ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଧାନକ୍ରୟ କମିଟି ବୈଠକ ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ମାସ ୧୬ ତାରିଖରୁ ଭଞ୍ଜନଗର ଉପଖଣ୍ଡରେ ମଣ୍ଡି ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି।ଭଞ୍ଜନଗର ବ୍ଲକର ୧୨ ଟି ପ୍ୟାକ୍ସ ଓ ୩ଟି ଏସଏଚଜି ସମୁଦାୟ ୧୫ ଟି ସଂସ୍ଥା ଧାନକିଣା ରେ ଭାଗନେବେ।ଚଳିତ ଖରିଫ୍ ରୁତୁରେ ଉପଖଣ୍ଡ ଅଧିନ ୮ ଟି ବ୍ଲକର ୧୬୧ ଟି କେନ୍ଦ୍ର ରେ ୪୨,୦୦୧ ଜଣ ଚାଷୀ ଧାନ ବିକିବା ନେଇ ନିଜ ନିଜର ନାମ ପଞ୍ଜିକରଣ କରିଥିଲେ।ସେଥିମଧ୍ୟରୁ ୪୧,୯୨୭ ଜଣ ଚାଷୀ ଧାନ ବିକିବା ନେଇ ଯୋଗ୍ୟ ବିବେଚିତ ହୋଇଛନ୍ତି।ଯୋଗ୍ୟ ଚାଷୀଙ୍କ ଠାରୁ ସରକାରଙ୍କ ସର୍ବନିମ୍ନ ସହାୟକ ମୁଲ୍ୟରେ ଧାନ କିଣାଯିବ।ସେଥିପାଇଁ ଆବଶ୍ୟକ ଟାର୍ଗେଟ ଉପଖଣ୍ଡକୁ ଆସିଯାଇଥିବା ନେଇ ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ୍ ମହାନ୍ତି ସୁଚନା ଦେଇଥିଲେ।
ସେହିଭଳି ଧାନ କ୍ରୟ ସମୟରେ ଆବଶ୍ୟକ ହେଉଥିବା ଯନ୍ତ୍ରପାତି ସବୁକୁ ପ୍ରସ୍ତୁତ ରଖି ବାକୁ ଉପଜିଲ୍ଲାପାଳ ଆରଏମସି କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେବା ସହ ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାନେଇ ପ୍ରତିଶ୍ରୁତି ଦେଇଛନ୍ତି।ଆଜିର ଏହି ବୈଠକରେ ଉପଖଣ୍ଡ ଅଧିନ ସମସ୍ତ ବ୍ଲକର ବିଡ଼ିଓ, ତହସିଲଦାର, ଯୋଗାଣ ଅଧିକାରୀ, ସିଡିପିଓ ଙ୍କ ସମେତ ମିଲର ସଂଘର ସଦସ୍ୟ ଗଣ ଉପସ୍ଥିତ ଥିଲେ। ସୁରୁଖୁରୁରେ ଧାନକିଣା ନେଇ ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି।