ଭଞ୍ଜନଗର – ଭଞ୍ଜନଗର ଏନଏସି ପକ୍ଷରୁ କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହି କ୍ରମରେ ଲୋକମାନେ ଯେପରି ଗୋଟିଏ ସ୍ଥାନରେ ଏକାଠି ହୋଇ ପନିପରିବା ଓ ସଉଦା ଆଦି କ୍ରୟ ନକରିବେ ସେଥିପାଇଁ ପଦକ୍ଷେପ ନିଆଯାଇଛି । ଶୁକ୍ରବାର ଠାରୁ ଏନଏସି ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଇ ବିଭିନ୍ନ ଭେଣ୍ଡରଙ୍କୁ ୱାର୍ଡ ୱାରି ଦାୟିତ୍ୱ ବଣ୍ଟନ କରାଯାଇଛି । ଏଥିରେ ଏକ ସୂଚୀ ପ୍ରସ୍ତୁତ କରାଯାଇଛି । ଏଥିରେ ରାସନ ସାମଗ୍ରୀ ଠାରୁ ଆରମ୍ଭ କରି କ୍ଷୀର, ସଉଦା ଓ ପନିପରିବା ଓ ଔଷଧ ଆଦି ପ୍ରତି ୱାର୍ଡରେ ଯେପରି ଉପଲବ୍ଧ ହେବ ସେଥିପାଇଁ ତାଲିକା ପ୍ରସ୍ତୁତ କରାଯାଇ କେତେକ ଭେଣ୍ଡରକୁ ଏହାର ଦାୟିତ୍ୱ ଦିଆଯାଇଛି ।
ନିର୍ଦ୍ଧାରିତ ତାଲିକା ପ୍ରକାରେ ପ୍ରତିୱାର୍ଡକୁ ଏହି ଭେଣ୍ଡରମାନେ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବେ । ଫଳରେ ଲୋକମାନେ ଗୋଟିଏ ସ୍ଥାନରେ ଏକାଠି ହେବାର ଭୟ ରହିବନାହିଁ ବୋଲି ନିର୍ବାହୀ ଅଧିକାରୀ ଭଜରାମ ବିଶ୍ୱାଳ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି । ତେବେ ସାଧାରଣ ଲୋକମାନେ ଏସମ୍ପର୍କରେ ଜାଣିବାକୁ ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଅଧିକ ପ୍ରଚାର କରିବାର ଆବଶ୍ୟକତା ରହିଛିବୋଲି ବୁଦ୍ଧିଜୀବି ମହଲ ଦାବୀ କରିଛନ୍ତି । ସେହପରି ଭଞ୍ଜନଗର ଆହାର କେନ୍ଦ୍ରରୁ ଏବେ ପ୍ରତିଦିନ କିଛି ଆହାର ପ୍ୟାକେଟ୍ କରି ଏନଏସିର ବିଭିନ୍ନ ୱାର୍ଡ ବୁଲି ଝୁମ୍ପୁଡି ବସ୍ତିରେ ରହୁଥିବା ଲୋକଙ୍କୁ ଯୋଗାଇବାକୁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ଆବଶ୍ୟକ ମୁତାବକ ଖାଦ୍ୟ ପୁଡିଆ ସରୁନଥିବା ଏହାର ଦାୟିତ୍ୱରେ ଥିବା କର୍ମଚାରୀ ଅଶୋକ କୁମାର ଦଳବେହେରା ଉଲ୍ଲେଖ କରିଛନ୍ତି ।
ଆହାର ଗାଡି ଘର ଘର ବୁଲୁଛି ହେଲେ ଆବଶ୍ୟକ ମୁତାବକ ଖାଦ୍ୟ ପୁଡିଆ ସରୁନି ବୋଲି ସେ ଉଲ୍ଲେଖ କରିଛନ୍ତି । ଅପରପକ୍ଷରେ ଆଜି କିଛି ଖାଦ୍ୟ ପୁଡିଆକୁ ସହରର ବିଭିନ୍ନ ସ୍ଥାନରେ ବୁଲୁଥିବା କିଛି ପାଗଳ ଓ ଅସହାୟ ଲୋକଙ୍କୁ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି । ଆହାର କେନ୍ଦ୍ରର ଖାଦ୍ୟ ଅତ୍ୟନ୍ତ ନିରାପଦ ହୋଇଥିବାବେଳେ ଗରିବ ଅସହାୟ ପରିବାର ଏହାର ଫାଇଦା ନେବା ଦରକାର ବୋଲି ନିର୍ବାହୀ ଅଧିକାରୀ ବିଶ୍ୱାଳ ଲୋକଙ୍କୁ ଅପିଲ କରିଛନ୍ତି । ଅନ୍ୟପକ୍ଷରେ ଏବେ କରୋନା ଭୟାବହତାକୁ ଏଡାଇବାକୁ ଭଞ୍ଜନଗର ଏନଏସି ଆକସନ୍ ମୁଡରେ ଥିବା ଦେଖିବାକୁ ମିଳୁଛି । ଶୁକ୍ରବାର ଏନଏସି କର୍ମଚାରୀମାନେ ନୋଡାଲ ଅଫିସର ଦିଲ୍ଲୀପ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଭଞ୍ଜନଗର ଏନଏସିର ପଲିଥିନ୍, ଡଷ୍ଟବିନ୍ ଓ କରୋନା ନିରୋଧୀ ସ୍କ୍ୱାର୍ଡ ପୁରୁଣାବଜାର ସାହିର ଦୁଇଟି ପ୍ରମୁଖ ରାସନ ଦୋକାନ ଉପରେ ଚଢାଉ କରି ବହୁ ପରିମାଣର ପଲିଥିନ ଜବତ କରିଥିବାବେଳେ ଉଭୟଙ୍କ ଠାରୁ ଏକହଜାର ଟଙ୍କା ଲେଖାଏଁ ମୋଟ ୨ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି ।
ସେହିପରି ଆରସି ରୋଡର ଏକ ରାସନ ଦୋକାନରେ ଗୁଟୁକା ପାଉଚ ବିକ୍ରି ହେଉଥିବା ଦେଖିବାପରେ ସେଠାରୁ ମଧ୍ୟ ବିପୁଳ ପରିମାଣର ଗୁଟୁକା ଜବତ କରିଛନ୍ତି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଶିବଶଙ୍କର ପ୍ରଧାନ, ଅଶୋକ କୁମାର ମହାପାତ୍ର, ଅଶୋକ ଦଳବେହେରା,ବାବୁଲି ମଲ୍ଲିକ, ଭାସ୍କର ପତି, ସାହେବ ସାହୁଙ୍କ ସମେତ ସ୍ୱଚ୍ଛ ସୁପରଭାଇଜର ରୋଜାଲିନ୍ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।
ସେହିପରି ଭଞ୍ଜନଗର ଏନଏସି ପକ୍ଷରୁ ଶୁକ୍ରବାର ଠାରୁ ଏନଏସି ଅନ୍ତର୍ଗତ ବୃଦ୍ଧ,ବୃଦ୍ଧା, ବିକଳାଙ୍ଗ ଓ ବିଧବାମାନଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି । ଭଞ୍ଜନଗର ଏନଏସିରେ ମୋଟ ୧୯୯୯ ଜଣ ହିତାଧିକାରୀଙ୍କୁ ଏବେ ଭତ୍ତା ପ୍ରଦାନ କରାଯାଉଥିବାବେଳେ ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ଲକ୍ ଡାଉନ୍ କାରଣରୁ ପ୍ରଭାବିତ ହେଉଥିବା ପ୍ରତ୍ୟେକ ହିତାଧିକାରୀଙ୍କୁ ଏପ୍ରିଲ ଠାରୁ ଜୁଲାଇ ଯାଏଁ ଏକକାଳୀନ ୪ମାସର ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ଶୁକ୍ରବାର ଏନଏସିର ୧୪ ନମ୍ବର ୱାର୍ଡରୁ ଏହି ଭତ୍ତା ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ ହୋଇଛି ।