Odisha news

ବେଆଇନ କାଠ ବିକ୍ରି ଉଦ୍ୟମକୁ ବିରୋଧ : ଥାନା ର  ଦ୍ଵାରସ୍ଥ ହେଲେ ଉଭୟ ପକ୍ଷ

0
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଦେଉଳା ଠାରେ ସରକାରୀ ଗୋଚର କିସମ ଜମିରେ ସୃଷ୍ଟି କରାଯାଇଥିବା ଆକାଶିଆ ଜଙ୍ଗଲରୁ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ବେଆଇନ ଭାବେ କାଠ ଲକ ବିକ୍ରି ଉଦ୍ୟମ  କରୁଥିବାବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡି ଉଭୟ ପକ୍ଷରେ ଗଣ୍ଡଗୋଳ ହୋଇ ମାରପିଟ ହେବା ଘଟଣା ଭୋଗରାଇ ବ୍ଲକରେ ଚର୍ଚ୍ଚାର ଖବର ହୋଇଛିl ଏହି ଘଟଣାରେ ଗ୍ରାମବାସୀଙ୍କ ପକ୍ଷରୁ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ସଂପୃକ୍ତ ଯୁବକ ମାନେ ବେଆଇନ ଭାବେ ପଞ୍ଚାୟତ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ନେଇ ପ୍ରତିପକ୍ଷ  ପକ୍ଷରୁ ଥାନାରେ ଅନ୍ୟ ଏକ ପାଲଟା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଭୋଗରାଇ ଥାନା ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ ଅନ୍ତର୍ଗତ ଦେଉଳା ମୈାଜା ସ୍ଥିତ ଏକ ଗୋଚର କିସମ ଜମିରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ବହୁ ବର୍ଷ ପୂର୍ବରୁ ବନ ବିଭାଗ ଆକାଶିଆ ଜଙ୍ଗଲ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ସ୍ଥାନୀୟ ଗ୍ରାମବାସୀଙ୍କ ଶବଦାହ ପାଇଁ ଦେଉଳା ପଞ୍ଚାୟତ ପକ୍ଷରୁ ଏହି ଜଙ୍ଗଲରୁ କାଠ ଯୋଗାଇ ଦିଆଯାଉଥିଲା । ଏହି କାଠର ଅଭାବ ଯୋଗୁଁ କାଠର ଆବଶ୍ୟକତା ଥିବାବେଳେ କାଠ ବିକ୍ରି ଅଭିଯୋଗକୁ ନେଇଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇ ବିସ୍ଫାରୋକ ସ୍ଥିତି ସୃଷ୍ଟି ହୋଇଛି । ୯ ମାସ ପୂର୍ବେ ଏଭଳି ଭାବେ କାଠ ବିକ୍ରି ଉଦ୍ୟମ ହୋଇଥିବା ସମୟରେ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ  ଉଦ୍ୟମ ଫସର ଫାଟିଯାଇଥିଲା।
ସୋମବାର ମଧ୍ୟାହ୍ନରେ  ଗଚ୍ଛିତ କାଠକୁ ଏକ ଇଞ୍ଜିନ ରିକ୍ସାରେ ବୋଝେଇ କରି ଜନପ୍ରତିନିଧି ବିକ୍ରି ପାଇଁ ନେଇ ଯାଉଥିବା ଖବର ପାଇ ସ୍ଥାନୀୟ ଯୁବକମାନେ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଅଟକାଇଥିଲେ। ସେହି ସମୟରେ ଦୁଇ ନିର୍ବାଚିତ ପ୍ରତିନିଧି ଓ ତାଙ୍କର ସହଯୋଗୀ  ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷରେ କଥା କଟାକଟି, ଠେଲାପେଲା ଓ ମାରପିଟ ହୋଇଥିବାର ସୂଚନା ମିଳିଛି l ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଯିବାରୁ ସେଠାରେ କାଠ ବୋଝେଇ ଥିବା ରିକ୍ସା କୁ ବାହାର କରି ଖାଲି ରିକ୍ସା ନେଇ ପ୍ରତିପକ୍ଷ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ଭୋଗରାଇ ଥାନା ଏଏସଆଇ ପ୍ରିୟଦର୍ଶିନୀ ଖାଟୁଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ଏହି ଘଟଣାରେ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି l
IEC 2 years
Leave A Reply