ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଓ ଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେଇ ପୁରାଉଚୁରା କରିବା ଘଟଣାକୁ ପାକିସ୍ଥାନର ଆଇନ ସହିତ ତୁଳନା କରିବା ଘଟଣାକୁ ନେଇ ବିବଦମାନ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାକ୍ତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଏ ସଂର୍ପକୀତ ଟ୍ୱିଟ୍ ଉପରେ ଓଡିଶାର ବିଜେଡି ନେତାମାନେ ଦେଇଥିବା ବିବୃତ୍ତିକୁ ନେଇ ଶ୍ରୀ ପଣ୍ଡା ତିବ୍ର ପ୍ରତିକ୍ରୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଓଡିଶା ପାକିସ୍ଥାନ ଭଳି ସେ ଆଦୌ କହିନାହାନ୍ତି । ବରଂ ଓଡିଶା ଓ ମହାରାଷ୍ଟ୍ର ପୋଲିସ ପାକିସ୍ଥାନ ପୋଲିସ ଭଳି ବ୍ୟବହାର କରୁଛି । ବିଜେଡି ଏହାର ଅର୍ଥକୁ ବିକୃତ କରିବାକୁ ଚେଷ୍ଟା କରୁଛି ।
ସେ ଯାହା କହିଥିଲେ ତାହାର ଅର୍ଥକୁ ବିକୃତ କରିବାକୁ ଆତୁର ହୋଇ ଚେଷ୍ଟା କରୁଛି । ଯେ କେହି ତାଙ୍କ ଟ୍ୱିଟ୍ ଏବଂ ସାକ୍ଷାତକାର ପଢି ପାରିବେ ବୋଲି ସେ କହିଛନ୍ତି । ଓଡିଶା ପାକିସ୍ଥାନ ଭଳି ସେ କହିନଥିଲେ । ସେ କହିଥିଲେ ଯେ, ଓଡିଶା ଓ ମହାରାଷ୍ଟ୍ର ପୋଲିସ ଆଇନଗତ ପ୍ରକ୍ରିୟାକୁ ଅବମାନନା କରି ପାକିସ୍ଥାନ ପୋଲିସ ଭଳି ବ୍ୟବହାର କରୁଛି । ବୋଧହୁଏ ନବୀନ ବାବୁ ଏହାକୁ ତାଙ୍କ ସହକର୍ମୀ ମାନଙ୍କ ପାଇଁ ସଠିକ ଭାବେ ଅନୁବାଦ କରିପାରିବେ ବୋଲି ସେ କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ରାଜ୍ୟ ସରକାର ଆକ୍ରୋଶ ମୂଳକ ଭାବେ ଶ୍ରୀ ପଣ୍ଡା ଓ ତାଙ୍କ ପରିବାରକୁ ନାନା ଭାବେ ବଦନାମ କରିବାର ଅପଚେଷ୍ଟା ଚଳାଇଛନ୍ତି ।
କୌଣସି ସଠିକ ତଥ୍ୟ ଓ ପ୍ରମାଣ ନଥାଇ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡିଶାର ନମ୍ବର ୱାନ ଟିଭି ଚ୍ୟାନେଲ ଓ ଏଥିରେ କାର୍ଯ୍ୟରତ କର୍ମଚାରୀ ଓ ସାମ୍ବାଦିକଙ୍କୁ ବିଭିନ୍ନ ମିଥ୍ୟା ଓ ସୁପରିକଳ୍ପିତ ମାମଲାରେ ଜଡିତ କରାଇବା ସହିତ ଜମି କିଣାବିକାରେ ଜାଲିଆତି କରିଥିବାର ମିଥ୍ୟା ମାମଲାରେ ଜଡିତ କରାଇଛନ୍ତି । କୋଭିଡ୍ ପରିଚାଳନାରେ ସରକାରଙ୍କ ଦୋଷତ୍ରୁଟିକୁ ସର୍ବ ସାଧାରଣରେ ଉପସ୍ଥାପିତ କରିବା ତଥା ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ମୁଖା ଖୋଲିବାରେ ଓ ଟିଭି ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କାରଣରୁ ସରକାର ଶ୍ରୀ ପଣ୍ଡାଙ୍କୁ ବଦନାମ କରିବାକୁ ଯେଉଁ ହୀନ ପ୍ରୟାସ କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।