Odisha news

କୁଲାଡ ଷ୍ଟେଟ୍ ବ୍ୟାଙ୍କ ଏଟିଏମ ଭଙ୍ଗାରୁଜା , ଲୁଟ ଉଦ୍ୟମ ବିଫଳ : ସାଇଣ୍ଟିଫିକ୍ ଟିମ୍ ର ତନାଘନା

0

ଭଞ୍ଜନଗର : ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡସ୍ଥିତ ଷ୍ଟେଟବ୍ୟାଙ୍କର ଏଟିଏମ୍ କାଉଣ୍ଟର ଭିତରେ ପଶି କିଛି ଦୁବୃର୍ତ୍ତ ଗତରାତିରେ ଏଟିଏମ୍ ଭଙ୍ଗାରୁଜା କରିବାସହ ସିସି କ୍ୟାମେରାକୁ ଭାଙ୍ଗି ଦେଇଛନ୍ତି । ତେବେ ଏଟିଏମରୁ ଟଙ୍କା ଲୁଟ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଲୁଟେରାମାନେ କ୍ୟାସ୍ ବକ୍ସକୁ ଆଦୌ ଭାଙ୍ଗି ପାରିନାହାନ୍ତି ।

ଏଥିପାଇଁ ଲୁଟେରାମାନେ ପ୍ରବଳ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି । ଅପରପକ୍ଷରେ ସକାଳୁ ଏଟିଏମ ଭଙ୍ଗାରୁଜା ହୋଇଥିବା ଦେଖି କୁଲାଡରେ ଏହାକୁ ନେଇ ବେଶ ଆଲୋଡନ ସୃଷ୍ଟି ହୋଇଥିଲା । ତୁରନ୍ତ କିଛି ଗ୍ରାହକ ଷ୍ଟେଟବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସୁଚନା ଦେବାପରେ ବ୍ୟାଙ୍କ ମେନେଜର ଏସ.ସୁରେଶ କୁମାର ପୃଷ୍ଟି ତୁରନ୍ତ ବ୍ୟାଙ୍କକୁ ଆସି ଏଟିଏମ୍ କାଉଣ୍ଟର ସରଜମିନ ତଦନ୍ତ କରିବାସହ ତୁରନ୍ତ ପୁଲିସରେ ଖବର ଦେଇଥିଲେ । ଖବର ପାଇଁ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଓ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ ।

ତେବେ ଏଟିଏମ ଭିତରକୁ କାହାରିକୁ ବି ଯିବାକୁ ଦେଇନଥିଲା ପୁଲିସ । ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ଆସିି ପହଞ୍ଚିବାପରେ ସରଜମିନ ତଦନ୍ତ ଆରମ୍ଭ ହୋଇଥିଲା । ଆଉ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ମିଳିଥିବା କିଛି ତଥ୍ୟପ୍ରମାଣ ସଂଗ୍ରହ କରିନେବାପରେ ବ୍ୟାଙ୍କ ମ୍ୟାନେଜର ପୃଷ୍ଟି ଓ ଥାନା ଅଧିକାରୀ ଏଟିଏମ୍ ଚେକ୍ କରିଥିଲେ । ତେବେ ଦୁବୃର୍ତ୍ତମାନେ ଏଟିଏମର ଉପର ଅଂଶକୁ ଭାଙ୍ଗି ଦେଇଥିଲେ ମଧ୍ୟ ଭିତରେ କ୍ୟାସ୍ ବକ୍ସ ସଂପୂର୍ଣ୍ଣ ସୁରକ୍ଷିତ ରହିଥିବା ଦେଖିବାକୁ ପାଇଥିଲେ ।

କୁଲାଡ ମୁଖ୍ୟ ରାସ୍ତାରେ ଥିବା ଏଟିଏମକୁ ଦୁବୃର୍ତ୍ତମାନେ ପ୍ରଥମ ଥର ପାଇଁ ଭଙ୍ଗାରୁଜା କରିଥିବାବେଳେ ଏଭଳି ଘଟଣାକୁ ନେଇ ବ୍ୟାଙ୍କର ସୁରକ୍ଷା ଚିନ୍ତା ବଢିଯାଇଛି । ଷ୍ଟେଟବ୍ୟାଙ୍କର ପ୍ରତ୍ୟେକ ଶାଖା ଏଟିଏମରେ ଜଣେ ଜଣେ ସିକ୍ୟୁରିଟ୍ ଗାର୍ଡ ଜଗୁଥିବାବେଳେ କୁଲାଡ ଏଟିଏମରେ ଏଭଳି ବ୍ୟବସ୍ଥା ଥିଲାକି ନାହିଁ ପୁଲିସ ତାର ତଦନ୍ତ କରୁଛି ।

ସିସି କ୍ୟାମେରା ଦୁବୃର୍ତ୍ତମାନେ ଭାଙ୍ଗି ଦେଇଥିବାରୁ ଏଟିଏମ ବାହାରେ ବିପରୀତ ଦିଗରୁ ଅନ୍ୟ କୌଣସି ଦୋକାନୀଙ୍କ ସିସି କ୍ୟାମେରା ଅଛିକି ନାହିଁ । ଯଦି ଅଛି ତେବେ ତାହା ବାସ୍ତବ ପକ୍ଷରେ ଏଟିଏମ ଭଙ୍ଗାରୁଜା ଘଟଣାକୁ ଉତ୍ତୋଳିତ କରିପାରିଛିକି ନାହିଁ ତାର ତଦନ୍ତ ଆରମ୍ଭ କରିଛି ପୁଲିସ । ବ୍ୟାଙ୍କ ସବୁଠାରୁ ସୁରକ୍ଷିତ ସ୍ଥାନ ହୋଇଥିବାରୁ ଗ୍ରାହକମାନେ ବ୍ୟାଙ୍କ ଉପରେ ଅଧିକ ଭରସା କରିଥାନ୍ତି ।

ଆଉ କୁଲାଡ ଷ୍ଟେଟବ୍ୟାଙ୍କ ଏଟିଏମ୍ ରେ ଭଙ୍ଗାରୁଜା ଘଟଣା ପରେ ବ୍ୟାଙ୍କରେ ସୁରକ୍ଷା ବ୍ୟବସ୍ଥା ଢିଲାଥିବା କଥା ପଦାରେ ପଡିଛି । ଆଉ ଏଡାକୁ ନେଇ ଗ୍ରାହକମାନେ ଛାନିଆ ହୋଇଯାଇଛନ୍ତି । ଅପରପକ୍ଷରେ ଏଟିଏମ୍ ଲୁଟେରାଙ୍କ ସଂପର୍କରେ ପୁଲିସ ତାର ତଦନ୍ତକୁ ବ୍ୟାପକ କରିଛି । ଲୁଟେରାମାନେ ଯେତେ ଚାଲକ ହେଲେ ମଧ୍ୟ ସେମାନେ ଛାଡିଯାଇଥିବା ସୁରାକ୍ ପୁଲିସକୁ ଲୁଟେରାମାନଙ୍କ ନିକଟତର କରିବାରେ ଯଥେଷ୍ଟ ସହାୟକ ହେବବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସ୍ପଷ୍ଟ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ନେଇଥିବା ତଥ୍ୟ ପ୍ରକାରେ ପୁଲିସ ତାର ତଦନ୍ତକୁ ବ୍ୟାପକ କରିବବୋଲି ସେ ସୂଚନା ଦେବାସହ ଲୁଟେରା ଖୁବଶୀଘ୍ର ଧରାପଡିବେବୋଲି ସ୍ପଷ୍ଟ କରିଛନ୍ତି ।

Leave A Reply