୍ବାର ଧୋକା ଦେଇ ଚାଲିଛି : ବାବୁ ଭାଇ ଜେବାଲିଆ

0

 ଓଡିଶାରେ ଧାନ କିଣାରେ କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଲୁଟ କରାଯାଉଛି ଯେଉଁଥିରେ ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକମାନେ ସାମିଲ ଅଛନ୍ତି
 ୨୦୧୯ ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ଚାଷୀମାନଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ, ନିର୍ବାଚନ ସରିଗଲା ପରେ ଦେଲେ ମାତ୍ର ୪ ହଜାର ଟଙ୍କା
 ବିଜେଡି ନିର୍ବାଚନ ଇସ୍ତାହାରରେ ଓଡିଶାର ପ୍ରତି ବ୍ଲକରେ ସର୍ବନିମ୍ନ ୩୫% ଜଳସେଚନ ଯୋଗାଇ ଦେବା କଥା ଘୋଷଣା କରିଥିଲା । କୁଆଡେ ଗଲା ସେହି ପ୍ରତିଶୃତି ?
 ୨୦୧୪ ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର କରିବେ ବୋଲି ଘୋଷଣା କରିଥିଲେ, ଗୋଟିଏ ବି କଲେ ନାହିଁ
ଭୁବନେଶ୍ୱର, ୧୭/୦୬: ଓଡିଶା ଏକ ଚାଷୀ ପ୍ରଧାନ ରାଜ୍ୟ । କିନ୍ତୁ ଓଡିଶାର ଚାଷୀମାନେ ବାରମ୍ବାର ଏଠିକାର ବିଜୁ ଜନତା ଦଳ ସରକାର ଦ୍ୱାରା ପ୍ରତାରଣାର ଶୀକାର ହେଉଛନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କର ସରକାର ଧାନ କିଣା ବାବଦରେ ପିଛା କ୍ୱିଂଟାଲ ପିଛା ୨୦୪୦ ଟଙ୍କା ଦେଉଥିଲେ ଯାହା ଏଥରକି ପୁଣି ୨୧୮୩ ଟଙ୍କାରେ ପହଂଚିଛି । କିନ୍ତୁ ଏଠାରେ ଥିବା ନବିନ ବାବୁଙ୍କର ସରକାର ଚାଷୀମାନଙ୍କୁ ସେମାନଙ୍କର ଅଧିକାର ଦେଉ ନାହାନ୍ତି । ପୁରା ଧାନ କିଣା ପ୍ରକିୟାକୁ ଓଡିଶା ରାଜ୍ୟ ସରକାର ମିଲର ମାନଙ୍କ ହାତରେ ଟେକି ଦେଉଛନ୍ତି । ଓଡିଶାରେ ଧାନ କିଣାରେ କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଲୁଟ କରାଯାଉଛି ଯେଉଁଥିରେ ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକମାନେ ସାମିଲ ଅଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ବାବୁ ଭାଇ ଜେବାଲିଆ ।
ଭାରତୀୟ ଜନତା ପାର୍ଟିର ମହା ଜନ ସର୍ମ୍ପକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡିଶା ଆସିଥିବା ଜେବାଲିଆ କହିଛନ୍ତି ଯେ ରାଜ୍ୟ ସରକାର ୨୦୧୯ ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ଚାଷୀମାନଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ଯେମିତି ନିର୍ବାଚନ ସରିଗଲା ସେମାନେ ଚାଷୀଙ୍କୁ ବର୍ଷକୁ ମାତ୍ର ୪ ହଜାର ଟଙ୍କା ଦେଲେ । ଏହା ହେଉଛି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କର ଚାଷୀମାନଙ୍କ ପ୍ରତି ମସ୍ତବଡ ଧୋକା । ଓଡିଶାରେ ୪ ବର୍ଷରେ ପ୍ରତିଟି ଚାଷୀ ପରିବାର ବର୍ଷକୁ ୬ ହଜାର ଟଙ୍କା ହିସାବରେ ମୋଟ ୨୪ ହଜାର ଟଙ୍କା ହରାଇ ସାରିଲାଣି । ସେମାନଙ୍କୁ ଏହି ୨୪ ହଜାର ଟଙ୍କା କେବେ ରାଜ୍ୟ ସରକାର ଦେବେ ତାହା ଘୋଷଣା କରନ୍ତୁ ।
୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ତାର ଇସ୍ତାହାରରେ ଓଡିଶାର ପ୍ରତି ବ୍ଲକରେ ସର୍ବନିମ୍ନ ୩୫% ଜଳସେଚନ ଯୋଗାଇ ଦେବା କଥା ଘୋଷଣା କରିଥିଲା । ୧୪ ବର୍ଷ ବିତିସାରିଲାଣି । କୁଆଡେ ଗଲା ସେହି ପ୍ରତିଶୃତି ? କାହିଁକି ମୁଖ୍ୟମନ୍ତ୍ରୀ ଓଡିଶାର ଚାଷୀମାନଙ୍କ ଜଳ ସମସ୍ୟା କଥା ବୁଝିଲେ ନାହିଁ ବୋଲି ବାବୁଭାଇ ପ୍ରଶ୍ନ କରିଛନ୍ତି ।
୨୦୧୪ ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର କରିବେ ବୋଲି ଘୋଷଣା କରିଥିଲେ । ସବୁ ବ୍ଲକ କଥା ଛାଡନ୍ତୁ କେଉଁ ଗୋଟିଏ ବ୍ଲକରେ ବି ସରକାରୀସ୍ତରରେ ରାଜ୍ୟ ସରକାର ଗୋଟିଏ ବି ଶୀତଳ ଭଣ୍ଡାର ପ୍ରତିଷ୍ଠା କରିପାରିନାହାନ୍ତି । ବିଜୁ ଜନତା ଦଳର ଏହି ରାଜ୍ୟ ସରକାର କେବଳ ଚାଷୀଙ୍କୁ ଭୋଟ ଆଗରୁ ପ୍ରତିଶୃତି ଓ ଭୋଟ ସରିବା ପରେ ପ୍ରତାରଣା ଦେଇ ଆସିଛି ବୋଲି ଶ୍ରୀ ଜେବାଲିଆ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ ।

IEC 2 years
Leave A Reply