ଭଞ୍ଜନଗର,୨୫/୧୨- ଏଠାରୁ ୩ କିମି ଦୂର ଜିଲୁଣ୍ଡି ଆରସିଏମ୍ଏସ୍ ଖେଳ ପଡିଆ ରେ ଆଜିଠାରୁ ତ୍ରିନାଥ ପ୍ରଧାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ରଞ୍ଜିତ କୁମାର ଆରୁଖ ଏହାକୁ ଉଦଘାଟନ କରିଥିବା ବେଳେ ସମିତି ସଭ୍ୟ ରଣ ବିଜୟ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଭିମୁଖ୍ୟ ସଂପର୍କରେ ରାଜେନ୍ଦ୍ର କୁମାର ପ୍ରଧାନ ସମ୍ୟକ୍ ସୂଚନା ଦେଇଥିଲେ।
ଉଦଘାଟନୀ ମ୍ୟାଚ୍ ତନରଡା ଓ କଇଣ୍ଡି କ୍ରିକେଟ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଅତିଥି ମାନେ ଉଭୟ ଦଳର ଖେଳାଳୀଙ୍କ ସହ କର ମର୍ଦ୍ଦନ କରିଥିଲେ। ପରେ ଖେଳ ଆରମ୍ଭ ହୋଇଥିଲା। ପ୍ରଥମେ ଟସ୍ ଜିତି ତନରଡା ଦଳ ପଡିଆକୁ ଓଲ୍ଲାଇବା ସହ ନିର୍ଦ୍ଧାରିତ ଓଭର ସୁଦ୍ଧା ୫ ୱିକେଟ ବିନିମୟରେ ୧୪୬ ରନ୍ ସଂଗ୍ରହ କରିଥିଲା। ୧୪୭ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓଲ୍ଲାଇଥିବା କଇଣ୍ଡି ଟିମ୍ ମାତ୍ର ୧୧୦ ରନ୍ ରେ ସମସ୍ତ ୱିକେଟ ହରାଇଥିଲା ।
ଫଳରେ ତନରଡା ଦଳ ୩୬ ରନ୍ ରେ ଉଦଘାଟନୀ ମ୍ୟାଚ୍ ଜିତି ନେଇଥିଲା। ଦଳ ପକ୍ଷରୁ ତପନ ବ୍ୟକ୍ତିଗତ ଭାବେ ୩୭ ରନ୍ ସଂଗ୍ରହ କରିବା ସହ ପ୍ରତିପକ୍ଷ ଦଳର ୨ ଟି ୱିକେଟ ନେଇ ବିଜୟର ମୁଣ୍ଡି ମାରିଥିବାରୁ ତାଙ୍କୁ ମ୍ୟାଚ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇ ପୁରସ୍କୃତ କରାଯାଇଥିଲା। ଶ୍ରୀ ଶ୍ରୀ ରତ୍ନେଶ୍ବର ସ୍ବାମୀ କ୍ରିକେଟ କ୍ଳବ୍ ର ସମସ୍ତ ସଦସ୍ୟ ଆଜିର ମ୍ୟାଚ୍ ପରିଚାଳନା ରେ ସଂପୂର୍ଣ୍ଣ ସହଯୋଗ କରିଥିଲେ। କାହ୍ନୁ ଓ ଗଣେଶ ଉଦଘାଟନୀ ମ୍ୟାଚରେ ଅମ୍ପାୟର ଦାୟିତ୍ଵ ନିର୍ବାହ କରିଥିଲେ।