Odisha news

ମିଳୁନି ସାର – ଉପଜିଲ୍ଲାପାଳଙ୍କୁ ଚାଷୀଙ୍କ ସ୍ମାରକପତ୍ର

0

ଭଞ୍ଜନଗର,୨/୯(ଆପ୍ର)ମିଳୁନି ୟୁରିଆ ସାର । ଆଉ ସାର ପାଇଁ ଚାଷୀଙ୍କ ଡହକବିକଳ ଏବେ ସାରା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳୁଛି । ସେବା ସମବାୟ ସମିତି ଗୁଡିକ ଏଦିଗରେ ସେଭଳି ଆଗ୍ରହ ଦେଖାଉନାହାନ୍ତି । ଫଳରେ ଏବେ ଧାନଜମିରେ ୟୁରିଆ ସାର ପକାଇବାକୁ ଚାଷୀ ପୁରା ପାଗଳ ପ୍ରାୟ ଘୁରି ବୁଲୁଛନ୍ତି । ଅନେକ ସମୟରେ ମୁନାଫାଖୋର ବ୍ୟବସାୟୀ ଚାଷୀଙ୍କୁ ଏଥିପାଇଁ ବେଶ ଲୁଟିଛନ୍ତି । ଏଭଳିସ୍ଥିତିି ଜଗନ୍ନାଥପ୍ରସାଦ ବ୍ଲକର ଉପାନ୍ତ କୋକଳବା ଓ ତାରାସିଂ ପଞ୍ଚାୟତରେ ମଧ୍ୟ ଦେଖିବାକୁ ମିଳିଛି ।

ପୂର୍ବରୁ କୋକଳବା ସେବା ସମବାୟ ସମିତି ଜରିଆରେ ଚାଷୀମାନେ ପ୍ରତିବର୍ଷ ସାର ସୁଲଭ ଦରରେ ପାଉଥିଲେ । କିନ୍ତୁ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି । ଏଯାଏଁ କୋକଳବା ସେବା ସମବାୟ ସମିତି ଖରିଫ ଋତୁରେ ଧାନ ଫସଲ ରକ୍ଷା ପାଇଁ ଚାଷୀଙ୍କୁ ସରକାରୀ ଦରରେ ୟୁରିଆ ସାର ଆବଣ୍ଟନ କରିନାହିଁ । ଏହାଦ୍ୱାରା ଚାଷୀକୂଳ ପୁରା ବ୍ୟତିବସ୍ତ ହୋଇ ପଡିଛନ୍ତି । ଏହାର ନିରାକରଣ ପାଇଁ କୋକଳବା ସେବା ସମବାୟ ସମିତି ଅଧୀନରେ ଆସୁଥିବା କୋକଳବା ଓ ତାରାସିଂ ପଞ୍ଚାୟତର ଚାଷୀଙ୍କ ଏକ ପ୍ରତିନିଧିମଣ୍ଡଳ ଉପଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ସେବା ସମବାୟ ସମିତି ଜରିଆରେ ଚାଷୀଙ୍କୁ ୟୁରିଆ ସାର ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାର ଯୋଗାଇ ଦେବାକୁ ଦାବୀ କରିଛନ୍ତି ।

ଅନ୍ୟପକ୍ଷରେ କୋକଳବା ନବନିର୍ମାଣ କୃଷକ ସଂଗଠନର ସଭାପତି ଦୁର୍ଗାମାଧବ ନାୟକ ଚଳିତବର୍ଷ କୋକଳବା ସେବା ସମବାୟ ସମିତି କାହିଁକି ଆଜିଯାଏଁ ସାର ଉଠାଇ ନାହିଁ ତାର ବିଧିବଦ୍ଧ ତଦନ୍ତ ଦାବୀ କରିବାସହ ଚାଷୀଙ୍କୁ ଠିକଣା ସମୟରେ ସାର ଯୋଗାଣ ପାଇଁ ପ୍ରଶାସନ ସହଯୋଗ କରିବାକୁ ନିବେଦନ କରିଛନ୍ତି ।

Leave A Reply