Odisha news

ଦେଶର ୪୬ତମ ରାଷ୍ଟ୍ରପତି ଭାବେ ବାଇଡେନ୍‌ ଶପଥ ଗ୍ରହଣ କଲେ , ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ ଦେଶର ପ୍ରଥମ ମହିଳା ଉପରାଷ୍ଟ୍ରପତି

0

ଓ୍ୱାସିଂଟନ : ଆମେରିକାରେ ଆଜିଠାରୁ ନୂଆ ଅଧ୍ୟାୟ ସହିତ ବାଇଡେନ୍‌-ହାରିସ୍‌ ଯୁଗ ଆରମ୍ଭ ହୋଇଛି। ଦେଶର ୪୬ତମ ରାଷ୍ଟ୍ରପତି ଭାବେ ବୁଧବାର ୭୮ ବର୍ଷୀୟ ଜୋ ବାଇଡେନ୍‌ ଶପଥ ଗ୍ରହଣ କରିଛନ୍ତି। ବାଇଡେନ୍‌ଙ୍କ ସହିତ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ ଦେଶର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

କ୍ୟାପିଟଲ୍‌ ହିଲ୍‌ସ ସ୍ଥିତ ସଂସଦ ଭବନରେ ଅଭୂତପୂର୍ବ ସୁରକ୍ଷା ବଳୟ ଭିତରେ ଶପଥ ସମାରୋହ ଅନୁଷ୍ଠିତ ହୋଇଥିଲା। ଶପଥ ପରେ ପ୍ରଥମ ଉଦ୍‌ବୋଧନରେ ବାଇଡେନ୍‌ କହିଛନ୍ତି, ଆମେରିକା ଗଣତନ୍ତ୍ରର ବିଜୟ ହୋଇଛି ଏବଂ ଜନସାଧାରଣ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଯେକୌଣସି ଜଟିଳ ପରିସ୍ଥିତିରୁ ମୁକୁଳି ଆସିବାର କ୍ଷମତା ଆମ ଗଣତନ୍ତ୍ରରେ ରହିଛି। ଏବେ ସଙ୍କଟ ସମୟରେ ଦେଶ ଏକଜୁଟ ରହିଛି ଏବଂ ଆଗକୁ ମଧ୍ୟ ସବୁକ୍ଷେତ୍ରରେ ଆମକୁ ଏକତା ବଜାୟ ରଖିବାକୁ ହେବ ବୋଲି ବାଇଡେନ୍‌ କହିଛନ୍ତି।

ଜାନୁଆରି ୬ ତାରିଖରେ କ୍ୟାପିଟଲ୍‌ ବିଲ୍‌ଡିଂ ହିଂସା ପରେ ଉପୁଜିଥିବା ସମ୍ବେଦନଶୀଳ ସ୍ଥିତିକୁ ଦୃଷ୍ଟିରେ ରଖି ୱାସିଂଟନ ଡିସିରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରାଯାଇଥିଲା। ସୁରକ୍ଷା କାରଣରୁ ସମାରୋହରେ ମାତ୍ର ୨ ଶହ ଅତିଥି ଉପସ୍ଥିତ ଥିଲେ। ପ୍ରାୟ ୨୫ ହଜାର ନ୍ୟାସନାଲ ଗାର୍ଡ ୱାସିଂଟନରେ ମୁତୟନ ଥିଲେ। ରିପବ୍ଲିକାନ୍‌ ଦଳର ସମର୍ଥକମାନଙ୍କ ଦ୍ବାରା ହିଂସା ଘଟିବା ଆଶଙ୍କା ଭିତରେ ଏହି ଶପଥ ଗ୍ରହଣ ପୂର୍ବର ଶପଥ ଗ୍ରହଣଠାରୁ ସଂପୂର୍ଣ୍ଣ ଭିନ୍ନ ରହିଥିଲା। ଉଦ୍‌ଘାଟନୀ ପରେଡ୍‌ର ପରମ୍ପରା ନ ରହି ଏଥର ଏକ ଭର୍ଚ୍ଚୁଆଲ ପରେଡ୍‌ର ବ୍ୟବସ୍ଥା କରାଯାଇଥିଲା ଏବଂ ଦେଶବାସୀ ସମସ୍ତ କାର୍ଯ୍ୟକ୍ରମକୁ ଟେଲିଭିଜନ ମାଧ୍ୟମରେ ଦେଖିଥିଲେ।

ବୁଧବାର ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଉପସ୍ଥିତ ନଥିଲେ, କିନ୍ତୁ ବିଦାୟୀ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଉପସ୍ଥିତ ଥିଲେ। ଉତ୍ସବରେ ପୂର୍ବ ରାଷ୍ଟ୍ରପତି ଜର୍ଜ ବୁସ୍‌, ବିଲ୍‌ କ୍ଲିଣ୍ଟନ ଏବଂ ବାରାକ୍‌ ଓବାମା ଉପସ୍ଥିତ ଥିଲେ। ଶପଥ ଗ୍ରହଣ ପୂର୍ବରୁ ବାଇଡେନ୍‌ କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ୪ ଲକ୍ଷ ଆମେରିକୀୟଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ବାଇଡେନ୍‌ଙ୍କ ପତ୍ନୀ ଜିଲ୍‌ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଳା ହାରିସ୍ ଉପସ୍ଥିତ ଥିଲେ।

ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିବା କମଳା ହାରିସ୍‌ ଆଜି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ମହିଳା ଉପରାଷ୍ଟ୍ରପତି ତଥା ପ୍ରଥମ କୃଷ୍ଣକାୟ ଏବଂ ପ୍ରଥମ ଦକ୍ଷିଣ ଏସୀୟ ଉପରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଥିବା କମଳା ଆମେରିକୀୟ ଗଣତନ୍ତ୍ର ସଫଳ କାହାଣୀର ଏକ ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି। ବାଇଡେନ୍‌ଙ୍କୁ ରାଷ୍ଟ୍ରପତି ଭାବେ ଆମେରିକାର ପ୍ରଧାନ ବିଚାରପତି ଜନ୍‌ ରବର୍ଟସ୍‌ ଶପଥ ପାଠ କରାଇଥିବାବେଳେ ହାରିସ୍‌ଙ୍କୁ ସୁପ୍ରିମ୍‌ କୋର୍ଟ ବିଚାରପତି ସୋନିଆ ସୋଟ୍‌ମେୟର ଶପଥ ପାଠ କରାଇଥିଲେ। ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ ଫ୍ଲୋରିଡାରେ ଟେଲିଭିଜନ୍‌ରେ ଶପଥ ଗ୍ରହଣ ସମାରୋହ ଦେଖିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଇଡେନ୍‌ ଏବଂ ହାରିସ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ-ଆମେରିକା ରଣନୀତିକ ସମ୍ପର୍କ ଆଗକୁ ଆହୁରି ମଜବୁତ୍‌ ହେବ ବୋଲି ମୋଦୀ ଟ୍ବିଟ୍‌ ଜରିଆରେ ଆଶା ପ୍ରକାଶ କରିଛନ୍ତି।

Nalco
Leave A Reply