Odisha news

୫ ଦିନ ଧରି ପ୍ରେମିକଙ୍କ ଘର ଆଗରେ ଅନଶନରେ ବସି ରହିଛି ପ୍ରେମିକା

0

ଭଞ୍ଜନଗର,୨୮/୧୨: ଲଗାତର ୫ ଦିନ ଧରି ପ୍ରେମିକାର ଘର ଆଗରେ ଧାରଣାରେ ବସିଛନ୍ତି ପ୍ରେମିକା । ଏକ ତାଲା ବନ୍ଦ ଘର ଆଗରେ ସେ ଧାରଣାରେ ବସି ରହିଥିବାବେଳେ ବୁଧବାର ସମାଜସେବୀ ପ୍ରମିଳା ତି୍ରପାଠୀ ଏହି ଯୁବତୀ ପାଖରେ ପହଞ୍ଚି ତାକୁ ପୂର୍ଣ୍ଣ ସମର୍ଥନ ଦେଇ ନ୍ୟାୟ ମିଳିବା ଯାଏଁ ଅନଶନ ଜାରୀ ରହିବବୋଲି ଉଲ୍ଲେଖ କରିଛନ୍ତି । ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରି ତାରାସିଂ ଥାନା ପୁଲିସ ପକ୍ଷରୁ ଧାରଣାରତ ଯୁବତୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ଗାଲେରୀ ଫାଣ୍ଡି ଇଲାକାର ଖୋଦ ଗାଲେରୀ ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ଦୁଷ୍ମନ୍ତ ସାହୁ ନାମକ ଜଣେ ଯୁବକ ଏବେ ବ୍ରହ୍ମପୁରରେ ଫର୍ମାସିଷ୍ଟ କୋର୍ସରେ ଅଧ୍ୟୟନରତ ରହିଥିବାବେଳେ ସେ ବ୍ରହ୍ମପୁର ଗୋସାଇଁ ନୁଆଗାଁର ଟିନାରାଣୀ ସାହୁ ନାମକ ଜଣେ ଯୁବତୀ ସହ କୁଆଡେ ପ୍ରେମ ସଂପର୍କ ଗଢି ଉଠିଥିଲା । ଏକଥା ଖୋଦ ଧାରଣାରେ ବସିଥିବା ଯୁବତୀ ଟିନାରାଣୀ ସାହୁ ଉଲ୍ଲେଖ କରୁଛନ୍ତି ।

ଦୀର୍ଘ ୩ବର୍ଷ ଧରି ଉଭୟଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ ସଂପର୍କକୁ ପତିପତ୍ନୀର ରୂପ ଦେବାକୁ ପ୍ରେମିକା ଏବେ ଜିଦ୍ ଧରି ବସିଛି । ଆଉ ନିଜ ପ୍ରେମିକଙ୍କ ଘର ଆଗରେ ଗତ ୫ ଦିନ ଧରି ଧାରଣାରେ ବସି ରହିଛନ୍ତି । ନ୍ୟାୟ ନମିଳିବା ଯାଏଁ ସେ ନିରବଚ୍ଛିନ୍ନ ଭାବେ ଏଭଳି ଅନଶନରେ ବସିବେବୋଲି ସ୍ପଷ୍ଟ ଶୁଣାଇ ଦେଇଛନ୍ତି । ଅପରପକ୍ଷରେ ସଂପୃକ୍ତ ଯୁବତୀଙ୍କୁ ନୈତିକ ସମର୍ଥନ ଯୋଗାଇ ଦେଇଛନ୍ତି ବ୍ରହ୍ମପୁରର ଜଣାଶୁଣା ସମାଜସେବୀ ପ୍ରମିଳା ତି୍ରପାଠୀ । ସେ କୌଣସି ସୂତ୍ରରୁ ଖବର ସଂଗ୍ରହ କରିବାପରେ ଯୁବତୀ ଧରଣା ଦେଇଥିବା ଗାଲେରୀ ଗ୍ରାମକୁ ଆସି ତାସହ ସାମିଲ ହୋଇଛନ୍ତି । ଜଣେ ଯୁବତୀ ପ୍ରତାରଣାର ଶୀକାର ହେବାପରେ ହିଁ ଏଭଳି ଧାରଣା ଦେଇଥାଏ । ତେଣୁ ଯୁବତୀଜଣକୁ ସଭିଏଁ ନୈତିକ ସମର୍ଥନ ଦେବାକୁ ଆଗେଇ ଆସିବା ଉଚିତବୋଲି ସେ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି ।

ଅପରପକ୍ଷରେ ଏଭଳି ଘଟଣା ଯୋଗୁଁ ଗ୍ରାମରେ କୁପ୍ରଭାବ ପଡୁଥିବାରୁ ଗ୍ରାମବାସୀ ଏଭଳି ଘଟଣାକୁ ନାପସନ୍ଦ କରିଛନ୍ତି । ଯେହେତୁ ପୁଅ ଘର ପରିବାରର କେହି ଦୀର୍ଘଦିନ ହେଲା ଏଠି ନାହାନ୍ତି । ଘରେ ଚାବି ପଡିଛି । ତେଣୁ ଏହି ପରିବାର ସଦସ୍ୟମାନେ ଘରକୁ ଫେରିବା ପର୍ଯ୍ୟନ୍ତ ଯୁବତୀ ଜଣକ ଅପେକ୍ଷା କରିବା ଉଚିତବୋଲି ଗାଲେରୀ ଗ୍ରାମର କିଛି ବ୍ୟକ୍ତିବିଶେଷ ଉଲ୍ଲେଖ କରିଛନ୍ତି । ତେବେ ନ୍ୟାୟ ପାଇବା ଯାଏଁ ସେ ତାଲା ବନ୍ଦ ଘର ଆଗରେ ଏଭଳି ଧାରଣାରେ ବସିରହିବେବୋଲି ଯୁବତୀ ଜଣକ ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି । ଏଭଳି ଘଟଣା ଏବେ ୫ ଦିନ ଧରି ଗାଲେରୀ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply