Odisha news

ବାରାହା ଆକ୍ରମଣରେ ଯୁବଚାଷୀ ଗୁରୁତର

0

ଭଞ୍ଜନଗର : ବାରାହା ଆକ୍ରମଣରେ ଜଣେ ଯୁବ ଚାଷୀ ଗୁରୁତର ଆହାତ ହୋଇଛନ୍ତି । ବାରାହାଟି ପାଗଳପ୍ରାୟ ହୋଇ ବେଶ କିଛି ସମୟ ମୁଗ କିଆରୀରେ ଟୁଟୁ ସହ କସରତ କରିଥିଲା । ଆଉ ବହୁ ସମୟ ବାରାହା ସହ ଧସ୍ତାଧସ୍ତି ପରେ ଶେଷରେ ଯୁବଚାଷୀ ଜଣକ ଜମିରେ ପଡିଯାଇଥିଲେ । ଏହାର ସୁଯୋଗ ନେଇ ବାରାହାଟି ସଂପୃକ୍ତ ଚାଷୀଙ୍କୁ ବେଶ ଘାଇଲା କରିପକାଇଥିଲା । ଶେଷରେ ନିକଟ ଜମିରେ କାମ କରୁଥିବା ଚାଷୀମାନେ ଘଟଣାସ୍ଥଳକୁ ଦୌଡି ଆସି ବାରାହାକୁ ଘଉଡାଇବାପରେ ଗୁରୁତର ଆହାତଙ୍କୁ ଦମକଳ ସହାୟତାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୁଚନା ପ୍ରକାରେ ବେଲଗୁଣ୍ଠା ବ୍ଲକର ଇଙ୍ଗିନାଠୀ ପଞ୍ଚାୟତ ଅନ୍ତର୍ଗତ ପାଟୁଳିସାହି ଗ୍ରାମର ଜଣେ ଯୁବଚାଷୀ ଟୁଟୁ ପ୍ରଧାନ(୩୨) ବୁଧବାର ସକାଳ ସାଢେ ୮ଟାରେ ନିଜ ମୁଗ କିଆରୀକୁ ଯାଇଥିବାବେଳେ ପାଖ ବୁଦାରୁ ଏକ ବାରାହା ବାହାରି ଟୁଟୁ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଆଉ ଟୁଟୁର ଚିକ୍ରାର ଶୁଣି ପାଖ ଜମିରେ କାମ କରୁଥିବା ଚାଷୀମାନେ ଘଟଣାସ୍ଥଳକୁ ଦୌଡି ଆସିବା ଫଳରେ ବାରାହାଟି ଭୟଭୀତ ହୋଇ ଘଟଣାସ୍ଥଳରୁ ଖସି ପଳାଇଥିଲା । ଆହାତ ଚାଷୀ ଟୁଟୁ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଖବର ପାଇ ଉତ୍ତର ଘୁମୁସର ବନଖଣ୍ଡ ଏସିଏଫ ସୁଦର୍ଶନ ବାଦୀ, ବନପାଳ ଶରତ କୁମାର ମହାନ୍ତି, ବଂଶୀଧର ବିଶୋୟୀଙ୍କ ସମେତ ବେଲଗୁଣ୍ଠା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ମେଡିକାଲରେ ପହଞ୍ଚି ଟୁଟୁଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏସଂପର୍କରେ ବନ ବିଭାଗକୁ ଦରଖାସ୍ତ ଦେଲେ ବନ ବିଭାଗ ପକ୍ଷରୁ ସଂପୃକ୍ତ ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ କରାଯିବବୋଲି ଏସିଏଫ ବାଦୀ ସୁଚନା ଦେଇଛନ୍ତି ।

Leave A Reply