Odisha news

ବଡଭାଇର ଗୁଳି ମାଡରେ ସାନଭାଇ ଗୁରୁତର

ଭଞ୍ଜନଗର,୪/୬(ଆପ୍ର)ବଡଭାଇର ଗୁଳିମାଡରେ ସାନଭାଇ ଗୁରୁତର ଆହାତ ହୋଇଛନ୍ତି । ପାରିବାରିକ ହିଂସା ଯୋଗୁଁ ସୃଷ୍ଟି ହୋଇଥିବା ଗଣ୍ଡଗୋଳରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ହାତିଗୁଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଘଟଣା ଘଟିଛି । ଆହାତ ଜଣକ ହେଲେ ନରେନ୍ଦ୍ର ମଳିକ(୩୫) । ପାରିବାରିକ କଳହରୁ ରାଗରେ ନରେନ୍ଦ୍ରଙ୍କ ବଡଭାଇ ଏକ ଦେଶୀ ଛେରା ବନ୍ଧୁକରୁ ନରେନ୍ଦ୍ର ଉପରକୁ ଗୁଳିମାଡ କରିଥିବାବେଳେ ଛେରା ଗୁଳି ନରେନ୍ଦ୍ରଙ୍କ ଦେହର ବିଭିନ୍ନ ସ୍ଥାନରେ ଗଳି ଯାଇଛି । ହାତୀଗୁଡା ଗ୍ରାମଟି ବଣ ପାହାଡିଆ ଗାଆଁ ହୋଇଥିବାରୁ ଗମନାଗମନର ସୁବିଧାନାହିଁ ।

ତେଣୁ ଗୁରୁତର ଅବସ୍ଥାରେ ନରେନ୍ଦ୍ରଙ୍କୁ ଦୋଳା ସହାୟତାରେ ଭାର କରି ହାତୀଗୁଡାରୁ ୪ କିମି ଅଣାଯିବାପରେ ସେଠାରୁ ଅମ୍ବୁଲାନ୍ସ ଯୋଗେ ଗୁରୁବାର ବିଳମ୍ବିତ ରାତିରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏସଂପର୍କରେ ଖବର ପାଇ ତାରାସିଂ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ଘଟଣାପରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ନରେନ୍ଦ୍ରଙ୍କ ବଡଭାଇ ଦେବେନ୍ଦ୍ର ମଳିକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି । ଅପରପକ୍ଷରେ ଗୁରୁତର ଆହାତ ନରେନ୍ଦ୍ରଙ୍କୁ ଗୁରୁବାର ରାତି ପାଖାପାଖି ୧୨ଟାରେ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିବାବେଳେ ପ୍ରାଥମିକ ଚିକିତ୍ସାପରେ ଏଠାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଏବେ ବ୍ରହ୍ମପୁର ଏମକେସିଜିରେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି ନରେନ୍ଦ୍ର ମଳିକ ।

Comments are closed.