Odisha news

ସରକାର ଧାର୍ଯ୍ୟ ମୂଲ୍ୟରୁ ଅଧିକ ଦରରେ ମାସ୍କ କିଣି ନାହାନ୍ତି : ବିଜେଡି – ବିରୋଧୀଙ୍କ ପାଖରେ ପ୍ରମାଣ ଥିଲେ ଅଦାଲତକୁ ଯାଆନ୍ତୁ

0

ଭୁବନେଶ୍ୱର, ୧୧ଜୁନ୍ – ମହାମାରୀ ସମୟରେ ଅର୍ଥ ସଂଚୟ ଅପେକ୍ଷା ଲୋକଙ୍କ ଜୀବନ ରକ୍ଷାକୁ ଓଡିଶା ସରକାର ଅଗ୍ରାଧିକାର ଦେଇଥିଲେ । ଏହା ସତ୍ୱେ ବି କେନ୍ଦ୍ର ସରକାର ମାସ୍କ ପ୍ରତି ଧାର୍ଯ୍ୟ କରିଥିବା ୧୬ଟଙ୍କାଠାରୁ ରାଜ୍ୟ ସରକାର ଅଧିକ ଦରରେ ମାସ୍କ ଖରିଦ କରିନାହାନ୍ତି ବୋଲି ରାଜ୍ୟ ବିଜେଡି କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦେଇଛନ୍ତି ମୁଖପାତ୍ର ଡ. ସସ୍ମିତ ପାତ୍ର ।ସେହିପରି ବିରୋଧୀ ମାନଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ବର୍ତମାନ ଯେଉଁମାନେ ମାସ୍କ ଖରିଦ ନେଇ ଚିତ୍କାର କରୁଛନ୍ତି ଆମେ ଯଦି ମାସ୍କ ଖରିଦ କରିନଥାନ୍ତୁ ତେବେ ସେମାନେ ମାସ୍କର ଅଭାବ ଦର୍ଶାଇ ଲୁହ ଗଡାଇଥାନ୍ତେ । କେନ୍ଦ୍ର ସରକାର ଦର ବଢାଇବା ସତ୍ୱେ ଆମେ ମାସ୍କ କିଣିବାରେ ବିଫଳ ହୋଇଛୁ ବୋଲି ଦର୍ଶାଇଥାନ୍ତେ । ଅନ୍ୟ ଯେଉଁ ରାଜ୍ୟ ଏହି ଦରରେ ମାସ୍କ କିଣିଛନ୍ତି ତାହାର ଉଦାହରଣ ଦେଇଥାନ୍ତେ । କରୋନା ମୁକାବିଲାରେ ସମ୍ମୁଖ ଭାଗରେ ଲଢେଇ କରୁଥିବା ଆମର ଯୋଦ୍ଧାଙ୍କ ସୁରକ୍ଷା ଏବଂ ମହାମାରୀ ପରିସ୍ଥିତିରେ ଲୋକଙ୍କ ଜୀବନ ରକ୍ଷାଲାଗି ଯେତେଶୀଘ୍ର ସମ୍ଭବ ଏହା ଖରିଦ କରିଥିଲୁ । ତ୍ୱରିତ ନିଷ୍ପତି ଏବଂ ଦୃଢ ନେତୃତ୍ୱ ଏବଂ ଆମ ଲୋକଙ୍କ ତ୍ୟାଗ ରାଜ୍ୟକୁ ବେଶ୍ ସହାୟକ ହୋଇଛି । ଯଦି ବିରୋଧିଙ୍କ ନିକଟରେ କିଛି ପ୍ରମାଣ ଅଛି ତେବେ ସେମାନେ ଅଦାଲତ କିମ୍ବା ଅନ୍ୟ କୌଣସି ଫୋରମକୁ ଯାଇପାରନ୍ତି । କିନ୍ତୁ ରାଜ୍ୟ ସରକାର କରୋନା ମୁକାବିଲା ଜାରି ରଖିଥିବାବେଳେ ଯୋଦ୍ଧାମାନଙ୍କର ମନୋବଳ ଭାଙ୍ଗିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।

Leave A Reply