ଭଞ୍ଜନଗର,୧/୧୧ – ସ୍ଥାନୀୟ ବ୍ଳକ୍ ସମ୍ମିଳନୀ କକ୍ଷରେ ବ୍ଳକର ସମସ୍ତ ନିର୍ବାଚିତ ଜନ ପ୍ରତିନିଧି, ସମସ୍ତ କ୍ଷେତ୍ର କର୍ମଚାରୀ ଙ୍କୁ ନେଇ ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ବିଡ଼ିଓ ଶଶୀଭୂଷଣ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଭିଜିଲାନ୍ସ ଏସପି ଗଣେଶ ପ୍ରଧାନ,ଡିଏସପି ଶରତ କୁମାର ସାହୁ ଙ୍କ ସମେତ ୨ ଜଣ ଇନ୍ସପେକ୍ଟର ଏବଂ ବ୍ଳକ ଅଧ୍ୟକ୍ଷ ନରିସଭା ନାୟକ ଓ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଭାରତ ଏବେ ବିଶ୍ଵ ଦରବାରରେ ୮୬ ନମ୍ବର ଦୁର୍ନୀତି ଗ୍ରସ୍ତ ଦେଶ ଭାବେ କୁଖ୍ୟାତି ଅର୍ଜନ କରିଛି।ଏସିଆ ମହାଦେଶରେ ଭାରତ ପ୍ରଥମ ଦୁର୍ନୀତି ଗ୍ରସ୍ତ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଏହାଦ୍ବାରା ଆମେ ବିଶ୍ବ ଦରବାରରେ ନିନ୍ଦିତ ହେଉଛେ ବୋଲି ଅଭିହିତ କରି ଭିଜିଲାନ୍ସ ଏସପି ଗଣେଶ ପ୍ରଧାନ ନିଜେ ଦୁର୍ନୀତି ମୁକ୍ତ ହେବାକୁ ଚେଷ୍ଟା କରିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବିରୋଧ କରିବାକୁ ପରାମର୍ଶ ଦେଇଥିଲେ। ବିଡିଓ ଶଶୀଭୂଷଣ ମହାପାତ୍ର ବିକାଶ ପ୍ରକ୍ରିୟାରେ ଦୁର୍ନୀତି ଏକ ବାଧକ ବୋଲି ଉଲ୍ଲେଖ କରି ଏକ ଦୁର୍ନୀତି ମୁକ୍ତ ସମାଜ ଗଠନ ଦିଗରେ ସଭିଏଁ ଅଗ୍ରସର ହେବାକୁ ଆହ୍ବାନ ଦେଇଥିଲେ। ଲାଞ୍ଚ ନେବା ଓ ଲାଞ୍ଚ ଦେବା ଉଭୟ ଦୁର୍ନୀତି କୁ ପ୍ରଶ୍ରୟ ଦେଉଥିବାରୁ ଏହାକୁ ସମୂଳେ ନାଶ କରି ସମାଜର ଅନଗ୍ରସର ବର୍ଗଙ୍କୁ ସହାୟତା ର ହାତ ଲମ୍ବାଇ ଦେବାକୁ ସେ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ୍ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ଦୁର୍ନୀତି ମୁକ୍ତ ବ୍ଳକ୍ ଗଠନ ପାଇଁ ସଭିଏଁ ସହଯୋଗ କରିବାକୁ ନିବେଦନ କରିଥିଲେ।