ଭଗବାନଙ୍କୁ ତିନୋଟି ସ୍ୱରୂପରେ ବର୍ଣ୍ଣନା କରାଯାଇଛି। ଏହିଗୁଡିକ ହେଲା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର। ବ୍ରହ୍ମା ସୃଷ୍ଟିର ସଂରଚନା କରିଛନ୍ତି, ବିଷ୍ଣୁ ପାଳନ ଓ ମହେଶ୍ୱର ଅର୍ଥାତ ମହାଦେବ ଶିବ ସୃଷ୍ଟିର ବିନାଶ କରନ୍ତି। ବିଷ୍ଣୁର ଆକ୍ଷରିକ ଅର୍ଥ ହେଉଛି ଯାହା ସବୁରେ ବ୍ୟାପ୍ତ ତାହାହିଁ ବିଷ୍ଣୁ। ବିଷ୍ଣୁଙ୍କ ସ୍ୱରୂପ ଚତୁର୍ଭୁଜ। ଦୁଇ ହାତରେ ଶଙ୍ଖ ଓ ପଦ୍ମଫୁଲ ଶୋଭିତ ହେଉଥିବା ବେଳେ ଦୁଇ ହାତରେ ଗଦା ଓ ଚକ୍ର ଭଳି ଦୁଇଟି ଅସ୍ତ୍ର ଥାଏ। ସବୁଠୁ ଶାନ୍ତ ପ୍ରକୃତିର ଦେବତା ହୋଇଥିବାରୁ ତାଙ୍କୁ ଶାନ୍ତାକାରଂ କୁହାଯାଏ। ବିଷ୍ଣୁଙ୍କ ରଙ୍ଗ ଆକାଶ ଭଳି ଏଣୁ ତାଙ୍କୁ ମେଘବର୍ଣ୍ଣ ବୋଲି ବି କୁହାଯାଏ। ଲକ୍ଷ୍ମୀ ତାଙ୍କର ପତ୍ନୀ, ସେହିଁ ସର୍ବ ଭୟ ହରଣ କରନ୍ତି ଓ ସବୁ ଲୋକର ସ୍ୱାମୀ ବୋଲି କୁହାଯାଏ।
ତେବେ ଏମିତିରେ ତାଙ୍କୁ ଶ୍ରେଷ୍ଠ ବୋଲି କୁହାଯାଇନି। ପୁରାଣ ମାନ୍ୟତା ଅନୁସାରେ ଭୃଗୁ ଋଷି ବିଷ୍ଣୁଙ୍କୁ ୩ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ ଘୋଷଣା କରିଛନ୍ତି। କୁହାଯାଏ ଥରେ ଭୃଗୁ ଋଷି ୩ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ କିଏ ତାହା ଜାଣିବା ଲାଗି ପ୍ରଥମ ଦେବ ଦେବ ମହାଦେବଙ୍କ ନିକଟକୁ ଗଲେ। ସେତେବେଳେ ମାତା ସତୀଙ୍କ ସହ ମହାଦେବ ଥିଲେ। ଏଣୁ ରୁଦ୍ରଗଣ ଶିବଙ୍କ ସହ ତାଙ୍କର ଭେଟ ହୋଇ ପାରିବ ନାହିଁ ବୋଲି କହିଲେ। ଏଣୁ ଭୃଗୁ ବ୍ରହ୍ମାଙ୍କ ନିକଟକୁ ପ୍ରସ୍ଥାନ କଲେ। ସେତେବେଳେ ବ୍ରହ୍ମା ଦେବତାଙ୍କ ସହ ଦରବାରରେ ଥିଲେ। ଏଣୁ ଏହି ସମୟରେ ବ୍ରହ୍ମା କାହାରିକୁ ସାକ୍ଷାତ କରନ୍ତି ନାହିଁ ବୋଲି ଜାଣି ସେଠାରୁ ସିଧା ବିଷ୍ଣୁଲୋକକୁ ଯାତ୍ରା କରିଥିଲେ। ଭୃଗୁଙ୍କ ଅଚାନକ ଆଗମନ ସମ୍ପର୍କରେ ଭଗବାନ ବିଷ୍ଣୁଙ୍କୁ ଜାଣି ନଥିଲେ। ଏଣୁ ଶୟନ କରିଥିଲେ। ଏହାକୁ ଭୃଗୁ ତାଙ୍କର ଅପମାନ ଭାବି ବିଷ୍ଣୁଙ୍କ ଛାତିରେ ପଦାଘାତ କରିଥିଲେ।
ଏଥିରେ ବିଷ୍ଣୁଙ୍କ ନିଦ୍ରା ଭଗ୍ନ ହୋଇଥିଲା। ହେଲେ ଏଥିରେ ସେ ସାମାନ୍ୟତମ କ୍ରୋଧିତ ହେବା ଦୂରର କଥା ଓଲଟି ଭୃଗୁଙ୍କୁ ପଚାରିଲେ ମହର୍ଷି ଆପଣଙ୍କୁ ଆଘତ ଲାଗିନିତ ? ମୋ ହୃଦୟ କଠୋର ବୋଲି ସମସ୍ତେ କୁହନ୍ତି। ଋଷିଙ୍କ ଗୋଡ ଧରି ଆଉଁସି ଦେବା ସହ ତାଙ୍କର ସତ୍କାର କରିଥିଲେ। ଏଣୁ ଭୃଗୁ ଋଷି ଭଗବାନ ବିଷ୍ଣୁଙ୍କୁ ଶ୍ରେଷ୍ଠଦେବତା ବୋଲି ଘୋଷଣା କରିଥିଲେ।