ଭଞ୍ଜନଗର : କାଳବୈଶାଖୀ ପ୍ରଭାବରୁ ମଙ୍ଗଳବାର ଭଞ୍ଜନଗର ସହର ତଥା ଏହାର ଆଖାପାଖ ଇଲାକାରେ ଅପରାହ୍ନ ୪ଟାରୁ ହଠାତ୍ ଘଡଘଡି ସହ ପ୍ରବଳ ବର୍ଷା ଅନୁଭୂତ ହୋଇଥିଲା । ନିକଟସ୍ଥ ଗାମୁଣ୍ଡି ଗ୍ରାମ ନୁଆଁସାହିର ଭାବିନୀ ସାହୁ ନାମକ ଜଣେ ୪୦ବର୍ଷର ମହିଳା ନିଜ ଜମିରୁ ଘରକୁ ଫେରୁଥିବାବେଳେ ବଜ୍ରାଘାତ ହେବାରୁ ଜମିରେ ହିଁ ଅଚେତ ହୋଇପଡିଥିଲେ ।
ଗୁରୁତର ଅବସ୍ଥାରେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଜଗନ୍ନାଥପ୍ରସାଦ ଥାନା ଇଲାକାର କୁମୁଣ୍ଡା ଗ୍ରାମର ମଙ୍ଗୁଳୁ ପ୍ରଧାନ(୨୦) ଓ ଛାମୁଣ୍ଡା ଗ୍ରାମର ପ୍ରଦୀପ ନାୟକ(୩୦) ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଗୁରୁତର ୨ଜଣଙ୍କୁ ତୁରନ୍ତ ଜଗନ୍ନାଥପ୍ରସାଦ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେହିପରି ଛାମୁଣ୍ଡା ଗ୍ରାମର ୧୫ରୁ ଉର୍ଦ୍ଧ ନଡିଆ ଗଛ ମଧ୍ୟ ବଜ୍ରାଘାତରେ ଜଳିଯାଇଥିବା ସୁଚନା ମିଳିଛି ।